Categories: ଖେଳ

ମେସୁଟ୍‌ ଓଜିଲଙ୍କ ଅବସର

ଇସ୍ତାନବୁଲ,୨୩ା୩(ପି.ଟି.): ଜର୍ମାନୀ ଫୁଟବଲ ଦଳର ପୂର୍ବତନ ମିଡଫିଲ୍ଡର ମେସୁଟ୍‌ ଓଜିଲ୍‌ ୩୪ ବର୍ଷ ବୟସରେ ଅବସର ଘୋଷଣା କରିଛନ୍ତି। ୨୦୧୪ ବିଶ୍ୱକପ ବିଜୟୀ ଜର୍ମାନୀ ଦଳର ସଦସ୍ୟ ରହିଥିବା ଓଜିଲ ବୁଧବାର ଅବସର ଗ୍ରହଣ କରିଛନ୍ତି। ନିୟମିତ ଆହତ ହେବା କାରଣରୁ ସେ ଏଭଳି ନିଷ୍ପତ୍ତି ନେବାକୁ ବାଧ୍ୟ ହେଲେ ବୋଲି ଓଜିଲ କହିଛନ୍ତି। ଦୀର୍ଘ ୧୭ ବର୍ଷ ଧରି ମୁଁ ପ୍ରଫେସନାଲ ଫୁଟବଲ ଖେଳି ଆସୁଛି। ମିଳିଥିବା ସୁଯୋଗ ପାଇଁ ମୁଁ ସମସ୍ତଙ୍କ ନିକଟରେ କୃତଜ୍ଞ ବୋଲି ସେ ନିଜ ସୋସିଆଲ ମିଡିଆ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ବିଗତ କିଛି ସପ୍ତାହ ତଥା ମାସ ମୋ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ରହିଥିଲା।

ନିୟମିତ ଭାବରେ ଆହତ ହେବା ସହିତ ଅନ୍ତର୍ଜାତୀୟ ଫୁଟବଲ ସମ୍ଭାବନା କ୍ଷୀଣ ହେଉଥିବା ସ୍ପଷ୍ଟ ହୋଇ ଯାଇଥିଲା। ଅବସର ଘୋଷଣା ସହିତ ତୁର୍କୀର କ୍ଲବ ଇସ୍ତାନବୁଲ ବାସାକସେହିର ସହ ତାଙ୍କ ଚୁକ୍ତି ଆଗୁଆ ଶେଷ ହୋଇଛି। ଚଳିତ ସିଜନରେ ସେ ଦଳ ପକ୍ଷରୁ ମାତ୍ର ୭ ମ୍ୟାଚ୍‌ ଖେଳିଥିଲେ। ପୂର୍ବରୁ ରିଅଲ ମାଡ୍ରିଡ୍‌ ଓ ଆର୍ସେନଲ ପରି କ୍ଲବ୍‌ ପାଇଁ ସେ ଖେଳିଛନ୍ତି। ୨୦୧୨ରେ ରିୟଲ ମାଡ୍ରିଡ୍‌ ସହିତ ସ୍ପାନିଶ ଲିଗ୍‌ ଟାଇଟଲ୍‌ ଜିତିଥିବା ବେଳେ ଆର୍ସେନଲ ସହିତ ୪ ଥର ଏଫ୍‌ଏ କପ୍‌ ଜିତିଛନ୍ତି।

୨୦୧୮ରେ ଜର୍ମାନୀ ଦଳରେ ତାଙ୍କୁ ଜାତିଆଣ ମନ୍ତବ୍ୟ ଓ ଅସମ୍ମାନର ସମ୍ମୁଖୀନ ହେବାକୁ ପଡିଥିବା ନେଇ ଅଭିଯୋଗ କରିବା ପରଠାରୁ ଆଉ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାର ସୁଯୋଗ ପାଇନଥିଲେ ଓଜିଲ୍‌। ୨୦୧୮ ବିଶ୍ୱକପ ପୂର୍ବରୁ ତୁର୍କୀ ରାଷ୍ଟ୍ରପତି ରିସେପ୍‌ ଟାଇପ୍‌ ଏର୍ଡୋଗାନଙ୍କ ସହିତ ଫଟୋ ପୋଷ୍ଟ କରି ସମାଲୋଚିତ ହୋଇଥିଲେ। ଜର୍ମାନୀ କ୍ଲବ୍‌ ସାଲ୍‌କେ ଓ ଓ୍ବେର୍ଡର ବ୍ରେମେନ୍‌ ପାଇଁ ଉଲ୍ଲେଖନୀୟ ପ୍ରଦର୍ଶନ କରି ଜାତୀୟ ଦଳରେ ସ୍ଥାନ ପାଇଥିବା ବେଳେ ୨୦୧୦ରୁ ଆର୍ସେନଲ ପାଇଁ ୮ ବର୍ଷ ଖେଳିଥିଲେ। ତେବେ ଚୀନ୍‌ରେ ଅତ୍ୟାଚାରିତ ମୁସଲିମ୍‌ଙ୍କ ସପକ୍ଷରେ ପୋଷ୍ଟ କରିବା କାରଣରୁ ଚାଇନା ଟିଭି ଚ୍ୟାନେଲରୁ ଆର୍ସେନଲ ମ୍ୟାଚ୍‌ ପ୍ରତ୍ୟାହାର ହେବା କାରଣରୁ ୨୦୧୮ରେ ଆର୍ସେନଲ ତାଙ୍କୁ ବିଦା କରିଥିଲା।

Share