Categories: ଫୁରସତ

ମାମୁଘର କେତେଦୂର: ମନେପଡେ ମିଠା ସ୍ମୃତି, ସବୁ ଦୁଷ୍ଟାମି ମାଫ୍‌ ହୋଇଯିବାର ଅଲିଖିତ ପ୍ରତିଶ୍ରୁତି

ନିଜ ଘର ପରେ ଆଉ ଯେଉଁ ଘରଟି ସବୁଠୁ ପ୍ରିୟ ତା’ କେବଳ ମାମୁଘର। ପିଲାଙ୍କ ପାଇଁ ଗୋଟେ ଅପେକ୍ଷାର ଘର, ଗୋଟେ ବିଳାସର ନାଁ, ସେଇଠି ଅଛି ଅସରନ୍ତି ଆଈମା’ କାହାଣୀର ପେଡ଼ି, ଚକାଚକା ଭଉଁରି, ମାଈଁଙ୍କ ଦୁଧ ଭାତ ସହ ସବୁ ଦୁଷ୍ଟାମି ମାଫ୍‌ ହୋଇଯିବାର ଅଲିଖିତ ପ୍ରତିଶ୍ରୁତି। ମାମୁଘରକୁ ଯିବାର ଅପେକ୍ଷା ଯେମିତି ପହଞ୍ଚି ଗଲେ ଗଡ଼ ଜୟ କରିବାର ଗୋଟେ ଆନନ୍ଦ କାହା ମନକୁ ବା ଆବୋରି ନ ବସେ। ଆଉ ମାମୁଘରର ବାଟ କେବେ କ’ଣ ବହୁତ ଦୂର ଥାଏ! ଯେତେ ଦୂର ହେଉ ମାମୁଘର, ଯେତେ ଖରାପ ହେଉ ସେ ରାସ୍ତା, ଚାଲି ଚାଲି ଯିବାକୁ ପଡୁ ପଛେ, କିନ୍ତୁ ସେ ରାସ୍ତା ସବୁବେଳେ ସୁନ୍ଦର, ଆକର୍ଷଣୀୟ। ସତରେ ହୃଦୟର କେଉଁ କୋଣରେ ସାଇତା ହୋଇ ରହିଥିବାର ମାମୁଘରର ସ୍ମୃତି କେବଳ ମିଠା ଅନୁଭବ ଦେଇ ଚାଲିଥାଏ ଜୀବନସାରା।

ମାମୁଘର ଦୂର ନୁହେଁ ଅନ୍ତରତର-ପବିତ୍ର ମୋହନ ଦାଶ, ସାହିତି୍ୟକ
ମୋର ମାମୁଘର ଗାଁ ହରିପୁର। ସତ୍ୟବାଦୀ ବ୍ଲକର ୨୫-୩୦ ଘର ସମ୍ବଳିତ ଏକ ଛୋଟ ଗାଁ। ଆମ ଗାଁ ଜମାରସୁଆଁରୁ ୩ କିଲୋମିଟର ଦୂର, ଯାହାକୁ କହନ୍ତି ଡାକେ ବାଟ। ଗାଁର ଚାରିପାଖ ଦହଡ଼ସର। ବର୍ଷକୁ ୮ମାସ ସର ଓ ସଫେଇରେ ଭରି ରହେ ପାଣି। ଲାଗେ ଯେମିତି ଗାଁଟି ସନ୍ତସନ୍ତିଆ ଯୋର ପାଣି ଉପରେ ଲେଖା ଧାଡ଼ିଏ କବିତା। ଗାଁର ଅଧିଷ୍ଠାତ୍ରୀ ଦେବୀ ପାଳପୋଛି। ବିଷହରଣକାରୀ ହିସାବରେ ପ୍ରସିଦ୍ଧ। ତାଙ୍କୁ ନେଇ ଅଛି ଏକ ରୋଚକ କିମ୍ବଦନ୍ତୀ। ସେ କାଳେ ଆଉ ଏକ ଗାଁର ଶିବଙ୍କର ପାର୍ବତୀ। ଦହଡ଼ସରର ମାଛ ପ୍ରତି ତାଙ୍କର ଆସକ୍ତି ଆସିଲା। ମହାଦେବ ଏ କଥା ଜାଣି ତାଙ୍କୁ କ୍ରୋଧରେ ଦେଲେ ଧକାଏ। ଆଉ ସେ ପଡ଼ିଲେ ଏଠି। ସେବେଠୁ ସେ ଏଠି ମାଛ ବେସର ଖାଉଛନ୍ତି ଓ ଲୋକଙ୍କୁ ଖୁଆଉଛନ୍ତି। ମାମୁଘର ଯିବା ବାଟରେ ପଡ଼େ ୩ଟି ଗାଁ। ସାଇଁତଳ, ବିଲିପଡ଼ା ଓ ବଢ଼େଇକେରା। ବୋଉ ତା’ର ବାପଘର ଖାତିରିରୁ ୩ଗାଁରେ ବଡ଼ ଲୋକପ୍ରିୟ ନାନୀ। ସେ ସୂତ୍ରେ ଆମେ ହରିପୁର ସମେତ ଏହି ୩ଟି ଗାଁରେ ଭଣଜାଭାଣିଜୀର ମାନ୍ୟତା ପାଉ। ମାମୁଘର ବିରାଟ ଯୌଥ ପରିବାର। କୁଟୁମ୍ବ ସମ୍ପର୍କୀୟ ମିଶି ଆମର ମାମୁ ସଂଖ୍ୟା ଥିଲା ସାତ। ମାମୁ ପୁଅ ଭାଇଭଉଣୀଙ୍କ ସଂଖ୍ୟା ଅଗଣନ। ମାମୁ ଘରେ ଆଈ ଅପନୀର ସ୍ନେହ ଆଦର ମନେପଡ଼ିଲେ ବେଳେବେଳେ ମୁଁ ମୋର ହାଇସ୍କୁଲରୁ ଗାଁକୁ ନ ଫେରି ସିଧା ତାଙ୍କ ଗାଁକୁ ଚାଲିଯାଏ। ବୋଉ ପାଟମଣିର ସବୁକଥାରେ ବଡ଼ ଦମ୍ଭ ତା’ର ବାପଘର। ଆମ ଗାଁରେ କୌଣସି ନାଟକ ଅଭିନୀତ ହେଲେ ନନା ଚାଲି ଚାଲି ଯାଇ ମାଇଁମାନଙ୍କୁ ସାଙ୍ଗରେ ଧରି ଆସନ୍ତି ନିଜ ଅଭିନୟ କି ତବଲାବାଦନ ଦେଖାଇବା ପାଇଁ। ମାମୁଘର ଲୋକ ବି ଆମ ଘରର ସବୁ କାମକୁ ଆଗ ଅଣ୍ଟା ଭିଡ଼ନ୍ତି। ଟ୍ୟୁଶନ୍‌, ନନାଙ୍କ କଡ଼ା ନଜର ଭିତରୁ ଖସି ଦିନେଅଧେ ମାମୁ ଘରକୁ ବୁଲି ଆସିବା ପିଲାଦିନେ ଥିଲା ଏକ ବିଳାସ। ଛୋଟ ଗାଁଟିର ସାଂସ୍କୃତିକ ଜୀବନ ନିହିତ ଥିଲା ସଂକୀର୍ତ୍ତନ ଆଉ ଛୋଟକାଟର ନାଟକ ମଞ୍ଚସ୍ଥ ହେବାରେ। ମାମୁଘର ଗାଁର କେଉଁ ଗଛରେ ମାଦଳ, କେଉଁଠି ବ୍ରହ୍ମରାକ୍ଷସ ଥିଲା ଏ କଥା ଏବେ ବି ମନେପଡ଼େ। ଜାଡ଼ ରାତିରେ ଭାଇଭଉଣୀଙ୍କ ସହ ଗୋଟିଏ ମୁନ୍ଦୁରା ତଳେ ଶୋଇ ଥରିଲାବେଳେ କଳ୍ପନାର ମଞ୍ଜି ପାଣି ପାଉଥିଲା କାକର ଟୋପାରେ। ମାମୁଘର ଦୂର ନୁହେଁ ଅନ୍ତରତର।

ମାମୁଘର ଖାଇବାର ସୁଆଦ ନିଆରା-ଭାସ୍ବତୀ ବସୁ ,ଅଭିନେତ୍ରୀ
ସତରେ ମାମୁଁଘର ଭଳି ମଜା ଆଉ କୋଉଠି ନ ଥାଏ। ମୁଁ ମୋ ମାମୁଘରକୁ ଖୁବ୍‌ କମ୍‌ ଯାଇଛି ସତ କିନ୍ତୁ ପ୍ରଥମ ଥର ଯୋଉ ଯାଇଥିଲି ସେଇଟା ଦଶ ଥର ଯିବା ସାଙ୍ଗରେ ସମାନ ଥିଲା। ସେଥର ମୁଁ ସେଠି ପୂରା ବର୍ଷେ ରହିଥିଲି। କାହିଁକି ଯାଇଥିଲି ଆଉ ଏତେ ଦିନ କାହିଁକି ରହିଥିଲି ସେ କଥା ପଚାରିବାର କିମ୍ବା ବୁଝିବାର ବୟସ ବା କୌତୂହଳ ସେତେବେଳେ ନ ଥିଲା ଆଉ ଏବେ ବି ନାହିଁ। ଯାଇଥିଲି, ରହିଥିଲି, ସେତିକି ମୋ ପାଇଁ ଯଥେଷ୍ଟ। ଭୁବେନଶ୍ବରଠାରୁ ତୃତୀୟ ଶ୍ରେଣୀ ପରୀକ୍ଷା ଦେଇ ସାରି ପୁରୁଲିଆସ୍ଥିତ ମାମୁଘରକୁ ଯାଇ ସେଠିକା ଅରବିନ୍ଦ ସ୍କୁଲରେ ଭର୍ତ୍ତି ହେଲି। ଯଦିଓ ଚତୁର୍ଥ ଶ୍ରେଣୀରେ ଭର୍ତ୍ତି ହବା କଥା କିନ୍ତୁ ପ୍ରବେଶିକା ପରୀକ୍ଷାରେ ମୁଁ ଫେଲ ହୋଇଗଲି। ମୋର ମନେ ଅଛି, ସାନମାମୁଙ୍କ ସାଙ୍ଗ ସେଠି ହେଡ ସାର୍‌ ଥିଲେ। ମାଉସୀ ମତେ ତାଙ୍କ ପାଖକୁ ନେଇଗଲେ। ମାଉସୀଙ୍କୁ ବାହାରେ ଅପେକ୍ଷା କରିବାକୁ କହି ସେ ମତେ ଗୋଟିଏ କାଗଜ ଆଉ ପେନ୍‌ସିଲ ଦେଇ କହିଲେ – ଲେଖ, The sky is blue.ମୁଁ ସରକାରୀ ଓଡ଼ିଆ ମିଡିୟମ୍‌ ସ୍କୁଲ୍‌ର ଛାତ୍ରୀ ଥିଲି। ଆମ ବେଳେ ଚତୁର୍ଥ ଶ୍ରେଣୀରୁ ଇଂଲିଶ ଏ-ବି-ସି-ଡି ଶିଖିବା ଆରମ୍ଭ ହେଉଥିଲା। ମୁଁ ଅବଶ୍ୟ ଏ-ବି-ସି-ଡି ଜାଣିଥିଲି ହେଲେ ବାସ୍‌ ସେତିକି। କାଗଜ ପେନସିଲ୍‌ ଧରି ବହୁତ ସମୟ ଭାବିଲା ଭଳି ଅଭିନୟ କରି ତାଙ୍କୁ ହିଁ ପଚାରିଲି – ସ୍କାଇ ବନାନ କ’ଣ? ସେଠି ବି ତୃତୀୟରେ ଭର୍ତ୍ତି ହେଲି। ଯେଉଁ ଦିନ ସ୍କୁଲ୍‌ ଗଲି, ଓଡ଼ିଶାରୁ ପିଲାଟିଏ ଆସିଛି ବୋଲି ରିସେସରେ ସ୍କୁଲ୍‌ର ସବୁ ତକ ପିଲା ମତେ ଦେଖିବାକୁ ଭିଡ଼ ଜମେଇଲେ। ଓଃ ନିଜକୁ ଭିଆଇପି ଭଳି ଲାଗୁଥାଏ। ହେଲେ ସେ ଗର୍ବ ବି ବେଶି ଦିନ ରହିଲାନି। ଇଂଲିଶ ମିଡିୟମର ପଢ଼ା ମୁଣ୍ଡରେ ପଶୁ ନ ଥାଏ। ତ୍ରୟମାସିକ ପରୀକ୍ଷାରେ ଫେଲ୍‌ ହେଲି। ଘରେ ମାମୁ, ମାଈଁ, ମାଆ, ମାଉସୀ ସମସ୍ତେ ଚିନ୍ତାରେ। ଭାରି ଖରାପ ଲାଗିଲା। ମଙ୍ଗ ଧରିଲେ ମୋ ମାଆ। ତାଙ୍କରି ଚେଷ୍ଟା ଆଉ ଅଧ୍ୟବସାୟ ଯୋଗୁ ଷାଣ୍ମାସିକ ପରୀକ୍ଷା ଫଳ ଆସିଲା, ଦେଖାଗଲା ଯେ ମୁଁ କ୍ଲାସ୍‌ରେ ପଞ୍ଚମ ସ୍ଥାନ ପାଇଛି। ସମସ୍ତେ କି ଖୁସି! ମାଉସୀ ବୁଲି ବୁଲି ତାଙ୍କ ସାଙ୍ଗସାଥୀଙ୍କୁ ମୋ ପରୀକ୍ଷା ଫଳ ବିଷୟରେ କହିଥିଲେ। ବାର୍ଷିକ ପରୀକ୍ଷା ଦବା ଆଗରୁ ହିଁ ଆମେ ଭୁବନେଶ୍ୱର ଫେରି ଆସିଲୁ। ମୁଁ ଏତେ ଭଲ ଛାତ୍ରୀଟିଏ ବନି ଯାଇଥିଲି ଯେ ଏଠି ଫେରି ପଞ୍ଚମ ଶ୍ରେଣୀରେ ହିଁ ଭର୍ତ୍ତି ହେଲି, ବର୍ଷ ନଷ୍ଟ ହେଲାନି। ସବୁ ଭୁଲି ହୁଏ, ଖାଲି ଭୁଲି ହୁଏନା ସ୍କୁଲ୍‌ ଯିବା ଆଗରୁ ରୋଷେଇ ଘର ପିଣ୍ଡାରେ ପିଢ଼ା ଉପରେ ବସି ଗରମ ଗରମ ଭାତ, ଡାଲି ଆଉ ଆଳୁ ଭଜା ଖାଇବା। ପରେ ତ କେତେ ଥର ଖାଇଛି, ହେଲେ ମାମୁଁ ଘର ଭଳି ସୁଆଦ କେବେ ପାଇନି।

ମାମୁଘର ନୁହେଁ ମୋ ଘର- ବିଜୟ ମଲ୍ଲ, ସଂଳାପକାର
ମାମୁଘରେ ମୁଁ ଜନ୍ମ ହୋଇଥିଲି। ମୋ ବାପା ବିଦେଶରେ। (ସେତେବେଳେ କଲିକତାକୁ ବି ବିଦେଶ କୁହାଯାଉଥିଲା।) ବାପା ବିଦେଶରେ ଚାକିରି କରୁଥିବାରୁ ମୋ ଅଜା ବୋଉକୁ ତାଙ୍କ ପାଖରେ ରଖିଥିଲେ ତା’ର ଯତ୍ନ ନେବା ପାଇଁ। ଜନ୍ମ ହୋଇ ବର୍ଷକର ହେବା ଯାଏ ମୁଁ ମାମୁ ଘରେ ରହିଲି। ତା’ପରେ ମୁଁ ଓ ବୋଉ ଆମ ଗାଁକୁ ଆସିଲୁ। କିନ୍ତୁ ଗାଁରେ ରହିବାର ଭାଗ୍ୟ ମୋର ନ ଥିଲା। ମତେ ୪ ବର୍ଷ ହେବାରୁ ଛାତିରେ ପଥର ରଖି ବୋଉ ମତେ ପୁଣି ଅଜାଙ୍କ ସାଙ୍ଗରେ ପଠେଇଦେଲା ମାମୁଘରକୁ। ଅନ୍ୟ ପିଲାମାନେ ଛୁଟି ହେଲେ ମାମୁଘରକୁ ବୁଲି ଯାଆନ୍ତି, ହେଲେ ରଜ, ଦଶହରା ଛୁଟିରେ ମୁଁ ଆମ ଘରକୁ ବୁଲିଯାଏ। ମାମୁ ଘରେ ଥିଲା ମୋ ଷଠିଘର। ସେହି ଷଠିଘରକୁ ମୁଁ ଅନେକ ସମୟରେ ଚାହିଁରହି ଭାବେ ଇଏ ମୋ ମାମୁଘର ନୁହେଁ ମୋ ଘର। ମାମୁଘର ମାଟିକାନ୍ଥ ଭଙ୍ଗା ହୋଇ କୋଠା ଘର ହୋଇଗଲା, କିନ୍ତୁ ମୋ ଷଠିଘର ସେମିତି ରହିଗଲା। ମୋ ବୋଉର ବାପା ଓ ଭାଇମାନେ ଅକାଳରେ ବସନ୍ତ ମହାମାରୀରେ ଚାଲି ଯାଇଥିଲେ। ତା’ର ଦାଦା ଥିଲେ ତା’ ପାଇଁ ବାପା ଓ ମୁଁ ତାଙ୍କୁ ମୋ ଅଜା ଏବଂ ତାଙ୍କ ତିନିପୁଅଙ୍କୁ ମୋ ମାମୁଭାବେ ଜାଣେ। ମୋ ତିନି ମାମୁ ମୋଠୁ ଖୁବ୍‌ ବେଶି ବଡ଼ ନ ଥିଲେ। ବଡ଼ ମାମୁ ଓ ମଝିଆ ମାମୁଙ୍କ ବାହାଘରରେ ମୁଁ ମାର୍କୁଣ୍ଡି ହୋଇ ଯାଇଥିଲି। ନୂଆ ମାଈଁଙ୍କୁ ମାମୁଘରକୁ ଧରି ଫେରିବାର ଅନୁଭୂତି କିଛି ଗଡ଼ ଜୟ ଠାରୁ କମ୍‌ ନ ଥିଲା। ମୋ ଅଜା ଓ ଆଈ ତାଙ୍କର ଚତୁର୍ଥ ପୁଅ ଭଳି ମୋତେ ପାଳିଥିଲେ। ଯାହା କିଛି ସଂସ୍କାର ମୁଁ ପାଇଛି ତା’ର ସର୍ବାଧିକ ଶ୍ରେୟ ମୋ ଅଜାଙ୍କର। ମୋ ଅଜା ନଟବର ମହାନ୍ତିଙ୍କ ପାଖରେ ବଡ଼ ହୋଇ ନ ଥିଲେ ମୁଁ ଆଜି ଯାହା ଅଛି ତାହା ନ ହୋଇ କିଛି ଅଲଗା ହୋଇଥାନ୍ତି। ପ୍ରାୟ ପିଲାଙ୍କ ପାଇଁ ମାମୁ ଘର ଏକ ଅଦମ୍ୟ ଆକର୍ଷଣ, କିନ୍ତୁ ମୋ ପାଇଁ ମୋ ମାମୁଘର ଥିଲା ସତ୍ୟନାରାୟଣଙ୍କ ବାସସ୍ଥାନ।

ମାମୁଘର ମାଆ ମାଆ ବାସେ- ଭବାନୀ ଭୂୟାଁ ( ସାମାଜିକ କର୍ମୀ )
ମାମୁଘର ଲାଗେ ମୋ ହାତପାହାନ୍ତାରେ। ଯଦିଓ ପୁରୀ ସହରଠାରୁ ବୟାଳିଶ କିଲୋମିଟର, ତଥାପି ଲାଗେ ଏଇତ ଯେମିତି ଦିଶୁଛି। ବୋଧହୁଏ ସ୍ନେହ, ଭଲପାଇବା ଦୂରତାକୁ କମାଇଦିଏ। ଭାରି ଏକଜିଦିଆ ଥିଲି। ମାମୁଘରକୁ ଯିବା ପାଇଁ ରୁଷେ। ବାଧ୍ୟହୋଇ ମାଆ ସାଙ୍ଗରେ ନେଇଯାଏ। ବସରେ ଯିବାକୁ ହୁଏ ପୁରୀଠାରୁ ବାଲି ଦୋକାନ। ସେଠାରୁ ବଳଦ ଗାଡିରେ ମାମୁଘର ଗାଁ ନଡିଆମଠକୁ ଯିବାକୁ ହୁଏ। ମାମୁ ଅପେକ୍ଷା କରିଥାନ୍ତି। ବଳଦ ଗାଡି ଦେଖିଦେଲେ ଗୋଟେ ଡିଆଁ ମାରି ମାମୁ ହାତରୁ ପାଞ୍ଚଣ ଛଡେଇ ନେଇ ଆଗରେ ବସିପଡ଼େ ବଳଦ ହୁରୁଡେଇବା ପାଇଁ। ବହୁତ ଦୁଷ୍ଟ ଥିଲି ଏହି ସବୁ କାମରେ। ହ’ ହ’ ହୁରୁଡ଼ ହୁରୁଡ଼ ହେଇ କେତେବେଳେ ପହଞ୍ଚିଯାଏ ଜଣାପଡେନି। ଭାରି ମଜା ଲାଗେ। ଗୋଟେ ଗୀତ ଥିଲା ପିଲାଦିନେ ବଡ଼ପାଟିରେ ମନଖୁସିରେ ଗାଉଥିଲୁ , ସତରେ ମୋ’ ମାମୁଘରେ ସେତେବେଳେ ଶହେ ସରିକି ମଇଁଷି ଥିଲେ। କ୍ଷୀର ଭାତ, ଘିଅ ଭାତ ହିଁ ମୋର ପ୍ରିୟ ଖାଦ୍ୟ ଥିଲା। ଆଉ ମାଈଁଙ୍କ ହାତର ରସୁଣ କଞ୍ଚା ଲଙ୍କା ଚକଟା ମାଛ ପୋଡ଼ା। କେତେ ସ୍ନେହ ଆବେଗ ଥାଏ ସେଥିରେ। ଆଉ ଖରାବେଳ ସାରା ମାମୁ ଗାଁ କ୍ଷେତରେ ଆଖୁ ଖିଆ। ଶାଳକୁ ଯାଇ ଆଖୁ ରସ ପିଆ। ଏବେବି ମନରୁ ଯାଇନି। ସବୁ ଯେମିତି ଜଳ ଜଳ ହୋଇ ଦିଶୁଛି। ଏବେ ମା , ମାମୁ , ମାଈଁ ନାହାନ୍ତି କିନ୍ତୁ ଭାଇ ଭାଉଜମାନେ ଅଛନ୍ତି । ଏଇ କରୋନାରେ ଅର୍ଥନୈତିକ ଚାପ ବିଷୟରେ ଶୁଣି ମାମୁପୁଅ ଭାଇ ଦଉଡି ଆସିଥିଲେ ଚାଉଳ, ଚୁଡା, ମୁଢି ଛତୁଆ, ପରିବା ଧରି ଦେଖିବାକୁ ଦମ୍ଭ ହୋଇ। ଲେଖିଲା ବେଳକୁ ଆଖିକୁ ଲୁହ ଆସିଯାଉଛି। ସତରେ ମାମୁଘର ମାମୁଘର। ମାଆ ପରି ଅତି ଆପଣାର। ସେ ନିଆରା ଭଲପାଇବାର ସ୍ମୃତି ଅତୁଟ। ମାମୁଘର ମାଆ ମାଆ ବାସେ। ମାଆର ପରଶ ମାମୁଘର ସହ ଆସେ।

ଏବେବି ଛାତି ଭିତରେ ଅନୁଭବେ ମୋ ମାମୁଘରକୁ
-ସୁଜାତା ମହାପାତ୍ର, ଫ୍ରି ଲାନ୍ସ ରାଇଟର୍‌
ମଧ୍ୟବିତ୍ତ ପରିବାରର ସହରୀ ଜୀବନ ମଧ୍ୟରେ ଏକମାତ୍ର ମୁକ୍ତ ମଞ୍ଚ ଥାଏ ମାମୁଘର। ପ୍ରତିଟି ବାଧା, ବନ୍ଧନ ଓ ଆକଟରୁ ମୁକ୍ତ, ଯେଉଁଠି ନିଜେ ନିଜକୁ କେଉଁ ଦେଶର ରାଜକୁମାରୀ ଭଳି ପ୍ରତ୍ୟୟ ହୁଏ। ଅପେକ୍ଷା ଥାଏ ସେହି ମହାର୍ଘ ଖରାଛୁଟିଟିକୁ। ବଣ ପାହାଡ଼ ଘେରା ରାୟଗଡ଼ାରେ ମୋର ଜନ୍ମ ଓ ଆଦ୍ୟ ଶୈଶବ। ନାଗାବଳୀ ନଦୀର ତୀର ଯୋଡ଼ିଥାଏ ମୋତେ ମୋ ମାମୁଘର ସହ। ଛୁଟି ହେବା ପରଦିନ ହିଁ ଆରମ୍ଭ ହୋଇଯାଏ ଯାତ୍ରା। ସୂର୍ଯ୍ୟଙ୍କର ସମ୍ପୂର୍ଣ୍ଣ କାୟାବିସ୍ତାର ପୂର୍ବରୁ ଆମେ ବାପା, ବୋଉ ଆଉ ମୁଁ ସିଟ ଖଣ୍ଡେ ଖଣ୍ଡେ ଯୋଗାଡି ନେଇଥାଉ ମାମୁଘର ଗାଁରେ ପହଞ୍ଚାଉଥିବା ଏକମାତ୍ର ନାଲି ରଙ୍ଗର ବସ (osrtc) ଭିତରେ। ଉତ୍କଣ୍ଠା, ନାଗାବଳୀର ସୁଅଠୁ ବି ଆହୁରି ପ୍ରଖର। ଆଦିବାସୀଙ୍କ ପ୍ରବଳ ଭିଡ ସହ ପ୍ରତ୍ୟେକଙ୍କ ହାତରେ ଝୁଲୁଥିବା କୁକୁଡ଼ା ଓ କାନ୍ଧରୁ ଓହଳୁଥିବା ଲାଉତୁମ୍ବା ସବୁକିଛି ମାମୁଘରମୁହାଁ କରାଉଥାଏ ବୋଉକୁ ଆଉ ମୋତେ। ଗରମ, ଝାଳ ଆଉ ଗନ୍ଧରେ ଅତିଷ୍ଠ ହୋଇ ଉଠୁଥାନ୍ତି ସହରିଆ ଜ୍ୱାଇଁ ମୋ ବାବା ହେଲେ ବୋଉର ବା ଏ ସବୁକୁ ଖାତିର କାହିଁ ! ପ୍ରାୟ ପଚାଶ କିଲୋମିଟର ଅଣଓସାରିଆ ରାସ୍ତା। ପରେ ବାଟ ଓଗାଳି ଛିଡା ହୋଇଥାଏ ମୁକୁଳା ନାଗାବଳୀ ନଦୀ। ଖରାଦିନେ ବି ତାକୁ ଅତିକ୍ରମ କରିବାକୁ ସାହସ କୁଳାଇ ପାରେନି ଏଡ଼େ ବଡ଼ ବସ, ସେଇଠି ଛାଡି ଚାଲିଆସେ ଆମ ସମସ୍ତଙ୍କୁ। ହେଲେ ବୋଉ ପାଇଯାଏ ଶତ ସିଂହୀର ବଳ, ସାମ୍ନାରେ ନାନୀର ଅପେକ୍ଷାରେ ଠିଆ ହୋଇଥାନ୍ତି ତା’ ଗେହ୍ଲା ସାନଭାଇ, ମୋ କାହ୍ନୁମାମୁ, ଆମ ଜହ୍ନମାମୁ। କାହ୍ନୁ ଚରଣ ପଣ୍ଡା, ଆଖପାଖ ପଞ୍ଚଖଣ୍ଡ ଗାଁରେ ନ୍ୟାୟ, ନିଶାପ ବେଳେ ଯାହାଙ୍କ ମୁରବିପଣିଆରେ ଲୋଡ଼ା ହୁଏନି କୋର୍ଟ କଚେରି। ଧନ, ସମ୍ପତ୍ତି, ବ୍ୟବସାୟ ଓ ସଚ୍ଚୋଟତାର ଉଦାହରଣ ମୋ ମାମୁ, ବୋଉ ସାମ୍ନାରେ କିନ୍ତୁ କେବଳ ନିରୀହ, ଆଜ୍ଞାକାରୀ ସାନ ଭାଇଟିଏ। ନଈ ଆରପାରି କାନ୍ଧରେ ସଫା ଗାମୁଛାଟିଏ, ସାଇକେଲ ଖଣ୍ଡେ ଓ ସଜ୍ଜିତ ଶଗଡ଼ଟେ ଧରି ଅପେକ୍ଷା କରିଥାନ୍ତି ମାମୁ, ସେହି ମୁଣ୍ଡଫଟା ଖରାରେ ଖାସ୍‌ ଆମ ପାଇଁ। ଗାମୁଛା ପିନ୍ଧି ପାଣିରେ ପଶନ୍ତି ବାବା, ମୁଁ ହଳିଆ କାନ୍ଧରେ ଆଉ ବୋଉ ମାମୁଙ୍କ ହାତ ଧରି ପାର ହେଉ ନଦୀ। ରାସ୍ତାରେ ମାମୁଙ୍କ ବିଲରୁ ଓପଡା ହୁଏ ଆଖୁ, କାନ୍ଦୁଲ ନିଜ ଇଚ୍ଛା ମୁତାବକ। ଛୋଟ ବଡ଼ ନଈ, ଯୁଡ଼ି(ଝରଣା) ଆଉ ଚିହ୍ନା ଚିହ୍ନା ପାହାଡ଼, ବିଲ ସମସ୍ତେ ଯେମିତି କେବଳ ଆମରି ଅପେକ୍ଷାରେ। ମାଟି ରାସ୍ତାରେ ଲୁଗା ଘୋଡିଆ ଶଗଡ଼ ଭିତରେ ବସି କିଛି ସମୟ ପାଇଁ ସାଧାରଣରୁ ସ୍ବତନ୍ତ୍ର ପାଲଟିଯିବାର ଅନୁଭବ ଏବେ ବି ଜୀବନ୍ତ ମୋ ସ୍ମୃତିରେ। ମୋ ମାମୁଘର ଗାଁ ଜଗନ୍ନାଥପୁର, କଲ୍ୟାଣସିଂପୁର ବ୍ଲକ, ରାୟଗଡା ଜିଲା। ହେଲେ ଦୂର ନୁହେଁ ବରଂ ରାଜଧାନୀର ଛାତି ଭିତରେ ଆଜି ବି ମୁଁ ଅନୁଭବ କରିପାରୁଛି ତା’ ସ୍ପନ୍ଦନ।

ଭଲପାଇବାର ଆଉ ଏକ ନାଁ ମୋ ମାମୁଘର
-ଅଳକାନନ୍ଦା ପରିଡ଼ା, ଆସିଷ୍ଟାଣ୍ଟ ପ୍ରଫେସର, ଉତ୍କଳ ବିଶ୍ୱବିଦ୍ୟାଳୟ
ନିଆଳିର ବାହାରଣା ହେଉଛି ଆମଘର। ଆଉ ମୋ ମାମୁଘର ହେଉଛି ସେଇ ଗୋଟିଏ ଗାଁରେ। ମୋର ୪ ମାମୁ ଆଉ ୨ ମାଉସୀ। ବୋଉ ଓ ପିଉସୀ ବଦଳ କନ୍ୟା ହୋଇଥିବାରୁ ମାମୁଘର ସହ ସମ୍ପର୍କ ଅତି ନିବିଡ଼। ଗୋଟିଏ ଗାଁରେ ହେଲେ ବି ବାପାଙ୍କୁ ଦେଖିଦେଲେ ଆଈଙ୍କର ହାତେ ଓଢ଼ଣା ଟାଣି ଘର ଭିତରକୁ ଚାଲିଯିବା ପୁଣି ଆମେ ଦୁଇ ଭଉଣୀ ମାମୁଘରେ ପହଞ୍ଚିଗଲେ ମାଈଁଙ୍କର ଯେଉଁ ୩ଗୁଣା ଆଦର ଅଭ୍ୟର୍ଥନା ସେକଥା ଭୁଲିହୁଏନି। ଏବେ ବି ମନେପଡ଼େ ମାଈଁଙ୍କର ଗରମ ଗରମ କ୍ଷୀର ଭାତ ବାଢ଼ିଦେବା, ଯାହାର ସ୍ବାଦ ଏବେ ବି ମୋ ମନ ଭିତରେ ରହିଯାଇଛି। ମାମୁଘରେ ସବୁ ପ୍ରକାରର ଫଳ ଗଛ ଥାଏ। ଛୋଟ ପିଲାଙ୍କୁ ନେଇ ଲିଚୁ ଗଛରେ ଚଢ଼ି ଲିଚୁ ତୋଳିବା, ଗଛରୁ ପଡ଼ିବା, ରାତିରେ ଗାଁ ଦାଣ୍ଡରେ ମୋଟର ସିନେମା ଦେଖିବା ସହ ମାମୁଙ୍କ ଝିଅମାନଙ୍କ ସହ ଧୁମ୍‌ ମଜା କରିବା, ବାଡ଼ି ପୋଖରୀରୁ ମାଛଧରା ଦେଖିବା, ଏକାଠି ବସି ମାଛମଞ୍ଜି ଭଜା ଖାଇବା, କୁମାର ପୂର୍ଣ୍ଣମୀ ପାଳିବା, ସେ ସବୁକିଛି ସୁନ୍ଦର ସ୍ମୃତି ହୋଇ ରହିଯାଇଛି ହୃଦୟ ଭିତରେ। ଏସବୁ ପରେ ଯଦି ମାମୁଘରର ସବୁଠୁ ଭଲ ଲାଗୁଥିବା ଜିନିଷ ମୋ ପାଇଁ କ’ଣ ଥାଏ ତାହା ହେଲା ପରସ୍ପର ପ୍ରତି ଭଲପାଇବା। କେବଳ ମାମୁମାନଙ୍କର ପରସ୍ପର ପ୍ରତି ଭଲପାଇବା ନ ଥିଲା, ମାଈଁମାନଙ୍କ ଥିଲା ପରସ୍ପର ପ୍ରତି ଖୁବ୍‌ ବେଶି ସ୍ନେହ। ଘରର କାମ କରୁଥିବା ଲୋକମାନଙ୍କ ପ୍ରତି ଥିଲା ଆଦର ଯତ୍ନ। ସମସ୍ତଙ୍କୁ କିପରି ସମାନ ଦୃଷ୍ଟିରେ ଦେଖାଯାଇପାରେ ସେକଥା ମୁଁ ମାମୁମାନଙ୍କ ପାଖରେ ଦେଖିଛି। ଦେଖିଛି ବି ଆମ ସବୁ ପିଲାଙ୍କୁ ମୋର ଭାବୁଥିବା ମୋ ମାମୁମାନଙ୍କୁ। ପ୍ରକୃତରେ ଭଲପାଇବା କ’ଣ ଆଉ କେମିତି ତା’ ମୁଁ ଶିଖିଛି ମୋ ମାମୁଘରେ।

– ରୋଜାଲିନ ମହାନ୍ତି

Share