Categories: ଜାତୀୟ

ପୁରୁଷ ଦର୍ଜି ନେଲେ ମହିଳା ପୋଲିସଙ୍କ ପୋଷାକ ମାପ, ମହିଳା ଆୟୋଗର ଆପତ୍ତି…

ହାଇଦ୍ରାବାଦ୍‌, ୮।୨ : ଆନ୍ଧ୍ରପ୍ରଦେଶରେ ପୁରୁଷ ଦର୍ଜି ମହିଳା ପୋଲିସଙ୍କ ପୋଷାକ ମାପ ନେବା ମାମଲା ସାମ୍ନାକୁ ଆସିଛି। ଇତିମଧ୍ୟରେ ଏହା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି କାରଣରୁ ଶାସକ ଦଳ ବିରୋଧି ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ ମହିଳା ଆୟୋଗରେ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ହୋଇଛି।

ମାପ ନେଇଥିବା ହେଡ କନଷ୍ଟେବଳଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଏ ବାବଦରେ ଏସପିଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି ରାଜ୍ୟ ମହିଳା ଆୟୋଗ। ଏକ ସରକାରୀ ପ୍ରକାଶନରେ କୁହାଯାଇଛି ଯେ ଏସପି ଆୟୋଗର ଚେୟାରମ୍ୟାନ୍‌ଙ୍କୁ ଏପରି ଘଟଣା ଯେପରି ପୁନରାବୃତ୍ତି ନ ହେବ ସେ ନେଇ ଆଶ୍ୱାସନା ଦେଇଛନ୍ତି।

ଦାୟୀ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସେ କହିଛନ୍ତି। ଏହି ଘଟଣାରେ ରାଜ୍ୟର ମହିଳା ନେତାମାନେ କ୍ରୋଧ ପ୍ରକାଶ କରିଛନ୍ତି। ତେଲୁଗୁ ଦେଶମ ମହିଳା ମୋର୍ଚ୍ଚାର ସଭାପତି ଓ୍ବଙ୍ଗଲପୁଡି ଅନୀତା ଏହି ଘଟଣାକୁ ନିନ୍ଦା କରିବା ସହ ଏହାକୁ ଲଜ୍ଜାଜନକ ବୋଲି କହିଛନ୍ତି। ଅନୀତା ରାଜ୍ୟ ଗୃହମନ୍ତ୍ରୀ ଏମ୍‌.ସୁଚରିତାଙ୍କୁ କହିଛନ୍ତି ଯେ ଜଣେ ମହିଳା ଭାବରେ ତୁମେ ଦେଖିବା ଉଚିତ ଯେ ତୁମର ମହିଳାମାନଙ୍କର ସମ୍ମାନ ସୁରକ୍ଷିତ ଅଛି କି ନାହିଁ ?

ବିନା ଅନୁମତିରେ ଅଧିକାରିକ ଅଞ୍ଚଳରେ ପ୍ରବେଶ କରିବା ଏବଂ ଫଟୋ ଉଠାଇଥିବା ଅଜଣା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବା ଏସପିଏସ ନେଲୋର ପୋଲିସ ଟୁଇଟ କରି ସୂଚନା ପ୍ରଦାନ କରିଛନ୍ତି। ଜିଲାର ଏସପି ଘଟଣାସ୍ଥଳରେ ପହଞ୍ଚି ଘଟଣାର ସମୀକ୍ଷା କରିଛନ୍ତି। ଅତିରିକ୍ତ ଏସପି (ପ୍ରଶାସନ) ଜଣେ ମହିଳା ସବ-ଇନ୍ସପେକ୍ଟରଙ୍କ ତତ୍ତ୍ୱାବଧାନରେ ମହିଳା ଦର୍ଜିଙ୍କୁ ମାପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share