ସ୍ମୃତିରେ ଅକ୍ଷୟ, ଆଜି ବି ମନେପଡେ ‘ପ୍ରେମିକାର ବାରିଆଡେ…’

ଭୁବନେଶ୍ୱର: ହେ ଫଗୁଣ ତୁମେ ଗଲା ପରେ ପରେ, ଅନେକ ଯାତନା ଏଠି..ଅନେକ ଯାତନା ଏଠି । ଆଜି ବି ଏ ଗୀତ ବାଜି ଉଠିଲେ ଉତ୍‌ଫୁଲ୍ଲିତ ହୋଇ ଯାଏ ଦେହ ଆଉ ମନ। ଗୀତର ତାଳେ ତାଳେ ମତୁଆଲା ହୋଇଉଠେ ଶ୍ରୋତା । ଏ ଗୀତର ସ୍ବରକୁ ଆପଣମାନେ ଠିକ ଅନୁମାନ କରିପାରୁଥିବେ ନିଶ୍ଚୟ। ହଁ ସେ ଆଉ କେହି ନୁହନ୍ତି। ସେ ଥିଲେ ଯାଦୁଗର। କେବଳ ଗୀତ ନୁହେଁ ତାଙ୍କ କଥା, ଭାବନା, କବିତା,ସ୍ବର ସବୁକିଛି ଥିଲା ବେଶ ନିଆରା। ଆମ ପ୍ରିୟ ଖୋକା ଭାଇ। ଓଲିଉଡ ଜଗତର ଚିର ସ୍ମରଣୀୟ ଗାୟକ ଅକ୍ଷୟ ମହାନ୍ତି। ମଙ୍ଗଳବାର ହେଉଛି ତାଙ୍କର ୭୪ ତମ ଜନ୍ମ ବାର୍ଷିକୀ। ଅକ୍ଷୟ ଭାଇ ଓରଫ ଖୋକା ଭାଇ ଥିଲେ ସତରେ ଅନନ୍ୟ। ତାଙ୍କ ଗୀତରୁ ହିଁ ତାଙ୍କର ବିଭିନ୍ନ ନାମ, ବିଭିନ୍ନ ପରିଚୟ। ନିଜ ପ୍ରେମରେ ବାନ୍ଧି ରଖିବାର କଳା ତାଙ୍କ ଗୀତରୁ ହିଁ ଜାଣିହୁଏ । କେତେବେଳ ସେ ସାଜିଛନ୍ତି ଯାଯାବର ତ ଆଉ କେବେ ସ୍ବପ୍ନର ସୌଦାଗର। କେବେ ଫଗୁଣକୁ ବିଦାୟ ଦେଇଛନ୍ତି ତ କେବେ ପ୍ରେମିକାର ବାରିଆଡ଼େ ସେ ବାଇଡଙ୍କ ସାଜିଛନ୍ତି, କେବେ କେବେ ଆଖିରେ ଲୁହ ଭରି ଦେଇଛନ୍ତି ତ ଆଉ କେବେ ପ୍ରେମରେ ଭରିଛନ୍ତି ସନ୍ଦେହ। ଗୀତରେ ହିଁ ନିଜ ସ୍ମୃୃତି ଛାଡ଼ି ଯାଇଛନ୍ତି ଭସାମେଘ ହୋଇ , ଭାସି ଯାଇଛନ୍ତି ଏକ ଅଫେରା ରାଇଜକୁ। କିନ୍ତୁ ଓଲିଉଡ ଜଗତକୁ ଦେଇ ଯାଇଛନ୍ତି ଅନେକ ଅପୂରଣୀୟ ଭେଟି।

Share