Categories: ବାଣିଜ୍ୟ

ଗୁଗଲ ପରେ ଫେସବୁକ, ଇନଷ୍ଟାଗ୍ରାମ ଉପରେ ୫୩ କୋଟି ଜରିମାନା, ଜୁଆ ବିଜ୍ଞାପନ ଦେଖାଇବା ନେଇ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୩।୧୨: ନିକଟରେ ବିଶାଳ କମ୍ପାନୀ ଗୁଗଲକୁ ଆମେରିକାରେ ଲକ୍ଷ ଲକ୍ଷ ଟଙ୍କା ଜରିମାନା କରାଯାଇଥିଲା। ବର୍ତ୍ତମାନ ସୋସିଆଲ ମିଡିଆ କମ୍ପାନୀ ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟା ପ୍ଲାଟଫର୍ମ ଉପରେ ୫୩ କୋଟି ଟଙ୍କା ଜରିମାନା ଲାଗୁ କରାଯାଇଛି। ଇଟାଲୀରେ କମ୍ପାନୀ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଇଟାଲୀରେ ନିଷିଦ୍ଧ ଜୁଆ ଖେଳ ବିଜ୍ଞାପନ ଦେଖାଇଥିବା ଅଭିଯୋଗ ହୋଇଥିଲା।

ଇଟାଲୀର ଯୋଗାଯୋଗ ନିୟାମକ ଏଜିସିଓଏମ୍‌ ଅନୁଯାୟୀ, ଫେସବୁକ ଏବଂ ଇନଷ୍ଟାଗ୍ରାମର ପ୍ରୋଫାଇଲ ଏବଂ ଆକାଉଣ୍ଟ ମାଧ୍ୟମରେ ଜୁଆ ବିଜ୍ଞାପନ ଦେଖାଇଥିବା ମେଟା ଉପରେ ଅଭିଯୋଗ ହୋଇଥିଲା। ଏହା ବ୍ୟତୀତ କମ୍ପାନୀ ଏପରି ବିଷୟବସ୍ତୁକୁ ପ୍ରୋତ୍ସାହିତ କରୁଥିଲା ଯେଉଁଥିରେ ଜୁଆ ଖେଳ କିମ୍ବା ଖେଳରେ ନଗଦ ପୁରସ୍କାର ଦିଆଯାଉଥିଲା। ଏହା ପରେ ଏଜିସିଓଏମ ଶୁକ୍ରବାର କମ୍ପାନୀ ଉପରେ ୫.୮୫ ମିଲିୟନ ୟୁରୋ (୬.୪୫ ମିଲିୟନ ଡ଼ଲାର) ଜରିମାନା ଲଗାଇଛି।

ଏଜିସିଓଏମ ଏହିପରି ବିଜ୍ଞାପନ ଦେଖାଇବା ପାଇଁ ଗୋଟିଏ ପରେ ଗୋଟିଏ କମ୍ପାନୀଠାରୁ ଜାରିମାନାଆଦାୟ କରିଛି। ବର୍ତ୍ତମାନ, ଏହି ପ୍ରସଙ୍ଗରେ ମେଟାଠାରୁ କୌଣସି ବିବୃତ୍ତି ଆସିନାହିଁ। ଏହି ମାସ ଆରମ୍ଭରେ, ସମାନ ଅଭିଯୋଗରେ ଆଲଫାବେଟ ଇଙ୍କର ୟୁଟ୍ୟୁବ ଉପରେ ୨.୨୫ ମିଲିୟନ ୟୁରୋ ଏବଂ ଟ୍ବିଚ ଉପରେ ୯ ଲକ୍ଷ ୟୁରୋ ଜରିମାନା କରିଥିଲା।

Share