Categories: ବାଣିଜ୍ୟ

ମେଧାବୀ ବିଦ୍ୟାର୍ଥୀ ସମ୍ମାନ ସମାରୋହ

ଭୁବନେଶ୍ୱର,୧୪।୯: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ନିକଟରେ ଏକ ସ୍ବତନ୍ତ୍ର ମେଧାବୀ ବିଦ୍ୟାର୍ଥୀ ସମ୍ମାନ ସମାରୋହର ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଉତ୍କଳ ବିଶ୍ୱବିଦ୍ୟାଳୟର ଏମ୍‌ଏ (ହିନ୍ଦୀ)ବିଭାଗର କୃତୀ ବିଦ୍ୟାର୍ଥୀମାନଙ୍କୁ ବିଓବି ପକ୍ଷରୁ ପୁରସ୍କୃତ ସହ ସମ୍ମାନିତ କରାଯାଇଥିଲା। ଅପରପକ୍ଷରେ ବ୍ୟାଙ୍କର କ୍ଷେତ୍ରୀୟ ପ୍ରବନ୍ଧକ ରାଜୀବ କ୍ରିଷ୍ଣା ଉତ୍କଳ ବିଶ୍ୱବିଦ୍ୟାଳୟର ଏମ୍‌ଏ (ହିନ୍ଦୀ) ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ତଲତ ନୁର୍‌ ଏବଂ ୨ୟ ସ୍ଥାନ ଅଧିକାର କରିଥିବା ପ୍ରୀତୀଶ ଥାନ୍‌ପତିଙ୍କୁ ଯଥାକ୍ରମେ ୧୧,୦୦୦ ଏବଂ ୭,୫୦୦ ଟଙ୍କାର ଅର୍ଥ ରାଶି ଓ ମାନପତ୍ର ବିଶ୍ୱବିଦ୍ୟାଳୟର ବିତ୍ତ ନିୟନ୍ତ୍ରକ ଗୌତମ ପ୍ରଧାନ ଏବଂ ହିନ୍ଦୀ ବିଭାଗର ସଂଯୋଜକ ବ୍ରଜସୁନ୍ଦର ମିଶ୍ରଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା।

ସେହିଭଳି ବ୍ୟାଙ୍କର ନୂତନ ବବ୍‌ ବ୍ରୋ ଆକାଉଣ୍ଟ (ବିଓବି ବିଆର୍‌ଓ ଆକାଉଣ୍ଟ) ତଥା ବ୍ୟାଙ୍କର ଡିଜିଟାଲ  ଏବଂ ସାଇବର ସୁରକ୍ଷା ସମ୍ବନ୍ଧରେ ରାଜୀବ ବିଦ୍ୟାର୍ଥୀମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଓବିର କ୍ଷେତ୍ରୀୟ ବ୍ୟବସାୟ ବିକାଶ ପ୍ରବନ୍ଧକ ମାନସ ପଟ୍ଟନାୟକଙ୍କ ସମେତ ବ୍ୟାଙ୍କର ବହୁ ବରିଷ୍ଠ ଅଧିକାରୀ ଓ ବିଶ୍ୱବିଦ୍ୟାଳୟର ହିନ୍ଦୀ ବିଭାଗର ପ୍ରାଧ୍ୟାପକମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ୨୦୦୬ରେ ବରୋଦା ମେଧାବୀ ପ୍ରୋତ୍ସାହନ ଯୋଜନା ଆରମ୍ଭ କରାଯାଇଥିଲା। ବିଶେଷକରି ଯୁବପିଢ଼ିମାନଙ୍କ ମଧ୍ୟରେ ହିନ୍ଦୀ ଭାଷାକୁ ଲୋକପ୍ରିୟ କରାଇବା ହେଉଛି ଏହି ଯୋଜନାର ମୂଳ ଉଦ୍ଦେଶ୍ୟ। ଏହି ଯୋଜନା ଅନ୍ତର୍ଗତ ବ୍ୟାଙ୍କ ଦ୍ୱାରା ସାରା ଦେଶରେ ୭୧ଟି ବିଶ୍ୱବିଦ୍ୟାଳୟରେ ଏମ୍‌ଏ(ହିନ୍ଦୀ) ପରୀକ୍ଷାରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ଛାତ୍ରୀଛାତ୍ରମାନଙ୍କୁ ପୁରସ୍କୃତ ସହ ସମ୍ମାନିତ କରିଥିଲା।

Share