ପୁରୁଷମାନେ ବି କାର୍ଯ୍ୟସ୍ଥଳରେ ହିଂସା-ଉତ୍ପୀଡନର ହେଉଛନ୍ତି ଶିକାର…

ଜେନେଭା,୭।୧୨ : କର୍ମକ୍ଷେତ୍ରରେ ହିଂସା ଏବଂ ନିର୍ଯାତନା ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି। ବିଶେଷକରି ମହିଳା, ଯୁବବର୍ଗ, ପ୍ରବାସୀ ତଥା ଦୈନିକ ମଜୁରୀ କର୍ମଚାରୀମାନେ ଏହାର ସମ୍ମୁଖୀନ ହେଉଥିବର ନେଇ କର୍ମକ୍ଷେତ୍ରରେ ହିଂସା ଏବଂ ଉତ୍ପୀଡନ ଘଟଣାର ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ସର୍ଭେରେ ୧୨୧ ଟି ଦେଶରେ ପ୍ରାୟ ୭୫ ହଜାର କର୍ମଚାରୀ ଅନ୍ତର୍ଭୁକ୍ତ ହୋଇଥିଲେ।

ମିଳିତ ଜାତିସଂଘର ଅନ୍ତର୍ଜାତୀୟ ଶ୍ରମ ସଂଗଠନ, ଲାୟଡସ୍‌ ରେଜିଷ୍ଟର ଫାଉଣ୍ଡେଶନ ଏବଂ ଗେଲପ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସର୍ଭେରେ ୨୨ ପ୍ରତିଶତରୁ ଅଧିକ ଲୋକ କହିଛନ୍ତି ଯେ ସେମାନେ ଘଟଣା ସହ୍ୟ କରିଛନ୍ତି। ତିନୋଟି ସଂଗଠନର ଏହି ୫୬ ପୃଷ୍ଠାର ରିପୋର୍ଟ ଅନୁଯାୟୀ, କର୍ମକ୍ଷେତ୍ରରେ ହିଂସା ଏବଂ ନିର୍ଯାତନା ବ୍ୟାପକ ଏବଂ ଗଭୀର କ୍ଷତିକାରକ। ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ଉପରେ ଏହାର ଗୁରୁତର ପ୍ରଭାବ ପଡିଥାଏ। ଲୋକମାନେ ରୋଜଗାରର ଉତ୍ସ ହରାଇଥାନ୍ତି ଏବଂ ସେମାନଙ୍କର ବୃତ୍ତିଗତ ଜୀବନ ମଧ୍ୟ ବିପଦରେ ପଡିଥାଏ। ଏହା କର୍ମକ୍ଷେତ୍ର ଏବଂ ସମାଜ ପାଇଁ ଅର୍ଥନୈତିକ କ୍ଷତି ଘଟାଇଥାଏ। ସର୍ବେକ୍ଷଣ ଫଳାଫଳ ଅନୁଯାୟୀ, ଏକ ତୃତୀୟାଂଶ ଲୋକ କର୍ମକ୍ଷେତ୍ରରେ ହିଂସା କିମ୍ବା ନିର୍ଯାତନା ଭୋଗୁଥିବାବେଳେ ୬.୩ ପ୍ରତିଶତ ଲୋକ କର୍ମକ୍ଷେତ୍ରରେ ଶାରୀରିକ, ମାନସିକ ଏବଂ ଯୌନ ହିଂସା ତଥା ନିର୍ଯାତନାର ଶିକାର ହୋଇଥିବାର କହିଛନ୍ତି। ରିପୋର୍ଟ ଅନୁଯାୟୀ, ସର୍ବାଧିକ ସଂଖ୍ୟକ ମାନସିକ ହିଂସା ଏବଂ ନିର୍ଯାତନା ମାମଲା ରିପୋର୍ଟ କରାଯାଇଥିଲା। ୧୭.୯ ପ୍ରତିଶତ କର୍ମଚାରୀ ସେମାନଙ୍କ କାର୍ଯ୍ୟସ୍ଥଳରେ ଏହା ଅନୁଭବ କରିଥିବାର କହିଥିଲେ।

ପୁରୁଷମାନେ ମଧ୍ୟ ଶାରୀରିକ ହିଂସା ଏବଂ ର୍ନିଯାତନାର ଶିକାର ହେଉଛନ୍ତି। ସର୍ବେକ୍ଷଣ କରାଯାଇଥିବା ପ୍ରାୟ ୮.୫ ପ୍ରତିଶତ ଲୋକ କହିଛନ୍ତି ଯେ ସେମାନେ କର୍ମକ୍ଷେତ୍ରରେ ଶାରୀରିକ ହିଂସା ଏବଂ ନିର୍ଯାତନା ଭୋଗୁଛନ୍ତି। ଏହି ପ୍ରକାର ନିର୍ଯାତନା ଭୋଗୁଥିବା ପୁରୁଷଙ୍କ ସଂଖ୍ୟା ମହିଳାଙ୍କ ତୁଳନାରେ ଅଧିକ। ଏହା ବ୍ୟତୀତ ପ୍ରାୟ ୬.୩ ପ୍ରତିଶତ ଲୋକ ଯୌନ ହିଂସା ଏବଂ ନିର୍ଯାତନାର ଶିକାର ହୋଇଥିବାର କହିଥିଲେ। ସେମାନଙ୍କ ମଧ୍ୟରୁ ୮.୨ ପ୍ରତିଶତ ମହିଳା ଥିବାବେଳେ ୫ ପ୍ରତିଶତ ପୁରୁଷ ଥିଲେ।

Share