ପୁରୁଣା ଭୁବନେଶ୍ୱର,୨୬।୮(ଡି.ଏନ୍.ଏ.):ଶ୍ରୀଲିଙ୍ଗରାଜ ମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ବେଳେ ଗୁରୁବାର ଏକ ଅଘଟଣ ଘଟିଛି। ରାତି ପ୍ରାୟ ୮ଟା ସମୟରେ ଠାକୁରଙ୍କ ବଡ଼ସିଂହାର ବେଶ ଚାଲିଥିବା ବେଳେ ହଠାତ୍ ଜଣେ ମାନସିକ ବିକୃତ ଲୋକ ମନ୍ଦିର ଭିତରକୁ ପଶିଯାଇଥିଲେ। ଆଶ୍ଚର୍ଯ୍ୟର କଥା ସେବାୟତ ଏବଂ ସୁରକ୍ଷା କର୍ମୀ ମନ୍ଦିର ଫାଟକ ନିକଟରେ ଥିବାବେଳେ ଏହି ଲୋକଟି ଅକ୍ଲେଶରେ ମନ୍ଦିରର କୋଠ ରୋଷ ଘରେ ପଶିଯାଇଥିଲେ। ସେଠାରେ ଥିବା ଠାକୁରଙ୍କ ଅମୁଁଣିଆ ପିଠା ଭୋଗ ଧରି ଖାଇ ଖାଇ ଫେରୁଥିଲେ। ଏହା ବାହାରେ ଥିବା ସେବାୟତମାନେ ଦେଖି ତାଙ୍କୁ ଅଟକାଇ ଥିଲେ। ହେଲେ ସେ ଠିକ୍ ଭାବେ କଥା ନ କହିବାରୁ ଛାଡ଼ି ଦେଇଥିଲେ। ଫଳରେ ଠାକୁରଙ୍କ ନୀତିରେ ସଂସ୍କାର କରାଯାଇ ପୁନଃ ଠାକୁରଙ୍କ ପାଇଁ ଦହି ପଖାଳ ଲାଗି କରାଯାଇଥିଲା।