Categories: ଜାତୀୟ

ଋତୁସ୍ରାବ ଛାତ୍ରୀଙ୍କୁ ଚାରାରୋପଣ ଅନୁମତି ମିଳିଲା ନାହିଁ

ନାଶିକ୍‌,୨୮।୭: ମହାରାଷ୍ଟ୍ରର ନାଶିକ ଜିଲା ଅନ୍ତର୍ଗତ ଏକ ସରକାରୀ ବୋର୍ଡିଂ ସ୍କୁଲ୍‌ରେ ଚାରା ରୋପଣ ଅଭିଯାନ ବେଳେ ଋତୁସ୍ରାବ ହୋଇଥିବା ୧୨ ଛାତ୍ରୀଙ୍କୁ ଜଣେ ପୁରୁଷ ଶିକ୍ଷକ ଚାରା ରୋପଣ ପାଇଁ ଅନୁମତି ଦେଇ ନ ଥିବା ଅଭିଯୋଗ ହୋଇଛି। ମାସିକ ଧର୍ମ ସମୟରେ ଛାତ୍ରୀମାନେ ଚାରା ରୋପଣ କଲେ ତାହା ବଢ଼ିବ ନାହିଁ ଓ ଜଳିଯିବ ବୋଲି ଶିକ୍ଷକ ଜଣକ କହିଥିବା ଜଣେ ଆଦିବାସୀ ଛାତ୍ରୀ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ଏହି ଖବର ପ୍ରକାଶ ପାଇବା ପରେ ଆଦିବାସୀ ଉନ୍ନୟନ ବିଭାଗ ଏହାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର ନାଶିକ ଅତିରିକ୍ତ ଜିଲାପାଳ ଏବଂ ଟିଡିଡି ପ୍ରୋଜେକ୍ଟ ଅଫିସର ବର୍ଷା ମୀନା ତ୍ରୈମ୍ବକେଶ୍ୱର ତାଲୁକା ଅନ୍ତର୍ଗତ ଉକ୍ତ ଆଶ୍ରମ ସ୍କୁଲ୍‌କୁ ଯାଇ ଛାତ୍ରୀ ଜଣଙ୍କୁ ଭେଟି ସମସ୍ୟା ସମ୍ପର୍କରେ ବୁଝିଥିଲେ। ଗଛ ଲଗାଇବା ସୁଯୋଗ ନ ପାଇବାରୁ ଛାତ୍ରୀ ଜଣକ ଶ୍ରମଜୀବୀ ସଂଗଠନର ଜିଲା ସମ୍ପାଦକ ଭଗଓ୍ବାନ ମାଧେଙ୍କୁ ଭେଟି ଅଭିଯୋଗ କରିଥିଲେ। ନିୟମ ନ ଥିବା ସତ୍ତ୍ୱେ ଉକ୍ତ ସ୍କୁଲ୍‌ରେ ନାମଲେଖା ବେଳେ ୟୁରିନ୍‌ ପ୍ରେଗ୍ନାନ୍ସି ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି ଓ ଏଥିପାଁଇଁ ଛାତ୍ରୀମାନଙ୍କୁ ଖର୍ଚ୍ଚ ଦେବାକୁ ପଡ଼ିଥାଏ ବୋଲି ମାଧେ ଅଭିଯୋଗ କରିଛନ୍ତି।

 

Share