ମାନେକା ଗାନ୍ଧୀ
ଜୀବେ ଦୟା ବା ଦୟାପ୍ରଦର୍ଶନ କରିବା କୌଣସି ଅଭିରୁଚି ନୁହେଁ କି ମଣିଷ ଭଲ ମନଃସ୍ଥିତିରେ ଥିଲେ, ପେଟରେ ଭୋକ ନ ଥିଲେ କିମ୍ବା ବନ୍ଧୁମାନଙ୍କ ଗହଣରେ କିଛି ଭଲ କାମ କରିବାକୁ ବି ଦୟା କୁହାଯାଏ ନାହିଁ। ଏହା ଏପରି ଏକ ମାନସିକତା ତଥା ଦୁଃସ୍ଥ ମଣିଷଙ୍କ ପ୍ରତି ନିଜର ଉନ୍ମୁଖୀକରଣ ,ଯାହା ଚାରୋଟି ପରିସ୍ଥିତି ଉପରେ ନିର୍ଭରଶୀଳ- ଦୁଃସ୍ଥ ମଣିଷଙ୍କୁ ଠାବ କରିବା, ନିଜର ମାନସିକତାକୁ ସେମାନଙ୍କ ସ୍ଥିତି ସହ ସଂଯୁକ୍ତ କରିବା, ସେମାନଙ୍କର ଆବଶ୍ୟକ ସହାୟତା ସମ୍ପର୍କରେ ଜାଣିବା ଏବଂ ସେହି ବ୍ୟକ୍ତିଙ୍କୁ ଦୁଃସ୍ଥିତିରୁ ମୁକାଳିବା ନିମନ୍ତେ ନିଜକୁ ପ୍ରସ୍ତୁତ କରିବା।
ମଣିଷର ହୃଦୟ କେତୋଟି ମାଂସପେଶୀର ସମାହାର। ଏହାର କାର୍ଯ୍ୟଶୈଳୀ ସୁଚାରୁରୂପେ ପରିଚାଳିତ ନ ହେଲେ ହୃଦୟର ଅବକ୍ଷୟ ଘଟିବା ନିଶ୍ଚିତ। ଶିଶୁଟିଏ ଜନ୍ମରୁ ମଣିଷ ଏବଂ ଅନ୍ୟପ୍ରାଣୀଙ୍କ ପ୍ରତି ସ୍ନେହଭାବ ସମ୍ପନ୍ନ ହୋଇଥାଏ। ତେବେ ତିନିବର୍ଷର ହେବାବେଳକୁ ପିତାମାତା ସେମାନଙ୍କ ମନରେ ଦୟାର୍ଦ୍ରଭାବ ପ୍ରତି ଏକପ୍ରକାର ଭୟ ସୃଷ୍ଟି କରାଇ ସାରିଥାନ୍ତି। ଫଳରେ ଶିଶୁ ମନରୁ କରୁଣା ଉଭେଇ ଯାଏ। ତେବେ ସେ ପୁଣି ନିଜକୁ ସେହି ଭାବ ସହ ପୁନଃସ୍ଥାପିତ କରିପାରିବ।
ଅବଶ୍ୟ ମଣିଷ ମନରେ ଏପରି ଭାବନା ଉଦ୍ରେକ ପାଇଁ ଏକ ପାଠ୍ୟକ୍ରମର ବି ବ୍ୟବସ୍ଥା କରାଯାଇଛି। ବୈଜ୍ଞାନିକ ଗବେଷଣା ଭିତ୍ତିିରେ ଷ୍ଟାନ୍ଫୋର୍ଡ ବିଶ୍ୱବିଦ୍ୟାଳୟର ସେଣ୍ଟର ଫର କମ୍ପାସନ୍ ଆଣ୍ଡ୍ ଅଲ୍ଟ୍ରୁଇଜ୍ମ ରିସର୍ଚ୍ଚ ଆଣ୍ଡ୍ ଏଜୁକେଶନ୍ରେ ଗବେଷକ ଡ. ଥୁପ୍ତେନ ଜିନ୍ପା ଏବଂ ତାଙ୍କ ସହଯୋଗୀମାନେ ଦୟା ବା କରୁଣା ଭାବ ଉଦ୍ରେକ କରାଇବା ଲାଗି ଏକ ଦୁଇମାସିଆ ପାଠ୍ୟକ୍ରମ ଆରମ୍ଭ କରିଛନ୍ତି । ଯଦି ମୁଁ ଶିକ୍ଷା ବିଭାଗର ମନ୍ତ୍ରୀ ହୋଇଥାନ୍ତିି, ତେବେ ନିଶ୍ଚୟ ଏହି ପାଠ୍ୟକ୍ରମ ବାଧ୍ୟତାମୂଳକ କରିଥାନ୍ତିି। ଆହୁରି ମଧ୍ୟ ଏକ ପାଠ୍ୟକ୍ରମ ରହିଛି- ଗ୍ରେଟ୍ ଗୁଡ ଇନ୍ ଆକ୍ସନ (ଜିଜିଆଇଏ)। ଏହା ମଣିଷର ମାନସିକତାର ବ୍ୟାୟାମ କରାଇଥାଏ। ଏହି ବ୍ୟାୟାମ ଯେତେ ଅଧିକ କରାଯିବ, ସେତେ ତ୍ୱରିତ ବେଗରେ ମଣିଷର ହୃଦୟ ଏବଂ ମନ ବିସ୍ତାର ଲାଭ କରିପାରିବ। ଏ କ୍ଷେତ୍ରରେ ଛୋଟଛୋଟ ପଦକ୍ଷେପ ମଧ୍ୟ ବେଶ୍ ସହାୟକ ହୋଇଥାଏ। ଯଦି ଶାରୀରିକ ବ୍ୟାୟାମ ସାରଣୀରେ ଦିନକୁ ୧୦ ହଜାର ପାଦ ଚାଲିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଏବଂ ତୁମେ କେବଳ ୩ ହଜାର ପାଦ ଚାଲିପାରିଛ, ତେବେ ମଧ୍ୟ ଏହା କିଛି ନ କରିବାଠାରୁ ଶ୍ରେୟସ୍କର ହୋଇଥାଏ।
ନିଜ କାମଗୁଡିକୁ ଦୃଷ୍ଟିଦେବା ଆରମ୍ଭ କର: କେତେବେଳେ ତୁମେ ସ୍ବତଃସ୍ଫୂର୍ତ୍ତ ଭାବେ ଅନ୍ୟମାନଙ୍କ ପ୍ରତି ସହୃଦୟ ହେଉଛ? ଯେତେବେଳେ କୌଣସି ଦୁର୍ଘଟଣା ସମ୍ପର୍କିତ ଖବର ଦେଖୁଛ, ସେତେବେଳେ ଦେଖିବା ଛଡା ତୁମେ ତା’ଉପରେ ଅଧିକ କ’ଣ କରୁଛ? ଯେତେବେଳେ ତୁମେ କୌଣସି ପ୍ରକାର ଦୁଃଖ ଓ ଯନ୍ତ୍ରଣାକୁ ସାରାଦିନ ଏଡାଇ ଯାଉଛ? ଥରେ ତୁମେ ନିଜର ଚିନ୍ତନ ପ୍ରତି ସଚେତନ ହେବା ଆରମ୍ଭ କଲେ, ଧୀରେ ଧୀରେ ପରିବର୍ତ୍ତନ ଆସିଯିବ। ଏଣିକି ଶପିଂ ମଲରେ କ୍ୟାଶିୟରଙ୍କ କାର୍ଯ୍ୟଚାପକୁ ଥରୁଟିଏ ଉପଲବ୍ଧି କର କିମ୍ବା ଜିନିଷଗୁଡିକୁ ଥାକରେ ସଜାଇ ରଖୁଥିବା କର୍ମଚାରୀଙ୍କ ପରିଶ୍ରମକୁ ଅନୁଭବ କର। ଅନ୍ତତଃ ପ୍ରଶଂସାର କଥା ପଦେ କୁହ। ଥରେ ଅଧେ ମୋର ବି ମନେଅଛି, ମୁଁ ବି ଗର୍ବର ସହ କହିବି ଯେ ଏହା ମୋ ଭିତରେ ସ୍ବାଭାବିକ ଭାବେ ଆସିଥିଲା ,ଯେତେବେଳେ ମୋ କାର୍ ଟ୍ରାଫିକ ସିଗନାଲରେ ଛିଡା ହୋଇଥିଲା ଆଉ ମୁଁ ପିଇବା ପାଣି ବୋତଲ ଖୋଲୁଥିଲି। ସେତେବେଳେ ମୁଁ ଲକ୍ଷ୍ୟ କଲି ରୋଡ୍ ଡିଭାଇଡରେ ଲଗାଯାଇଥବା ଗୋଟିଏ ଗଛ ଖରା ଧାସରେ ମୃତ ପ୍ରାୟ ଅବସ୍ଥାରେ ଥିଲା। ମୁଁ କାର ବାହାରକୁ ଆସିଲି ଆଉ ତା’ ମୂଳରେ ପାଣି ମୁନ୍ଦେ ଦେଇ ତା’କୁ ସତେଜ ହେବା ଯାଏ ଅପେକ୍ଷାରେ ରହିଲି। ସେ ସମୟରେ କେବଳ ତାକୁ ଚାହଁି ରହିଥିଲି ଓ ତାହା ହିଁ ମୋତେ ଆନନ୍ଦ ଦେଉଥିଲା।
ତୁମେ ଯେତେବେଳେ ନିଜ ପାଇଁ କିଛି କରିବା ବଦଳରେ ଅନ୍ୟ ପ୍ରାଣୀମାନଙ୍କ ଲାଗି ସ୍ବତଃସ୍ଫୂର୍ତ୍ତ ଭାବେ କିଛି କରିଥାଅ ସେତେବେଳେ ଅଧିକ ଆନନ୍ଦ ପାଇଥାଅ ଓ ଜଣା ପଡେ ତୁମେ ଠିକ୍ ମାର୍ଗରେ ଅଛ। ତୁମେ ସହୃଦୟତା ବା ଦୟା ଭଳି ଦିବ୍ୟ ଗୁଣର ଅଭ୍ୟାସ କର। ତୁମେ ବିଶ୍ୱ ପାଇଁ କ’ଣ ଚାହଁୁଛ? ଜୀବନ ପାଇଁ କ’ଣ ଅଭୀପ୍ସା ରଖିଛ? ତୁମ ପାଖରେ ଏ ବିଶ୍ୱକୁ ଦେବା ପାଇଁ କ’ଣ ଅଛି? ଏ ବାବଦରେ ମୁଁ କିଛି ପରାମର୍ଶ ଦେବାକୁ ଯାଉଛି, ଯାହା ଅଡୁଆ ଲାଗିଲେ ବି ତାହା ନିଶ୍ଚିତ ଭାବେ କାମ ଦେବ। ଅନ୍ୟମାନଙ୍କୁ ପ୍ରଶଂସା କରି ଉତ୍ସାହିତ କର, ଅନ୍ୟର ଗୋପନୀୟତାକୁ ସମ୍ମାନ ଦିଅ, ଅନ୍ୟ ପାଇଁ ନିଜ ଭାବନାର ଦ୍ୱାର ସବୁବେଳେ ଉନ୍ମୁକ୍ତ ରଖ, ସଚେତନ ରହି ଭଲ କାମ କରିବା ପାଇଁ ସମୟ ନିର୍ଦ୍ଧାରଣ କର, କିପରି ଥ୍ୟାଙ୍କ୍ୟୁ କହିବ ତାହା ଶିଖ, ସମବେଦନା ବା ସମଦର୍ଶୀ ଭାବର ଅଭ୍ୟାସ କର ଓ ସତର୍କତାର ସହ ଆଗକୁ ବଢ।
ତୁମର ପରିବର୍ତ୍ତନ ହେଉଛି କି? ତୁମେ ଦୂରେଇ ଯିବାର ବାହାନା କରିବା ବନ୍ଦ କରି ଦେଇଛ ତ? ପୃଥିବୀକୁ ଏକ ଯନ୍ତ୍ରଣାର ସ୍ଥାନ ଭାବେ ଦେଖି ତାହାକୁ ଏକ ଭଲ ସ୍ଥାନ କରିପାରିବା ଭଳି ଦୃଷ୍ଟିକୋଣ ତୁମଠାରେ ବିକାଶ ହୋଇଛି ?
ତୁମର ବ୍ୟବହାର ମଣିଷ ଓ ପ୍ରାଣୀମାନଙ୍କ ପ୍ରତି ଉତ୍ତମ ରହିଛି? ତୁମ ଜୀବନର ମୂଲ୍ୟବୋଧ ବୃଦ୍ଧି ହୋଇଛି? ଏହି ସବୁ ପ୍ରଶ୍ନଗୁଡିକୁ ଯଦି ତୁମେ ପସନ୍ଦ କରୁଛ ଓ କାର୍ଯ୍ୟରେ ସାକାର କରିବା ଲାଗି ଭାବୁଛ ତେବେ ଏ ସମ୍ପର୍କରେ ଏକ ଡାଏରୀ ମେଣ୍ଟେନ କର।
ଅନ୍ୟର ଦୁଃଖ ଦୂର କରିବା ହିଁ ଦୟା। ଜୀବନରେ କେବଳ ଏହାର ହିଁ ଗୁରୁତ୍ୱ ରହିଛି। ତୁମେ ତୁମ ପଡୋଶୀଙ୍କ ସହ ଝଗଡା କରିବା ସହଜ ଏବଂ ଲକଡାଉନ ସମୟରେ ହଜାର ହଜାର ଲୋକ ମଧ୍ୟ ତାହା ହିଁ କଲେ। ବର୍ଷାରୁ ରକ୍ଷାପାଇବା ଲାଗି ପାହାଚରେ ଆଶ୍ରୟ ନେଇଥିବା କୁକୁରଟିକୁ ଗୋଇଠା ମାରି ବାହାର କରିଦେବା ,ଗୋଟିଏ ଆଘାତପ୍ରାପ୍ତ ବାଘୁଣୀକୁ ମଣିଷଖିଆ ବୋଲି ଘୋଷଣା କରି ତାକୁ ଶିକାର କରିବା ,ଖାଦ୍ୟରେ ବମ୍ ପୂରାଇ ଗାଈର ମୁହଁକୁ ଶରୀରଠାରୁ ଅଲଗା କରିଦେବା ଓ ଗଛ କାଟିବା ବି ସହଜ ଥିଲା। ଏହାଦ୍ୱାରା ପୃଥିବୀ ଆଗକୁ ନା ପଛକୁ ଗଲା? ଭଲ ଅର୍ଥବ୍ୟବସ୍ଥା ପାଇଁ ହିଂସା ସବୁଠୁ ବଡ଼ ଝଟକା ଏବଂ ଏହା ମଧ୍ୟ ଦୟାର ସମ୍ପୂର୍ଣ୍ଣ ବିପରୀତ।
ଜଣେ ଏଡ୍ସ ରୋଗୀଙ୍କ ସହ ରାଜକୁମାରୀ ଡାଏନା ଲଗାତର ହ୍ୟାଣ୍ଡଶେକ୍ ଦୃଶ୍ୟ ସାରା ବିଶ୍ୱରେ ଏଡ୍ସ ରୋଗୀଙ୍କ ପ୍ରତି ଥିବା ମନୋଭାବକୁ ବଦଳାଇ ଦେଇଛି। ମଦର ଟେରେସା ସମ୍ପୂର୍ଣ୍ଣ ରୁଗ୍ଣ,କୁଷ୍ଠରୋଗୀ ତଥା ଗୃୃହହୀନ ମାନଙ୍କୁ ଆଲିଙ୍ଗନ କରିବା ବହୁ ଲୋକଙ୍କ ମନରେ ଦୟା ଭାବ ଉଦ୍ରେକ କରିଛି। ମାଂସାଶୀ ମାନଙ୍କ ପାଇଁ ଯେଉଁମାନେ କୃତ୍ରିମ ମାଂସ ପ୍ରସ୍ତୁତ କରିବା ଲାଗି କମ୍ପାନୀମାନ ଖୋଲିଛନ୍ତି ସେମାନଙ୍କ ମଧ୍ୟରେ ଥିବା ଦୟା ଭାବ ଯୋଗୁ ଏହା ହୋଇଛି। ଅର୍ଥାଭାବ ସତ୍ତ୍ୱେ ଯେଉଁମାନେ ଦୁର୍ଘଟଣାଗ୍ରସ୍ତ କିମ୍ବା ରୋଗଗ୍ରସ୍ତ ପ୍ରାଣୀମାନଙ୍କ ପାଇଁ ଆଶ୍ରୟସ୍ଥଳୀ ଖୋଲିଛନ୍ତି. ରକ୍ତଦାନ କରୁଛନ୍ତି, ବୋନମ୍ୟାରୋ ସମସ୍ୟାରେ ପୀଡିତଙ୍କ ପାଇଁ ବୋନମ୍ୟାରୋ ପ୍ରତିରୋପଣ ନିମନ୍ତେ ପ୍ରତିଷ୍ଠାନ ଖୋଲିଛନ୍ତି, ଅସହାୟଙ୍କୁ କିଛି ଟଙ୍କା ଦାନ କରୁଛନ୍ତି ଓ ଯେଉଁ ଏନ୍ଜିଓଗୁଡିକ ଦୁର୍ଗମ ଗାଁଗୁଡିକରେ ଲୋକମାନଙ୍କୁ ଚିକିତ୍ସା ସେବା ଚିକିତ୍ସା ଯୋଗାଇ ଦେଉଛନ୍ତି ସେମାନଙ୍କ ପାଇଁ ଏ ବିଶ୍ୱ ସବୁଠୁ ଭଲ, ସବୁଠୁ ସୁନ୍ଦର। କୌଣସି ଫଳ କାମନା ନ ରଖି ଏସବୁ ମଧ୍ୟରୁ ଅନ୍ତତଃ ତିନୋଟି ଭଲ କାମ କର ଏବଂ କେବଳ କୁହ ଯେ, ପ୍ରାପ୍ତକର୍ତ୍ତା ହିଁ ତିନୋଟି ଭଲ କାମ କରିଥାନ୍ତି। ବହୁ ବର୍ଷ ତଳେ ମୁଁ ଓ ମୋ ମା’ ଲ୍ୟାରି କିଙ୍ଗ୍ଙ୍କ ଟିଭି ଶୋ ଦେଖୁଥିଲୁ। ସେଦିନ ଶୋରେ ଅତିଥି ଥିଲେ ବିଶ୍ୱ ପ୍ରସିଦ୍ଧ ସନ୍ଥ ତଥା ଭବିଷ୍ୟକାର ଜିନେ ଡିକ୍ସନ। ସେ କହିଲେ ଯେ, ପୃଥିବୀକୁ ବିଶ୍ୱର ନର୍କ ଭାବେ ନାମିତ କରାଯାଇଥିଲା। ଅନ୍ୟ କୌଣସି ଗ୍ରହରେ କୌଣସି ପ୍ରକାର ହିଂସା କିମ୍ବା ଅପରାଧ କରୁଥିବା ପ୍ରତ୍ୟେକ ଜୀବଙ୍କୁ ଏଠାକୁ ପଠାଇ ଦିଆଯାଉଥିଲା ଏବଂ ସେଥିପାଇଁ ପୃଥିବୀର ପ୍ରତ୍ୟେକ ଜୀବ ଲଗାତର ଯନ୍ତ୍ରଣା ଭୋଗ କରୁଥିଲେ। ଏବଂ ଆମେ ନିଜକୁ ପରିବର୍ତ୍ତନ ନ କରିବା ଯାଏ ଏମିତି ଜୀବନ ଚକ୍ରରେ ବାରମ୍ବାର ଫେରୁଥିବା ଓ ଯନ୍ତ୍ରଣା ଭୋଗ କରୁଥିବା। ଏଥିରୁ ମୁକୁଳିବାର ଏକମାତ୍ର ବାଟ ହେଉଛି ଦୟା, ସବୁ କିଛି ଉପରକୁ ଉଠି ଆମକୁ ଦୟାଳୁ ହେବାକୁ ପଡିବ। ଏଠାର ଯନ୍ତ୍ରଣାର ପରିଧିରୁ ମୁକ୍ତ ହେବାକୁ ତୁମେ ଚାହଁ କି? ମୁଁ କିନ୍ତୁ ଚାହେଁ।
Email: gandhim@nic.in