Categories: ଜାତୀୟ

୩ ଦିନ ହେଲା ରାଜଧାନୀ ଦିଲୀରେ ଖସୁଛି ପାରଦ: ଚିନ୍ତା ବଢାଉଛି ଘନ କୁହୁଡ଼ି

ନୂଆଦିଲ୍ଲୀ,୧୫।୧: ରାଜଧାନୀ ଦିଲ୍ଲୀରେ କିଛି ଦିନ ହେଲା ପ୍ରବଳ ଥଣ୍ଡା ଅନୁଭୁତ ହେଉଛି। ପାଣିପାଗ ବିଭାଗ ପକ୍ଷରୁ ସୂଚନା ମୁତାବକ, ସୋମବାର ଦିଲ୍ଲୀର ସଫଦରଜଙ୍ଗରେ ସର୍ବନିମ୍ନ ତାପମାତ୍ରା ୩.୩ଡିଗ୍ରୀକୁ ଖସି ଆସିଛି। ଏପରିକି ଲୋଧି ରୋଡ଼ରେ ତାପମାତ୍ରା ୩.୧ ଡିଗ୍ରୀକୁ ହ୍ରାସ ପାଇଛି।

ଘନ କୁହୁଡ଼ି ଯୋଗୁ ଗତ କିଛି ଦିନ ମଧ୍ୟରେ ଜାତୀୟ ରାଜଧାନୀର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇଛି। ରବିବାର ଦିଲ୍ଲୀରେ ସଫଦରଜଙ୍ଗରେ ସର୍ବନିମ୍ନ ତାପମାତ୍ରା ୩.୫ ଡିଗ୍ରୀ ଏବଂ ଲୋଡି ରୋଡରେ ୩.୪ ଡିଗ୍ରୀ ରହିଥିଲା

ଶୁକ୍ରବାର ଦିଲ୍ଲୀରେ ତାପମାତ୍ରା ୪ ଡିଗ୍ରୀ ତଳକୁ ଖସି ଆସିଥିବା ବେଳେ ରାଜଧାନୀବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଶନିବାର, ରବିବାର, ସୋମବାର ମଧ୍ୟ ଦିଲ୍ଳୀରେ ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡି ଦେଖିବାକୁ ମିଳିଛି।

ଅନ୍ୟପକ୍ଷେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ୧୦୦ରୁ ଅଧିକ ବିମାନ ବିଳମ୍ବ ହୋଇଛି। ଭାରତ ପାଣିପାଗ ବିଭାଗ (ଆଇଏମ୍‌ଡି) ର ସକାଳ ବୁଲେଟିନ ଅନୁଯାୟୀ, ବିମାନବନ୍ଦର ଏବଂ ରାଜଧାନୀର ଅଧିକାଂଶ ସ୍ଥାନରେ ଦୃଶ୍ୟମାନତା ଶୂନ ନିକଟରେ ଥିଲା।
ଘନ କୁହୁଡ଼ି ପରିସ୍ଥିତି ମଧ୍ୟରେ ଦିଲ୍ଲୀ ବିମାନବନ୍ଦର ଯାତ୍ରୀମାନଙ୍କ ପାଇଁ ଏକ ପରାମର୍ଶ ଜାରି କରି ଯାତ୍ରା ପୂର୍ବରୁ ବିମାନ ସେବା ସହ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି।

Share