ଏକକ ପିଜି ପ୍ରବେଶିକା ପରୀକ୍ଷା ଶେଷ:ନଭେମ୍ବର ୧୦ରେ ମେଧା ତାଲିକା

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ ଓ ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା ଗୁରୁବାର ଶେଷ ହୋଇଛି। ରାଜ୍ୟର ୬୮ଟି ଶିକ୍ଷାନୁଷ୍ଠାନରେ ନାମଲେଖା ଲାଗି ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିଲାଗି ୬୩ ହଜାର ଛାତ୍ରୀଛାତ୍ର ନାମ ପଞ୍ଜୀକରଣ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୪୯ ହଜାର ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ବିଷୟର ଉତ୍ତର ଖାତା ମୂଲ୍ୟାୟନ ଶେଷ ହୋଇ ନଭେମ୍ବର ୨ ସୁଦ୍ଧା ଉତ୍କଳ ବିଶ୍ବବିଦ୍ୟାଳୟ ସଂଯୋଜନାରେ ଓକାକ୍‌ ନିକଟରେ ପରୀକ୍ଷାର୍ଥୀଙ୍କ ପ୍ରବେଶିକା ପରୀକ୍ଷା ମାର୍କ ଦାଖଲ କରାଯିବ। ନଭେମ୍ବର ୫ ରାତି ୧୧ଟା ୪୫ ସୁଦ୍ଧା ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀଛାତ୍ର ସେମାନଙ୍କ ମାର୍କ ସାମ୍ସ ପୋର୍ଟାଲରେ ଅପଲୋଡ୍‌ କରିବେ। ନଭେମ୍ବର ୧୦ରେ ଏକକ ମେଧା ତାଲିକା ପ୍ରକାଶ ପାଇବ ଏବଂ ୩୦ ତାରିଖ ସୁଦ୍ଧା ନାମଲେଖା ଶେଷ ହେବ ବୋଲି ସୂଚନା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Share