ଭୁବନେଶ୍ୱର,୧।୧୦(ଅନୁରାଧା ମହାରଣା)ସରକାରୀ ଅନୁଦାନ ନୀତି (ଜିଆଇଏ) ଲାଗୁ କରିବା ପାଇଁ ସମସ୍ତ ବେସରକାରୀ ଅନୁଦାନ ଓ ଅଣ-ଅନୁଦାନ (ଯୁକ୍ତ ୨ ଓ ଯୁକ୍ତ ୩) ମହାବିଦ୍ୟାଳୟ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ସଂଘ ଗାନ୍ଧୀମାର୍ଗରେ ୭୫ ଦିନ ଧରି ଶାନ୍ତିପୂର୍ଣ୍ଣ ଭାବେ ଅହୋରାତ୍ର ଧାରଣା ଦେଇଛନ୍ତି। ବିଭିନ୍ନ ଉପାୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ ମଧ୍ୟ ସରକାର କୌଣସି ଦାବି ପୂରଣ କରି ନ ଥିବାରୁ ଶନିବାର ସଂଘ ପକ୍ଷରୁ ମହାସମାବେଶ କରାଯାଇଥିଲା। ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି କ୍ରମରେ ସଂଘର ଏକ ପ୍ରତିନିଧି ଦଳ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସାବ୍ୟସଚୀ ନାୟକଙ୍କୁ ଓଡ଼ିଶା ବିଧାନସଭାରେ ଭେଟିଥିଲେ। ସଂଘର ରାଜ୍ୟ ସଭାପତି ଡ. ଦେବ ବିଜୟ ମିଶ୍ର, ବିଭୁ ପ୍ରସାଦ ମିଶ୍ର, କୁଶ ମଲ୍ଲିକ, ଦମୟନ୍ତୀ ଷଣ୍ଢ, ଶଙ୍କର ପାଢ଼ୀ ପ୍ରମୁଖ ମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ଯାଇଥିଲେ। ଆଗାମୀ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକରେ ଏନେଇ ଆଲୋଚନା କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।