ତାତିରୁ ମିଳୁନି ତ୍ରାହି

ଅନୁଗୋଳ ଅଫିସ,୨୧ା୪: ସକାଳୁ ହେଉଛି ମୁଣ୍ଡଫଟା ଖରା। ଅସହ୍ୟ ହୋଇପଡ଼ୁଛି ତାତି। ମଧ୍ୟାହ୍ନରେ ଝାଞ୍ଜି ପବନ ଯୋଗୁ ଆଉଟୁପାଉଟୁ ହେଉଛନ୍ତି ଅନୁଗୋଳବାସୀ। ଦିନକୁ ଦିନ ପାରଦ ବଢ଼ିଚାଲିଥିବା ବେଳେ କାଳବୈଶାଖୀର ଦେଖା ନ ଥିବାରୁ ତାତିରୁ ତ୍ରାହି ପାଉନାହାନ୍ତି ସହରବାସୀ। ଗତ ୩ ଦିନ ହେବ ଅନୁଗୋଳରେ ପାରଦ ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଗୁରୁବାର ୪୨.୧ ଡିଗ୍ରୀ ରହିଥିଲା। କିନ୍ତୁ ଝାଞ୍ଜି ପବନ ଯୋଗୁ ଦିନତମାମ ଅହସ୍ୟ ତାତି ଅନୁଭୂତ ହୋଇଥିଲା। ସକାଳ ୮ଟାରୁ ସହର ତାତି ଉଠୁଥିବାରୁ ପୂର୍ବାହ୍ନରୁ ହିଁ ଖାଁ ଖାଁ ହୋଇଯାଉଛି ପରିବେଶ। ମଧ୍ୟାହ୍ନରେ ଜନଶୂନ୍ୟ ହୋଇଯାଉଛି ସଡ଼କ। ଅତି ଜରୁରୀ କାର୍ଯ୍ୟ ନ ଥିଲେ ଲୋକେ ବାହାରକୁ ଯାଉ ନ ଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ଏ ନେଇ ଘନ ଘନ ସତର୍କତା ଜାରି କରାଯାଉଛି। ବାହାରକୁ ଯାଉଥିଲେ ସାଙ୍ଗରେ ଛତା, ପାଣି, ଗାମୁଛା ଆଦି ନେବାକୁ ସଚେତନ କରାଯାଉଛି।