Categories: ଖେଳ

ଦୁଇ ବର୍ଷ ତଳେ ପରିବାରକୁ ଭେଟିଥିଲେ କିଶୋର

ନୂଆଦିଲ୍ଲୀ,୨୯ା୮: ସାଧାରଣତଃ କ୍ରୀଡ଼ା ସହ ଜଡ଼ିତ ସମସ୍ତ ଆଥ୍‌ଲେଟ ଶୈଶବରୁ ଉକ୍ତ କ୍ରୀଡ଼ାକୁ ଆପଣେଇଥାନ୍ତି। ତେବେ ଓଡ଼ିଶାର ଓଭରନାଇଟ ସେନ୍‌ସେସନ୍‌ ଜାଭେଲିନ୍‌ ଥ୍ରୋୟର କିଶୋର ଜେନାଙ୍କ କାହାଣୀ ସମ୍ପୂର୍ଣ୍ଣ ଭିନ୍ନ । ଆରମ୍ଭରୁ ଭଲି ଖେଳ ସହ ଜଡ଼ିତ ଥିବା କିଶୋର ୨୦୧୫ରେ ୨୦ବର୍ଷ ବୟସରେ ଜାଭେଲିନ୍‌ ଅଭ୍ୟାସ କରିବା ଆରମ୍ଭ କରିଥିଲେ। ନିୟମିତ ଭଲ ପ୍ରଦର୍ଶନ କରିବା ସହିତ ପ୍ରଥମ ଓଡ଼ିଆ ଭାବରେ ସେ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିଥିଲେ। ବିଶ୍ୱ ଚାମ୍ପିୟନଶିପ୍‌ ଫାଇନାଲରେ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ ସହିତ ସେ ପଞ୍ଚମ ସ୍ଥାନ ଅଧିକାର ମଧ୍ୟ କରିଥିଲେ। ତେବେ ଏକ ସାକ୍ଷାତ୍‌କାର ସମୟରେ କିଶୋର କହିଛନ୍ତି, ସେ ବିଗତ ଦୁଇବର୍ଷ ହେଲା ନିଜ ଗ୍ରାମକୁ ଆସିନାହାନ୍ତି କି ମାତା ପିତାଙ୍କୁ ଭେଟି ନାହାନ୍ତି। ଏପରି କି ପ୍ୟାରିସ୍‌ ୨୦୨୪ ପାଇଁ ପ୍ରସ୍ତୁତି ଲକ୍ଷ୍ୟ ଥିବାରୁ ଆଗାମୀ ଏକ ବର୍ଷ ପାଇଁ ମଧ୍ୟ ମାତାପିତାଙ୍କୁ ଭେଟିପାରିବେ ନାହିଁ ବୋଲି କହିଛନ୍ତି କିଶୋର। ମାତା ପିତା ସ୍ମାର୍ଟଫୋନ୍‌ର ବ୍ୟବହାର ଜାଣି ନ ଥିବାବେଳେ କେବଳ ସାନ ଭଉଣୀ ଘରକୁ ଆସିଲେ ହିଁ ଭିଡିଓ କଲ୍‌ ଜରିଆରେ କଥା ହେବାର ସୁଯୋଗ ପାଇଥାନ୍ତି ବୋଲି କିଶୋର କହିଛନ୍ତି।
୧୯୯୫ ସେପ୍ଟେମ୍ବର ୬ରେ କିଶୋର ଜେନାଙ୍କ ଜନ୍ମ। ତାଙ୍କ ମା’ ହେଉଛନ୍ତି ହରପ୍ରିୟା ଜେନା ଓ ବାପା କେଶବ ଜେନା। ଘର ପୁରୀ ବ୍ରହ୍ମଗିରିସ୍ଥିତ କୋଠସାହି ଗ୍ରାମରେ। ୬ ଭଉଣୀଙ୍କ ମଧ୍ୟରେ ବଢ଼ିଥିବା କିଶୋର ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସ ଓଏନ୍‌ଆଇଏସ୍‌ ପଟିଆଲାରେ ପ୍ରଶିକ୍ଷଣ ନେଇଥିଲେ। ବିଶ୍ୱ ଚାମ୍ପିୟନଶିପ୍‌ରେ ଏହି ଜାଭେଲିନ୍‌ ପ୍ରତିଭାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୮୪.୩୮ ମିଟର ରହିଥିଲା। ତେବେ ବିଶ୍ୱ ଚାମ୍ପିୟନଶିପ୍‌ ଫାଇନାଲରେ ସେ ୮୪.୭୭ ମିଟରର ଥ୍ରୋ କରି ପଞ୍ଚମ ସ୍ଥାନରେ ରହିବା ସହିତ ସମସ୍ତଙ୍କୁ ଗର୍ବିତ କରିଛନ୍ତି। ୨୦୧୫ରୁ ଜାଭେଲିନ୍‌ ଅଭ୍ୟାସ ଆରମ୍ଭ କରିଥିବା ବେଳେ ୨୦୨୧ ପରଠାରୁ ଜାତୀୟ ସ୍ତରରେ ନିଜର ପ୍ରତିଭା ଦେଖାଇବା ଆରମ୍ଭ କରିଥିଲେ। ୨୦୨୩ ମାର୍ଚ୍ଚ ୧ରେ କର୍ନାଟକରେ ଅନୁଷ୍ଠିତ ଇଣ୍ଡିଆନ ଓପନ ଥ୍ରୋ ପ୍ରତିଯୋଗିତାରେ ସେ ୭୮.୯୩ ମିଟର ସହ ସ୍ବର୍ଣ୍ଣ ପଦକ ପାଇଥିଲେ। ମାର୍ଚ୍ଚ ୨୦ରେ କେରଳରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରି-୧ରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୮୧.୦୧ ମିଟର ସହ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେହିପରି ଜୁନ୍‌ରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ଆନ୍ତଃରାଜ୍ୟ ଆଥ୍‌ଲେଟିକ୍ସ ମିଟ୍‌ରେ ସେ ୮୨.୮୭ ମିଟର ଥ୍ରୋ ସହିତ ରୌପ୍ୟ ପଦକ ପାଇଥିଲେ। ବିଶ୍ୱ ଚାମ୍ପିୟନଶିପ୍‌ରେ ପଦକ ହାସଲ କରି ନ ଥିଲେ ମଧ୍ୟ ଏହାର ଅନୁଭୂତି ଆଗାମୀ ଏସିଆନ୍‌ ଗେମ୍ସରେ ସହାୟକ ହେବ ବୋଲି କିଶୋର କହିଛନ୍ତି।
ନୀରଜ ମୋ ପ୍ରେରଣା
କ୍ୟାରିୟରରେ ପ୍ରଥମ ଥର ପାଇଁ ଏକ ବୃହତର ଷ୍ଟେଜରେ ପ୍ରଦର୍ଶନ କରିଥିବା ବେଳେ ଏହାକୁ ନେଇ ସାମାନ୍ୟ ନର୍ଭସ ମଧ୍ୟ ଥିଲେ। ତେବେ ନିଜ ପ୍ରଦର୍ଶନକୁ ନେଇ ସେ ସନ୍ତୋଷ ପ୍ରକାଶ କରିଛନ୍ତି। ନୀରଜ ଚୋପ୍ରାଙ୍କ ପରି ଖେଳାଳିଙ୍କ ସହିତ ଖେଳିବାରୁ ବହୁତ ଜିନିଷ ଶିଖିବାକୁ ମିଳିଛି। ଇଭେଣ୍ଟ ସମୟରେ ସମସ୍ତ ଖେଳାଳି ବ୍ୟକ୍ତିଗତ ପ୍ରଦର୍ଶନ ଉପରେ ନଜର ରଖିଥାନ୍ତି। ତେବେ ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଭିଜ୍ଞ ନୀରଜ ସର୍ବଦା ଶାନ୍ତ ରହି ଉପଯୁକ୍ତ ପରାମର୍ଶ ଦେଇଥାନ୍ତି। ଫାଇନାଲରେ ଏକ ଥ୍ରୋ ଖରାପ ହେବା ପରେ ବ୍ୟସ୍ତ ନ ହୋଇ ପରବର୍ତ୍ତୀ ଥ୍ରୋ ଉପରେ ଫୋକସ କରିବା ପାଇଁ ନୀରଜ ପରାମର୍ଶ ଦେଇଥିଲେ। ହାଙ୍ଗଝୋରେ ପୋଡିୟମ ଫିନିଶ୍‌ ଲକ୍ଷ୍ୟ ରହିଥିବା ପ୍ରକାଶ କରିଛନ୍ତି କିଶୋର ଜେନା।

Share