ଯାଜପୁର ଅଫିସ,୨୦।୯: ସରକାର ରାଜ୍ୟବ୍ୟାପୀ ଶତପ୍ରତିଶତ ଜମିରେ ଜଳସେଚନର ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ସେଚାଞ୍ଚଳ ଉନ୍ନୟନ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ଯୋଜନାରେ ପ୍ରକଳ୍ପଗୁଡିକରେ ସେଚ ସାମର୍ଥ୍ୟ ବୃଦ୍ଧି, କେନାଲ ରକ୍ଷଣାବେକ୍ଷଣ, ଫସଲ ଖସଡ଼ା ପ୍ରସ୍ତୁତି, ସୁଷମ ଜଳ ଆବଣ୍ଟନ ସକାଶେ ପାଣି ପଞ୍ଚାୟତ ସଂଖ୍ୟା ବୃଦ୍ଧି କରାଯାଉଥିବା କୁହାଯାଉଛି। ପ୍ରତିବର୍ଷ ଅଧିକରୁ ଅଧିକ କ୍ଷେତ୍ର ସେଚନାଳୀ ନିର୍ମାଣ, ଗୋଷ୍ଠୀ ଜଳାଶୟ ମରାମତି ପାଇଁ ବିପୁଳ ଟଙ୍କା ଖର୍ଚ୍ଚ କରାଯାଇଛି। ହେଲେ ଯାଜପୁର ଜିଲାରେ ଏହିସବୁ କାର୍ଯ୍ୟକ୍ରମ ବିଫଳ ହେଉଛି।
କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଜିଲାରେ ୭୪ଟି ନୂତନ ଏମ୍ଆଇପି ନିର୍ମାଣ କରିବାକୁ ଦୀର୍ଘ ବର୍ଷ ହେଲା ପ୍ରସ୍ତାବ ରହିଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇ ପାରୁନାହିଁ। ଏଥିରେ ବଡ଼ଚଣା ବ୍ଲକର ୧୯ଟି, ବିଞ୍ଝାରପୁରର ୪, ଦାନଗଦିର ୧୦, ଦଶରଥପୁରର ୪, ଧର୍ମଶାଳାର ୬, ଯାଜପୁରର ୫, କୋରେଇର ୮, ରସୁଲପୁରର ଗୋଟିଏ, ସୁକିନ୍ଦାର ୧୭ ଏମ୍ଆଇପି ପ୍ରସ୍ତାବ ରହିଛି। ଏହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହେଲେ ପ୍ରାୟ ୫ ହଜାର ହେକ୍ଟର ଜମିରେ ଜଳସେଚନ ହେବ ବୋଲି ଆଶା କରାଯାଇଛି। କିନ୍ତୁ ଏହା ପ୍ରସ୍ତାବରେ ସୀମିତ ରହିଥିବାରୁ ମରୁଡି ସମୟରେ ଚାଷୀମାନଙ୍କ ଆର୍ଥିକ ସ୍ଥିତି ଦୋହଲିଯାଉଛି। ବର୍ତ୍ତମାନ ସୁଦ୍ଧା ଜିଲାରେ ମାତ୍ର ୫୮ ଏମ୍ଆଇପିରେ ୪୪୭୯ ହେକ୍ଟର ଜମିରେ ଜଳସେଚନ ହେଉଥିବା ସରକାରୀ ଭାବେ ସୂଚନା ମିଳିଛି। ଅନ୍ୟପକ୍ଷରେ ବ୍ରାହ୍ମଣୀ ନଦୀର ପଙ୍କପାଳଠାରେ ଇଡ୍କୋ ପକ୍ଷରୁ ଇନ୍ଟେକ୍ ୱେଲ୍ ଜରିଆରେ ମନଇଚ୍ଛା ପାଣି ଉତ୍ତୋଳନ କରି କଳିଙ୍ଗନଗର ଶିଳ୍ପାଞ୍ଚଳର ୧୨ ଶିଳ୍ପ କାରଖାନାକୁ ଦୈନିକ ବହୁ ଗ୍ୟାଲେନ ପାଣି ଯୋଗାଇ ଦିଆଯାଉଛି। ବୈତରଣୀ ନଦୀର ୯୦ ପ୍ରତିଶତ ଜଳ ସିଧା ସମୁଦ୍ରରେ ମିଶୁଛି। ବିଡମ୍ବନା ଯେ, ଯାଜପୁର ଜିଲା ଦେଇ ପ୍ରବାହିତ ଏହି ଦୁଇ ପ୍ରମୁଖ ନଦୀର ଉପରମୁଣ୍ଡରେ ଜଳସେଚନ ପ୍ରକଳ୍ପ ଏଯାଏ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇ ପାରିନାହିଁ ା ତେଣୁ ବ୍ରାହ୍ମଣୀ ଓ ବୈତରଣୀ ଚାଷୀଙ୍କ ପାଇଁ ନୁହେଁ, ଶିଳ୍ପ କାରଖାନା ପାଇଁ ଉଦ୍ଦିଷ୍ଟ ବୋଲି କ୍ଷୋଭପ୍ରକାଶ ପାଉଛି।
ଜିଲାର ସମୁଦାୟ ୧,୪୫,୪୫୦ ହେକ୍ଟର ଚାଷ ଜମିରୁ ବୃହତ୍ ଓ କ୍ଷୁଦ୍ର ଜଳସେଚନ ମାଧ୍ୟମରେ ଖରିଫରେ ୬୧,୩୨୨(୪୨.୧୬%) ଓ ରବି ଋତୁରେ ୩୪,୬୦୦ (୨୩.୭୮%) ହେକ୍ଟର ଜମିରେ ଜଳସେଚନ ହେଉଥିବା ସରକାର ଦାବି କରୁଛନ୍ତି। ହେଲେ ବାସ୍ତବରେ ବୈତରଣୀ-ବୁଢ଼ା ଆନ୍ନିକଟଠାରୁ ଜିଲାର ସଦର ବ୍ଲକ ସମେତ ଦଶରଥପୁର ଓ ବିଞ୍ଝାରପୁର ବ୍ଲକର ପ୍ରାୟ ୧୦ ହଜାର ଏକର ଏବଂ ଜଗତ୍ପୁର-ଜେନାପୁର ହାଇଲେଭଲ କେନାଲ ପାଣିରେ ଖରିଫ ଋତୁରେ ଜିଲାର ବଡ଼ଚଣା ଓ ଧର୍ମଶାଳା ବ୍ଲକରେ ୮୩୮୪ ହେକ୍ଟର ଜମିରେ ଜଳସେଚନ ହେଉଥିବା ସୂଚନା ମିଳିଛି। ଅଥଚ ୧୬୪.୦୦୫ କିମି ଦୈର୍ଘ୍ୟ ବିଶିଷ୍ଟ ଏହି କେନାଲ ମଧ୍ୟରୁ ୬୮୦.୮୯ ହେକ୍ଟର ଜମିରେ ପାଣି ମାଡୁନାହିଁ। କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ହାଇଲେଭଲ କେନାଲ ଅବା ଉଠା ଜଳସେଚନ ପ୍ରକଳ୍ପ ଉପରେ ରାଜନୈତିକ ନେତୃବର୍ଗ ନୀରବ ରହିଛନ୍ତି। କିନ୍ତୁ ମୋଟା ଅଙ୍କର ମାସିକ ଅର୍ଥ ପାଇଁ ନେତୃବର୍ଗ ଭୂ-ସମ୍ପଦ ଲିଜ୍ କାରବାରରେ ବେଶି ଆଗ୍ରହ ଦେଖାଉଛନ୍ତି ବୋଲି ଚର୍ଚ୍ଚା ହେଉଛି।
ଚଳିତବର୍ଷ ଚାଷୀଙ୍କୁ ଚାଷ ଆରମ୍ଭରୁ ଝଟକା ଲାଗିଛି। ଜିଲାରେ ଜୁନରେ ୧୭ ପ୍ରତିଶତ, ଜୁଲାଇରେ ୬୦ ପ୍ରତିଶତ ଏବଂ ଅଗଷ୍ଟରେ ୫୨ ପ୍ରତିଶତ କମ୍ ବର୍ଷା ଚାଷୀକୁଳଙ୍କୁ ବ୍ୟଥିତ କରିଥିଲା। ଅନ୍ୟପକ୍ଷେ ସେପ୍ଟେମ୍ବର ୧୩ ଓ ୧୪ରେ ଅତ୍ୟଧିକ ବର୍ଷା ଯୋଗୁ ରବିବାର ସୁଦ୍ଧା ହାରାହାରି ୪୩୪.୫୬ ମିମି ବର୍ଷା ହୋଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ଚାଷୀ କେତେବେଳେ ବର୍ଷାର ଅଭାବ ତ କେତେବେଳେ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇ ନୟାନ୍ତ ହେଉଛନ୍ତି।