Categories: ଖେଳ

ଧୋନୀଙ୍କ ଝିଅକୁ ସ୍ବତନ୍ତ୍ର ଉପହାର ପଠାଇଲେ ମେସି

ନୂଆଦିଲ୍ଲୀ,୨୮।୧୨:ଫିଫା ବିଶ୍ୱକପ ୨୦୨୨ ଜିତି ଆର୍ଜେଣ୍ଟିନା ଇତିହାସ ସୃଷ୍ଟି କରିଛି। ପେନାଲ୍ଟି ସୁଟଆଉଟରେ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସକୁ ୪-୨ରେ ପରାସ୍ତ କରିବା ପରେ ଲିଓନେଲ ମେସିଙ୍କ ନେତୃତ୍ୱାଧୀନ ଆର୍ଜେଣ୍ଟିନା ଟ୍ରଫି ଉଠାଇଥିଲା। ଭାରତରେ ମଧ୍ୟ ଆର୍ଜେଣ୍ଟିନାର ବିଜୟ ଉତ୍ସବ ପାଳନ କରାଯାଇଥିଲା। ଭାରତକୁ ବିଶ୍ୱ ଚାମ୍ପିଅନ କରିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ ଜିଭା ମଧ୍ୟ ମେସିଙ୍କ ପ୍ରଶଂସକ ଅଟନ୍ତି।
ଜିଭା ମଧ୍ୟ ମେସି ଏବଂ ଆର୍ଜେଣ୍ଟିନାର ବିଜୟ ଉତ୍ସବ ପାଳନ କରିଥିଲେ। ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ତାଙ୍କ ଇନଷ୍ଟାଗ୍ରାମରେ ଝିଅ ଜିଭାଙ୍କ ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ଜିଭା ଆର୍ଜେଣ୍ଟିନା ଜର୍ସି ପିନ୍ଧିଛନ୍ତି। କେବଳ ଏତିକି ନୁହେଁ, ତାଙ୍କ ଜର୍ସିରେ ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ ମେସିଙ୍କ ଅଟୋଗ୍ରାଫ ମଧ୍ୟ ରହିଛି। ଜିଭା ଏହାକୁ ଦେଖାଇ ଖୁସିରେ ଆତ୍ମହରା ହୋଇପଡିଛନ୍ତି।
ଖ୍ରୀଷ୍ଟମାସ ଦିନ ଜିଭାଙ୍କୁ ମେସି ନିଜ ଅଟୋଗ୍ରାଫ୍‌ ଥିବା ଜର୍ସି ପଠାଇଛନ୍ତି। ଧୋନୀ ମଧ୍ୟ ଫୁଟବଲର ଜଣେ ବଡ଼ ପ୍ରଶଂସକ। ସେ ସ୍କୁଲ ସମୟରେ ଜଣେ ଦଳର ଗୋଲକିପର ଥିଲେ। ତାଙ୍କର ଗୋଲକିପିଂ କୌଶଳ ଦେଖି ସେ କ୍ରିକେଟରେ ଉଇକେଟ୍‌ କିପିଂ ପାଇଁ ମନୋନୀତ ହୋଇଥିଲେ।

Share