Categories: ବାଣିଜ୍ୟ

ଫିନ୍‌କେୟାର ସହ ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କର ମିଶ୍ରଣ

ନୂଆଦିଲ୍ଲୀ,୬।୩: ଦେଶର ପ୍ରମୁଖ ଘରୋଇ ଆର୍ଥିକ ସଂସ୍ଥା ତଥା ଫିନ୍‌ କେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ୍‌ ଏବଂ ଏୟୁ ସ୍ମଲ୍‌ ଫାଇନାନ୍ସ ବ୍ୟାଙ୍କର ମିଶ୍ରଣକୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଅନୁମୋଦନ ପ୍ରଦାନ କରାଯାଇଛି। ଏପରିକି ଏହି ମିଶ୍ରଣ ଭାରତୀୟ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବହନ କରୁଛି। ଉଲ୍ଲେଖଯୋଗ୍ୟ, ୨୦୨୩ ଡିସେମ୍ବର ୩୧ ସୁଦ୍ଧା ୨୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧କୋଟିରୁ ଅଧିକ ଗ୍ରାହକ, ୪୩,୫୦୦ ରୁ ଅଧିକ କର୍ମଚାରୀ ଏବଂ ୨,୩୫୦ରୁ ଅଧିକ ଫିଜିକାଲ ଟଚ୍‌ ପଏଣ୍ଟର ନେଟ୍‌ୱର୍କ ସହ ଏକ ଶକ୍ତିଶାଳୀ ସଂସ୍ଥା ସୃଷ୍ଟି ହୋଇଛି, ଯାହାର ଜମା ୮୯,୮୫୪ କୋଟି ଟଙ୍କା ଏବଂ ବାଲାନ୍ସ ସିଟ୍‌ ଆକାର ୧,୧୬,୬୯୫ କୋଟି ଟଙ୍କା ରହିଛି। ସେହିଭଳି ୨୦୨୩ ଅକ୍ଟୋବର ୨୯ରେ ଉଭୟ ଏୟୁ ଏସ୍‌ଏଫ୍‌ବି ଏବଂ ଫିନ୍‌ କେୟାର ଏସ୍‌ଏଫ୍‌ବିର ନିର୍ଦ୍ଦେଶକ ମଣ୍ଡଳୀ ମିଶ୍ରଣକୁ ଅନୁମୋଦନ ପ୍ରଦାନ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଯଥାକ୍ରମେ ୨୦୨୩ ନଭେମ୍ବର ୨୭ ଏବଂ ନଭେମ୍ବର ୨୪ରେ ସେମାନଙ୍କର ସମ୍ପୃକ୍ତ ଅଂଶୀଦାରମାନେ ବୈଠକରେ ‘ସ୍କିମ୍‌ ଅଫ୍‌ ଆମାଲଗାମେଶନ’କୁ ଅନୁମୋଦନ ପ୍ରଦାନ କରିଥିଲେ। ସେହିପରି ୨୦୨୪ ଜାନୁଆରୀ ୨୩ରେ ପ୍ରସ୍ତାବିତ ମିଶ୍ରଣ ଯୋଜନାକୁ ପ୍ରତିଯୋଗିତା ଆଇନ, ୨୦୦୨ର ଧାରା ୩୧(୧)ର ବ୍ୟବସ୍ଥା ଅନୁଯାୟୀ ଭାରତୀୟ ପ୍ରତିଯୋଗିତା ଆୟୋଗଙ୍କ ଅନୁମୋଦନ ମିଳିଥିଲା।
ଏ ନେଇ ଏୟୁ ସ୍ମଲ ଫାଇନାନ୍ସ ବ୍ୟାଙ୍କର ପ୍ରତିଷ୍ଠାତା, ଏମ୍‌ଡି ଏବଂ ସିଇଓ ସଞ୍ଜୟ ଅଗ୍ରୱାଲ କହିଛନ୍ତି, ଆମ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଆମେ ଭାରତ ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଧନ୍ୟବାଦ ଜଣାଉଛୁ । ସେହିଭଳି ଫିନ୍‌ କେୟାର ସ୍ମଲ ଫାଇନାନ୍ସ ବ୍ୟାଙ୍କର ଏମ୍‌ଡି ଏବଂ ସିଇଓ ରାଜୀବ ଯାଦବ କହିଛନ୍ତି, ଏୟୁ ଏସ୍‌ଏଫ୍‌ବି ସହିତ ମିଶ୍ରଣ ଆମ ସଂସ୍ଥା ପାଇଁ ଏକ ନୂତନ ଅଧ୍ୟାୟ ହୋଇଥିଲାବେଳେ ଏହା ଦୁଇଟି ସଫଳ ଏବଂ ସମ୍ମାନଜନକ ବ୍ୟାଙ୍କ ମଧ୍ୟରେ ଏକ ପରିବର୍ତ୍ତନଶୀଳ ମିଶ୍ରଣ ଭାବେ ପରିଣତ ହୋଇଛି, ଯାହା ଉଭୟ ଅଗ୍ରଣୀ ଅଭିବୃଦ୍ଧି ଏବଂ ଲାଭ ପାଇଁ ପରିଚିତ।

Share