ମର୍କେଲଙ୍କ ପାର୍ଟିର ପରାଜୟ

ବର୍ଲିନ୍‌, ୨୮ା୯: ଜର୍ମାନୀର ସାଧାରଣ ନିର୍ବାଚନରେ ବିଦାୟୀ ଚାନ୍‌ସେଲର ଆଞ୍ଜେଲା ମର୍କେଲଙ୍କ କଞ୍ଜରଭେଟିଭ ପାର୍ଟି କମ୍‌ ପ୍ରତିଶତ ଭୋଟ ବ୍ୟବଧାନରେ ପରାଜିତ ହୋଇଛି। ମର୍କେଲ ଚଳିତ ଥର ଚାନ୍‌ସେଲର ପଦରେ ରହିବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଥିବାରୁ ଭୋଟରଙ୍କ ଉପରେ ଏହାର ପ୍ରଭାବ ପଡ଼ିଥିବା କୁହାଯାଉଛି। ସୋସିଆଲ ଡେମୋକ୍ରାଟିକ୍‌ ପାର୍ଟି(ଏସ୍‌ଡିପି) ସର୍ବାଧିକ ଭୋଟ ପାଇ ବୃହତ୍ତମ ଦଳ ହୋଇଛି। ତେବେ ଜର୍ମାନୀରେ ମେଣ୍ଟ ସରକାର ଗଠନ ହେବାକୁ ଯାଉଥିବାବେଳେ ଏସ୍‌ଡିପିର ଚାନ୍‌ସେଲର ପ୍ରାର୍ଥୀ ତଥା ବିଦାୟୀ ଭାଇସ୍‌-ଚାନ୍‌ସେଲର ଓଲାଫ ସ୍କୋଲ୍‌ଜ ପରବର୍ତ୍ତୀ ଚାନ୍‌ସେଲର ହୋଇପାରନ୍ତି।
ଜର୍ମାନୀରେ ୨୯୯ ଆସନ ପାଇଁ ଭୋଟଗ୍ରହଣ ହୋଇଥିଲା। ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସୋମବାର ଭୋଟ ଗଣନା ହୋଇଥିବାବେଳେ ଏସ୍‌ଡିପିକୁ ୨୫.୯ ପ୍ରତିଶତ ଏବଂ କଞ୍ଜରଭେଟିଭ ପାର୍ଟିକୁ ୨୪.୧ ପ୍ରତିଶତ ଭୋଟ ମିଳିଛି। ୧୪.୮ ପ୍ରତିଶତ ଭୋଟ ପାଇଁ ଗ୍ରୀନ ପାର୍ଟି ତୃତୀୟ ବୃହତ୍ତମ ଦଳ ହୋଇଛି। ଫ୍ରି ଡେମୋକ୍ରାଟିକ୍‌ ଦଳ(ଏଫ୍‌ଡିପି)କୁ ୧୧.୫% ଭୋଟ ଯାଇଛି। ଉଭୟ ଗ୍ରୀନ ପାର୍ଟି ଏବଂ ଏଫ୍‌ଡିପି ନୂଆ ସରକାର ଗଠନରେ ସହଯୋଗ କରିବେ ବୋଲି ପୂର୍ବରୁ କହିଛନ୍ତି। ସେହିପରି ଅଲ୍‌ଟରନେଟିଭ୍‌ ଫର୍‌ ଜର୍ମାନୀ ପାର୍ଟି ୧୦.୩ ପ୍ରତିଶତ ଭୋଟ ପାଇ ପଞ୍ଚମ ସ୍ଥାନରେ ରହିଛି। ତେଣୁ ଜର୍ମାନୀରେ ମେଣ୍ଟ ସରକାର ଗଠନ ହୋଇପାରେ ବୋଲି ନିର୍ବାଚନ ଫଳାଫଳରୁ ଜଣାପଡ଼ିଛି। ୬୩ ବର୍ଷୀୟ ଓଲାଫ୍‌ ସ୍କୋଲ୍‌ଜ ଗ୍ରୀନ୍‌ ପାର୍ଟି ଓ ଏଫ୍‌ଡିପି ସହ ମିଶି ସରକାର ଗଢ଼ିବାକୁ ଆଲୋଚନା କରିପାରନ୍ତି। ଏହା ହେଲେ ୨୦୦୫ ପରେ ଏସ୍‌ଡିପି ଶାସନକୁ ଆସିବ। ପୂର୍ବରୁ ୧୬ ବର୍ଷ ପର୍ଯ୍ୟନ୍ତ ମର୍କେଲଙ୍କ କଞ୍ଜରଭେଟିଭ ପାର୍ଟିର ଶାସନ ରହିଥିଲା। ମର୍କେଲଙ୍କ ଅଧୀନରେ ଜର୍ମାନୀ ୟୁରୋପର ଦ୍ରୁତ ଅଭିବୃଦ୍ଧିଶୀଳ ଦେଶ ହୋଇପାରିଛି। ସେଥିପାଇଁ ଜର୍ମାନୀକୁ ୟୁରୋପର ‘ଗ୍ରୋଥ୍‌ ଇଞ୍ଜିନ୍‌’ କୁହାଯାଏ। ଚାନ୍‌ସେଲର ଭାବେ ୟୁରୋପୀୟ ୟୁନିୟନର ଏକତା ବଜାୟ ରଖିବା ପାଇଁ ମର୍କେଲ ବହୁ ଉଦ୍ୟମ କରିଛନ୍ତି। ୨୦୦୮ର ଅର୍ଥନୈତିକ ଦୁରାବସ୍ଥା, ୟୁରୋପୀୟ ୟୁନିୟନରୁ ବ୍ରିଟେନର ବିଦାୟ(ବ୍ରେକ୍‌ଜିଟ୍‌), ଗ୍ରୀସର ଅର୍ଥନୈତିକ ସଙ୍କଟ ଏବଂ କରୋନା ମହାମାରୀ ସମୟରେ ମର୍କେଲ ସମଗ୍ର ୟୁରୋପର ନେତୃତ୍ୱ ନେଇଛନ୍ତି। ତେବେ ସରକାର ଗଠନ ହେବା ନିମନ୍ତେ କିଛି ସପ୍ତାହ କିମ୍ବା ମାସାଧିକ କାଳ ଲାଗିପାରେ। ସେ ପର୍ଯ୍ୟନ୍ତ ମର୍କେଲ ଶାସନରେ ରହିବେ।

Share