ପିଲାଙ୍କୁ ଆକୃଷ୍ଟ କରିଛି ମେଟାର ପ୍ଲାଟଫର୍ମ ଡିଜାଇନ୍‌

ସାନ୍‌ ଫ୍ରାନ୍ସିସ୍କୋ,୨୮ା୧୧: ଫେସ୍‌ବୁକ୍‌ର ପ୍ୟାରେଣ୍ଟ କମ୍ପାନୀ ମେଟା ପିଲାମାନଙ୍କୁ ଆକୃଷ୍ଟ କରିବା ପାଇଁ ଜାଣିଶୁଣି ଏହାର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକର ଡିଜାଇନ୍‌ କରିଛି। ଇନ୍‌ଷ୍ଟାଗ୍ରାମରେ କମ୍‌ ବୟସର ୟୁଜରଙ୍କ ସଂଖ୍ୟା ବହୁ ଅଧିକ ହୋଇଥିବା ନେଇ ଏହି ସଂସ୍ଥାକୁ ଲକ୍ଷ ଲକ୍ଷ ଅଭିଯୋଗ ମିଳୁତ୍ଥିବାବେଳେ ଏହା ଖୁବ୍‌ କମ୍‌ ଦର୍ଶାଇଥାଏ ବୋଲି ଏକ ସଦ୍ୟ ଆଇନଗତ ଅଭିଯୋଗରୁ ଜଣାପଡ଼ିଛି। ଆମେରିକାର ୩୩ ରାଜ୍ୟର ଆଟର୍ନି ଜେନେରାଲମାନେ ଗତ ଅକ୍ଟୋବରରେ ଏନେଇ ମୋକଦ୍ଦମା ଦାଏର କରିଛନ୍ତି।
ଅଭିଯୋଗ ଅନୁଯାୟୀ ମେଟା ଏହାର ପ୍ରଡକ୍ଟଗୁଡ଼ିକୁ ଯୁବ ମନସ୍ତତ୍ତ୍ୱକୁ ଆକୃଷ୍ଟ କରିବା ପାଇଁ ଡିଜାଇନ୍‌ କରିଛି, ଯାହାକୁ ଏହାର ଅଧିକାରୀମାନେ ଜାଣିଛନ୍ତି। ଏଥିରେ ଆବେଗତାପୂର୍ଣ୍ଣ ଆଚରଣ, ସାଥୀମାନଙ୍କ ଦ୍ୱାରା ପ୍ରଭାବିତ ହେବାର ସମ୍ବେଦନଶୀଳତା ଏବଂ କୌଣସି ବିପଦକୁ ନୂ୍ୟନ ଆକଳନ କରିବା ଆଦି ଦେଖାଯାଇଥାଏ ବୋଲି ଅଭିଯୋଗରେ କୁହାଯାଇଛି। ଏପରିକି ୧୩ ବର୍ଷରୁ କମ୍‌ ପିଲାମାନଙ୍କ ମଧ୍ୟରେ ଫେସ୍‌ବୁକ୍‌ ଏବଂ ଇନ୍‌ଷ୍ଟାଗ୍ରାମ ବେଶ୍‌ ଲୋକପ୍ରିୟ । ଏତେ କମ୍‌ ବୟସର ପିଲାଙ୍କୁ ଏହି ସେବା ବ୍ୟବହାର ଅନୁମତି ଦିଆଯାଇ ନ ଥାଏ ବୋଲି କମ୍ପାନୀ ନୀତିରେ କୁହାଯାଇଛି। ୨୦୧୯ର ଏକ ଇମେଲ୍‌ରେ ଫେସ୍‌ବୁକ୍‌ର ଜଣେ ନିରାପତ୍ତା କାର୍ଯ୍ୟନିର୍ବାହୀ ପିଲାମାନଙ୍କ ଉପରେ ଏହାର କୁପ୍ରଭାବ ସମ୍ପର୍କରେ ସୂଚନା ଦେବା ସହ ଏହା କମ୍ପାନୀର ବ୍ୟବସାୟ ଗୁରୁତର ପ୍ରଭାବିତ କରିବା ସମ୍ଭାବନା ଥିବା କହିଥିଲେ।

Share