Categories: ଜାତୀୟ

ଅଭିଯୁକ୍ତଙ୍କ ମାନସିକ ସ୍ବାସ୍ଥ୍ୟ ଯାଞ୍ଚ୍‌ ଜରୁରୀ, ହାଇକୋର୍ଟଙ୍କ ଗୁରୁତ୍ୱାରୋପ…

ଚେନ୍ନାଇ,୨୦।୧୧: ମାନସିକ ସମସ୍ୟା ରହିଥିବା ଅଭିଯୁକ୍ତଙ୍କ ଯାଞ୍ଚ୍‌ ଜରୁରୀ। ପ୍ରଥମେ ସେମାନଙ୍କୁ ଆବଶ୍ୟକ ମାନସିକ ସ୍ବାସ୍ଥ୍ୟ ଯାଞ୍ଚ୍‌ ସୁବିଧା ଉପଲବ୍ଧ କରାଇବା ଆବଶ୍ୟକ ବୋଲି ପୋଲିସ, ଜେଲ୍‌ ଅଧିକାରୀ ଏବଂ ରିମାଣ୍ଡିଙ୍ଗ୍‌ ମାଜିଷ୍ଟ୍ରେଟ୍‌ଙ୍କ ଉଦ୍ଦେଶ୍ୟରେ ମାଡ୍ରାସ୍‌ ହାଇକୋର୍ଟଙ୍କ ମଦୁରାଇ ଖଣ୍ଡପୀଠଙ୍କ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ମାନସିକ ସ୍ବାସ୍ଥ୍ୟ ଅଧିନିୟମ ଧାରା ୨୦(୧) ଅନ୍ତର୍ଗତ ମାନସିକ ସମସ୍ୟା ଭୋଗୁଥିବା ପ୍ରତ୍ୟେକ ଅଭିଯୁକ୍ତଙ୍କୁ ସମ୍ମାନର ସହିତ ବଞ୍ଚିବାର ଅଧିକାର ରହିଛି ବୋଲି ଖଣ୍ଡପୀଠ କହିଛନ୍ତି।

ବିଚାରପତି ଜି.ଆର୍‌. ସ୍ବାମୀନାଥନ୍‌ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଗିରଫ ହୋଇଥିବା ବ୍ୟକ୍ତିଙ୍କ ପ୍ରୋଫର୍ମାରେ ମାନସିକ ସ୍ବାସ୍ଥ୍ୟର ସ୍ତମ୍ଭ ରହିବା ଆବଶ୍ୟକ। ଏହି ସ୍ତମ୍ଭରେ ସୂଚନା ଔପଚାରିକ ପ୍ରଶ୍ନ ନୁହେଁ ଡାକ୍ତରଙ୍କ ଯାଞ୍ଚ୍‌ ଅନୁସାରେ ପୂରଣ କରାଯିବା ଜରୁରୀ। ଏହା ସହିତ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କୀୟ ଅବା ବନ୍ଧୁବାନ୍ଧବଙ୍କ ସହିତ କଥାବାର୍ତ୍ତା ହେବା ଉପରେ ଖଣ୍ଡପୀଠ ଗୁରୁତ୍ୱାରୋପ କରିଛନ୍ତି।

ଜଣେ ଅପରାଧୀଙ୍କ ସ୍ତ୍ରୀଙ୍କ ପକ୍ଷରୁ ଏନେଇ ହୋଇଥିବା ଆବେଦନର ବିଚାର କରି ଖଣ୍ଡପୀଠ ଏପରି କହିଛନ୍ତି। ସମ୍ପୃକ୍ତ ମହିଳାଙ୍କ ସ୍ବାମୀଙ୍କ ମାନସିକ ଯାଞ୍ଚ୍‌ ପାଇଁ ଆବେଦନରେ ଉଲ୍ଲେଖ କରାଯାଇଥିଲା। ଏହାର ବିଚାର କରି ଖଣ୍ଡପୀଠ ମାନସିକ ସମସ୍ୟାକୁ ଟାଇମ୍‌ ବମ୍‌ ସହିତ ତୁଳନା କରିଛନ୍ତି। ପ୍ରଥମେ ଏହାର ଚିକିତ୍ସା କରାଯିବା ଜରୁରୀ ବୋଲି ଖଣ୍ଡପୀଠ କହିଛନ୍ତି।

Share