ମେଟାପାଡୁକୁ ଚଲାବାଟ ବିପଦ

ପଟ୍ଟାଙ୍ଗି,୭ା୭(ଶରତ ଧଳ): ରାଜ୍ୟର ସୀମାନ୍ତ ଗ୍ରାମଗୁଡିକରେ ବସବାସ କରୁଥିବା ଗ୍ରାମବାସୀ ସରକାରଙ୍କ ଯୋଜନାରୁ କିପରି ଉପକୃତ ହୋଇପାରିବେ ସେନେଇ ବ୍ଲକ ପ୍ରଶାସନକୁ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଏ ଦିଗରେ ବ୍ଲକ ପ୍ରଶାସନ ସେତେଟୋ ଆଗ୍ରହ ପ୍ରକାଶ କରୁନାହିଁ। ଫଳରେ ସରକାରଙ୍କ ଲକ୍ଷ୍ୟ ଦିଗହରା ହେଉଛି। ଉନ୍ନୟନମୂଳକ କାର୍ଯ୍ୟରୁ ସୀମାନ୍ତବାସୀ ବଞ୍ଚତ୍ତ ହେଉଛନ୍ତି। ଏପରି ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକର ତଳଗୋଲୁର ପଞ୍ଚାୟତ ତଥା ପଡୋଶୀ ଆନ୍ଧ୍ର ସୀମାକୁ ଲାଗିଥିବା ମେଟାପାଡୁ ଗ୍ରାମ କ୍ଷେତ୍ରରେ। ଉକ୍ତ ଗ୍ରାମରେ ୧୭ଟି ଘର ରହିଥିବା ବେଳେ ୬୦/୭୦ ପରିବାର ବସବାସ କରୁଛନ୍ତି। ଗ୍ରାମରେ ପହଞ୍ଚତ୍ବାକୁ ହେଲେ ବ୍ଲକ ସଦର ମହକୁମାରୁ ପଞ୍ଚାୟତର କୋଟାତେଡା ଗ୍ରାମ ପର୍ଯ୍ୟନ୍ତ ପିଚୁ ରାସ୍ତା ରହିଛି। କୋଟାତେଡାରୁ ମେଟାପାଡୁ ଗ୍ରାମ ପର୍ଯ୍ୟନ୍ତ ୪ କି.ମି. ମାଟି ରାସ୍ତା ରହିଛି। ଏହି ରାସ୍ତା ଗ୍ରାମବାସୀଙ୍କ ଲାଗି ବିପଦ ସାଜିଛି। ଗ୍ରାମରେ ରାତିରେ କାହାର ଦେହଖରାପ ହେଲେ ଭାରରେ ବୋହି କୋଟାତେଡା ଗ୍ରାମ ପର୍ଯ୍ୟନ୍ତ ଆଣିବାକୁ ପଡୁଛି। ସେଠାରୁ ଯେକୌଣସି ଗାଡ଼ିରେ ୩୦ କି.ମି. ସୁଙ୍କି ସ୍ବାସ୍ଥ୍ୟ କେନ୍ଦ୍ରକୁ ନେବାକୁ ହେଉଛି। ଏହି ରାସ୍ତାଟି ୧୫ ବର୍ଷ ତଳେ ଏମ୍‌ଜିଏନଆରଇଜିଏସ୍‌ରେ ହୋଇଥିବା ବେଳେ ରାସ୍ତାର ଉନ୍ନତି ପ୍ରତି ଏପର୍ଯ୍ୟନ୍ତ ପ୍ରଶାସନ ଦୃଷ୍ଟି ଦେଉ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏବେ ବର୍ଷା ଋତୁ ଯୋଗୁ ରାସ୍ତା ଅବସ୍ଥା ଆହୁରି ଶୋଚନୀୟ ହୋଇପଡିଛି। ଗ୍ରାମର ୫ ଜଣ ବୃଦ୍ଧାବୃଦ୍ଧ ନିଜ ଭତ୍ତା ଟଙ୍କା ଉଠାଇବାକୁ ଯିବା ପାଇଁ ଭୟ କରୁଛନ୍ତି। ତଳଗୋଲୁର ପଞ୍ଚାୟତ ସଦର ବିଦ୍ୟାଳୟରେ ପଢୁଥିବା ଗ୍ରାମର ୮ ଜଣ ଛାତ୍ରୀଛାତ୍ର ମଧ୍ୟ ଉକ୍ତ ରାସ୍ତାରେ ପାଠ ପଢିବାକୁ ଯିବାକୁ ନିରାପଦ ମନେ କରୁନାହାନ୍ତି। ଫଳରେ ସେମାନେ ବିଦ୍ୟାଳୟ ନ ଯାଇ ଖେଳାବୁଲାରେ ସମୟ କାଟୁଛନ୍ତି। ଗ୍ରାମରେ ପାନୀୟଜଳ ସହ ବିଦ୍ୟୁତ୍‌ ସମସ୍ୟା ମଧ୍ୟ ରହିଛି। ଏପର୍ଯ୍ୟନ୍ତ କେଟାପାଡୁ ଗ୍ରାମକୁ ବିଦ୍ୟୁତ୍‌ ସଂଯୋଗ ମିଳିନାହିଁ। ସୂଚନାଯୋଗ୍ୟ ନିକଟରେ ଏହି ଗ୍ରାମରେ ଝାଡାବାନ୍ତି ବ୍ୟାପି ୩ ଜଣଙ୍କ ମୃତ୍ୟୁ ଘଟିଛି।

Share