ମେସ୍ତା, ଛଣି ଚାଷ ପ୍ରତି ଆଗ୍ରହ ବଢୁଛି

ବ୍ରହ୍ମପୁର,୧୬ା୬ (ସ୍ମୃତି ରଞ୍ଜନ ମହାଲିକ): ଅଧିକ ଉପତ୍ାଦନ ପାଇଁ ଚାଷୀ ଜମିରେ ବିଭିନ୍ନ ସାର ପ୍ରୟୋଗ କରିବା ଦ୍ୱାରା ଅନେକାଂଶ ମାଟିର ଉର୍ବରତା ହ୍ରାସ ପାଉଛି। ଫଳରେ ଉପତ୍ାଦନ କମୁଛି। ଅନ୍ୟପଟେ ଠିକ ସମୟରେ ବର୍ଷା ନ ହେବା ମଧ୍ୟ ଅମଳ କମିବାର ଅନ୍ୟ ଏକ କାରଣ କୁହାଯାଇପାରେ। ମାଟି ଉର୍ବର ରଖିବା ପାଇଁ ଚାଷୀ ବିଭିନ୍ନ ପ୍ରାକୃତିକ ଉପାୟ ଅବଲମ୍ବନ କରିଥାଏ। ମୁଖ୍ୟତଃ ଗୋବର ଖତ ପକାଇ ଉର୍ବରତାକୁ ରକ୍ଷା କରାଯାଇଥାଏ। ବର୍ତ୍ତମାନ ଅଧିକ ପରିମାଣରେ ଗୋବର ମିଳିବା ସମ୍ଭବ ହେଉ ନ ଥିବା କାରଣରୁ ଚାଷୀ ଏବେ ସବୁଜ ସାର ଉପରେ ନିର୍ଭର କରୁଛି। ସେଥିମଧ୍ୟରୁ ମେସ୍ତା ଓ ଛଣି ଜମିରେ ଚାଷ କରି ସବୁଜ ସାର ରୂପେ ବ୍ୟବହାର ହେଉଛି। ଏହି ସବୁଜ ସାର ଜାତୀୟ ଚାଷ ପାଇଁ ଜିଲା କୃଷି ବିଭାଗ ପକ୍ଷରୁ ବିହନ ଯୋଗାଇ ଦିଆଯାଇଥାଏ। ମେସ୍ତା ଓ ଛଣି ଅମଳ ହେବା ପରେ ଏହାକୁ ଜମିରେ ପୁଣି ଥରେ ମିଶାଯାଇଥାଏ। ଯାହା ମାଟିରେ ମିଶିବା ଦ୍ୱାରା ଚାଷ ଜମି ଉର୍ବର ହୋଇଥାଏ ବୋଲି ସହକାରୀ ଜିଲା କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥ କହିଛନ୍ତି।
ଗଞ୍ଜାମ ଜିଲାରେ ଏହି ସବୁଜ ସାରଜାତୀୟ ଚାଷ କମ୍‌ ପରିମାଣରେ ହେଉଥିଲେ ବି ଏହା ଜମିର ଉର୍ବରତାକୁ ବୃଦ୍ଧି କରୁଥିବା ଅନେକ ଚାଷୀ ମତ ପ୍ରକାଶ କରିଛନ୍ତି। ବିଶେଷ କରି ଜିଲାର ଭଞ୍ଜନଗର ଓ ଆସିକା ବ୍ଲକରେ ଏହି ୨ଟି ସବୁଜ ସାର ଜାତୀୟ ଚାଷ ଅଧିକ ପରିମାଣରେ ହେଉଥିବା ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ମିଳିଥିବା ତଥ୍ୟ ମୁତାବକ, ୨୦୨୨ ଖରିଫ ଋତୁରେ ଜିଲାରେ ୩୩୩ ହେକ୍ଟର ମେସ୍ତା ଓ ୪୨୦ ହେକ୍ଟର ଛଣି ଚାଷ ହୋଇଛି। ମେସ୍ତା ଚାଷ ଆସିକା ବ୍ଲକରେ ୨୦ ହେକ୍ଟର, ଶେରଗଡରେ ୨ ହେକ୍ଟର, ଧରାକୋଟ ୫ ହେକ୍ଟର, ସୋରଡା ୩୦ ହେକ୍ଟର, ଭଞ୍ଜନଗର ୫୦ ହେକ୍ଟର, ବେଲଗୁଣ୍ଠା ୪୦ ହେକ୍ଟର, ଜଗନ୍ନାଥପ୍ରସାଦ ୧୦ ହେକ୍ଟର, ବୁଗୁଡା ୧୫ ହେକ୍ଟର, ପୁରୁଷୋତ୍ତମପୁର ୪୦ ହେକ୍ଟର, ଗଞ୍ଜାମ ୨୫ ହେକ୍ଟର, ହିଞ୍ଜିଳିକାଟୁ ୨୦ ହେକ୍ଟର, କବିସୂର୍ଯ୍ୟନଗର ୧୦ ହେକ୍ଟର, ପୋଲସରା ୨୫ ହେକ୍ଟର ଓ ବେଗୁନିଆପଡାରେ ୪୧ ହେକ୍ଟର ହେଉଥିବା ସୂଚନା ମିଳିଛି। ସେହିଭଳି ଛଣି ଚାଷ ଆସିକା ବ୍ଲକରେ ୫୦ ହେକ୍ଟର, ଧରାକୋଟ ୫ ହେକ୍ଟର, ସୋରଡା ୭୫ ହେକ୍ଟର, ଭଞ୍ଜନଗର ୫୦ ହେକ୍ଟର, ବେଲଗୁଣ୍ଠା ୧୫ ହେକ୍ଟର, ବୁଗୁଡା ୧୫ ହେକ୍ଟର, ଛତ୍ରପୁର ୨ ହେକ୍ଟର, ପୁରୁଷୋତ୍ତମପୁର ୩୦ ହେକ୍ଟର, ଗଞ୍ଜାମ ୨୦ ହେକ୍ଟର, ହିଞ୍ଜିଳି ୭୮ ହେକ୍ଟର, କବିସୂର୍ଯ୍ୟନଗର ୫୦ ହେକ୍ଟର ଓ ପୋଲସରା ୩୦ ହେକ୍ଟରରେ ହୋଇଥିବା ସୂଚନା ମିଳିଛି।

Share