ନୂଆଦିଲ୍ଲୀ,୧୦।୭: କରୋନା ମହାମାରୀ ଏବେ ସାରା ବିଶ୍ୱର ଚିନ୍ତାକୁ ବଢାଇ ଦେଇଥିବା ବେଳେ ଦେଶରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ଛୁଇଁବାକୁ ଯାଉଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ୨୬,୫୦୬ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ସୁଦ୍ଧା ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୧ ହଜାର ଅତିକ୍ରମ କରି ସାରିଲାଣି। ଆହୁରି ମଧ୍ୟ ଲକ୍ଷ୍ୟ କରାଯାଇଛି କି ଦେଶରେ କାରୋନା ସଂକ୍ରମଣ ହାରକୁ ଦେଖିଲେ ମହିଳାଙ୍କ ଅପେକ୍ଷା ପୁରୁଷ ଅଧିକ ମାତ୍ରାରେ ଏଥିରେ ସଂକ୍ରମିତ ହେଉଛନ୍ତି। ଏବେ ପର୍ଯ୍ୟନ୍ତ ଦେଶରେ ପ୍ରାୟ ୩୪.୯୮ ପ୍ରତିଶତ ମହିଳା ସଂକ୍ରମିତ ହୋଇଥିବା ବେଳେ ୬୫.୧୧ ପ୍ରତିଶତ ପୁରୁଷ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଅର୍ଥାତ୍ ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା ଦୁଇ ଗୁଣା ଅଧିକ ବୋଲି କୁହାଯାଉଛି। ଅନ୍ୟପଟେ ୧୯-୩୫ ବର୍ଷ ବୟସର ଲୋକେ କରୋନା ଭାଇରସ ଦ୍ୱାରା ଅଧିକ ମାତ୍ରାରେ ସଂକ୍ରମିତ ହେଉଛନ୍ତି। ଏହାପରେ ଆସୁଛନ୍ତି ୩୫-୫୦ ବର୍ଷ ବୟସର ବ୍ୟକ୍ତି। ତେବେ ୧୦-୧୮ ବର୍ଷ ବୟସ ମଧ୍ୟରେ କମ୍ ସଂଖ୍ୟକ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ସୂଚନା ରହିଛି।