ବ୍ରହ୍ମପୁର ଅଫିସ,୧୪।୪: ଗଞ୍ଜାମ ପାରମ୍ପାରିକ ଦଣ୍ଡଯାତ୍ରାର ଶେଷଦିନ ବୁଧବାର ହୋଇଥିବା ବେଳେ ଗୁରୁବାର ମହାବିଷୁବ ସଂକ୍ରାନ୍ତି ଅବସରରେ ଦଣ୍ଡଯାତ୍ରା ଉଦ୍ଯାପିତ ହେବ। ଏହି ଦିନ ମହାବୀର ହନୁମାନଙ୍କ ଜୟନ୍ତୀ, ଓଡିଆ ନବବର୍ଷ ବା ପଣାସଂକ୍ରାନ୍ତି ସହ ଦଣ୍ଡ ଯାତ୍ରା ଉଦ୍ଯାପନୀ ଦିବସ ବା ମେରୁ ସଂକ୍ରାନ୍ତି ଭାବେ ପାଳିତ ହୁଏ। ମେରୁ ସଂକ୍ରାନ୍ତି ଅବସରରେ ଜିଲାରେ ଥିବା ସମସ୍ତ ଦେବୀ ପୀଠ ତଥା ଜିଲାର ସମସ୍ତ ଦଣ୍ଡ ଦଳର ଉପତ୍ତ୍ତି ସ୍ଥଳରେ ମନ୍ଦିର ବାହାରେ ଏକ ସ୍ବତନ୍ତ୍ର ମଣ୍ଡପରେ ପ୍ରତିବର୍ଷ ମେରୁ ସଂକ୍ରନ୍ତି ପାଳିତ ହୁଏ। ଦୁଇ ବର୍ଷ ପରେ ଚଳିତ ବର୍ଷ ସାମୁହିକ ଭାବେ ଭକ୍ତଙ୍କ ଉପସ୍ଥିତିରେ ମେରୁ ପାଳିତ ହେଉଥିବାରୁ ରେଶମ ସହର ବାସୀଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସାହ ଭରି ରହିଥିବା ଦେଖିବାକୁ ମିଳିଛି। ମେରୁ ସଂକ୍ରାନ୍ତି ପୂର୍ବଦିନ ଦଣ୍ଡନାଚ ପରିବେଷର କରୁଥିବା ଦଳ ମଧ୍ୟ ନିଜ ଅଞ୍ଚଳ ଆଖ ପାଖରେ ପହଞ୍ଚି ଯାଅନ୍ତି। ୨୧ ଦିନିଆ, ୧୩ ଦିନିଆ ଓ ୧୮ ଦିନିଆ ବିଭିନ୍ନ ଦଣ୍ଡ ପରିବେଷଣ ଦଳ ପକ୍ଷରୁ ଦଣ୍ଡ ନାଚ ସମୟରେ ବିଶେଷ ଭାବେ ଦୈବୀ କୃପା ଲାଭ କରିଥିବା ବ୍ୟକ୍ତିଙ୍କ ଦ୍ୱାରା ଅଗ୍ନିଦଣ୍ଡ ପରିବେଷଣ କରାଯାଏ। ମେରୁ ମଣ୍ଡପରେ ଜ୍ୱଳନ୍ତ ଅଗ୍ନିକୁଣ୍ଡ ଉପରେ ଦଣ୍ଡକ୍ରୀଡ଼ା ପରିବେଷଣ କରାଯାଏ। ଶ୍ରଦ୍ଧାଳୁ ଏହାକୁ ଦେଖିବା ସହ ଦୁରରୁ ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରଣିପାତ କରି ଆଶୀର୍ବାଦ କରିଥାନ୍ତି। ମେରୁ ପାଳନ କରୁଥିବା ଭକ୍ତ ମାନେ ଏହି ଦିନ ବିଶେଷ ଭାବେ ଉପବାସ ଓ ବ୍ରତ ପାଳନ କରିଥାନ୍ତି। ମେରୁମଣ୍ଡପରେ ମେରୁ ଝୁଲା ବା ପରେ ସେଠାରେ ଦେବୀଙ୍କ ଉଦ୍ଦେଶ୍ୟରେ ପ୍ରସାଦ ଚଢ଼ାଇ ଦିନ ତମାମ କେବଳ ନବାତ ପଣା ଓ ଫଳା ଆହାର କରିଥାନ୍ତି।