Categories: ଜାତୀୟ

‘କିଛି ଦିନ ଏକାଠି ରହିବା ଲିଭ୍‌-ଇନ୍‌ ରିଲେସନଶିପ୍‌ ନୁହେଁ’

ଚଣ୍ଡିଗଡ଼, ୧୬ା୧୨: ଯଦି ଦୁଇ ପ୍ରାପ୍ତବୟସ୍କ ଯୁବତୀ ଯୁବକ କିଛି ଦିନ ପାଇଁ ସହମତିରେ ଏକାଠି ରୁହନ୍ତି, ତେବେ ତାହାକୁ ଲିଭ୍‌-ଇନ୍‌ ରିଲେସନଶିପ୍‌ କୁହାଯାଇପାରିବ ନାହିଁ। କେତେ ଦିନ ପର୍ଯ୍ୟନ୍ତ ସେମାନେ ଏକାଠି ରହୁଛନ୍ତି, ଜଣେ ଅନ୍ୟ ଜଣଙ୍କ ପ୍ରତି ଥିବା କର୍ତ୍ତବ୍ୟ ପାଳନ କରୁଛନ୍ତି କି ନାହିଁ, ପରସ୍ପରର ଦାୟିତ୍ୱ ନେଉଛନ୍ତି କି ନା ସେସବୁକୁ ଆଧାର କରି କୌଣସି ସମ୍ପର୍କ ବିବାହର ଅନୁରୂପ ହୋଇପାରିବ ବୋଲି କହିଛନ୍ତି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ। ଜଷ୍ଟିସ୍‌ ମନୋଜ ବଜାଜ ହରିୟାଣା ଯମୁନାନଗର ଜିଲାର ଏକ ଯୋଡ଼ିଙ୍କ ଆବେଦନ ଉପରେ ଶୁଣାଣି କରି ଏହି ରାୟ ଦେଇଛନ୍ତି।

ଅନୁଯାୟୀ, ଜଣେ ୧୮ ବର୍ଷୀୟା ଯୁବତୀ ଏବଂ ୨୦ ବର୍ଷୀୟ ଯୁବକ କୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ଉଭୟେ ପରସ୍ପରକୁ ପ୍ରେମ କରୁଥିବା ଏବଂ ବିବାହ ବୟସ ହେବା ପରେ ବାହା ହୋଇଥାନ୍ତେ ବୋଲି ସ୍ଥିର କରିଥିଲେ। କିନ୍ତୁ ଯୁବତୀଙ୍କ ମା’ବାପା ଅନ୍ୟତ୍ର ତାଙ୍କ ବାହାଘର କରିବାକୁ ଯୋଜନା କରିଥିଲେ। ଯୁବତୀ ଜଣଙ୍କ ଘରୁ ପଳାଇଯାଇ ଯୁବକଙ୍କ ସହ ଗତ ନଭେମ୍ବର ୨୪ରୁ କିଛି ଦିନ ଲିଭ୍‌-ଇନ୍‌ ରିଲେଶନଶିପ୍‌ରେ ରହିଥିବା ପିଟିଶନରେ ଦର୍ଶାଇଥିଲେ। ଏଥିସହ ଯୁବତୀଙ୍କ ଘରଲୋକେ ସେମାନଙ୍କୁ ଧମକ ଦେଉଥିବାରୁ କୋର୍ଟ ପକ୍ଷରୁ ସୁରକ୍ଷା ମାଗିଥିଲେ। ତେବେ ଧମକ ଅଭିଯୋଗର ସତ୍ୟତା ବିଶ୍ୱାସଯୋଗ୍ୟ ହେଉ ନ ଥିବା କହି ହାଇକୋର୍ଟ ପିଟିଶନରଙ୍କ ଆବେଦନ ଖାରଜ କରିଦେଇଛନ୍ତି। ଏଥିସହ ଆବେଦନକାରୀଙ୍କ ଉପରେ ୨୫ ହଜାର ଟଙ୍କାର ଜରିମାନା ନିର୍ଦ୍ଦେଶ ଦେଇଛନ୍ତି।

Share