Categories: ରାଜ୍ୟ

ପାଣିପାଗ ବିଭାଗର ବଡ଼ ସୂଚନା, ଏ ସବୁ ଜିଲାରେ ଉତ୍କଟ ସ୍ଥିତି

ଭୁବନେଶ଼୍ବର, ୨୩।୬: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜନିତ ବର୍ଷା ଜାରି ରହିଛି । ବିଭିନ୍ନ ଜିଲାରେ ଅଳ୍ପ ବହୁତେ ବର୍ଷା ହେଉଛି । ଏହାରି ମଧ୍ୟରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବଡ଼ ସୂଚନା ଦେଇଛି । ଓଡ଼ିଶାରେ ସ଼୍ବଭାବିକ ଠାରୁ କମ୍‌ ବର୍ଷା ହୋଇଛି । ଜୁନ୍‌ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୮୮.୭ ମିଲି ମିଟର ବର୍ଷା ରେକର୍ଡ ହୋଇଛି । ଯାହାକି ସ଼୍ବଭାବିକ ବର୍ଷା ଠାରୁ ୩୯ ପ୍ରତିଶତ କମ୍‌ । ୨୬ଟି ଜିଲାରେ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ୪ ଜିଲାରେ ଉତ୍କଟ ସ୍ଥିତି ଦେଖିବାକୁ ମିଳିଛି । ମୟୁରଭଞ୍ଜ, ବଲାଙ୍ଗିର, ପୁରୀ ଏବଂ ବାଲେଶ଼୍ବରରେ ଏପରି ସ୍ଥିତି ସୃଷ୍ଟି ହୋଇଛି ।

ପୁରୀରେ ସର୍ବାଧିକ ସ଼୍ବଭାବିକ ଠାରୁ ୭୦ ପ୍ରତିଶତ କମ୍‌ ବର୍ଷା ରେକର୍ଡ ହୋଇଛି । ୨୧ ଜିଲାରେ ୨୦ରୁ ୫୯ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ମାତ୍ର ୫ଟି ଜିଲ୍ଲାରେ ସ଼୍ବାଭାବିକ ବର୍ଷା ରେକର୍ଡ ହୋଇଛି । ଅନ୍ୟପଟେ ରାଜ୍ୟର ସମସ୍ତ ଜିଲାରେ ମୌସୁମୀ ପହଞ୍ଚିଛି ।

ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ଫଳରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଏନେଇ ଅଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ୨୦ ଜିଲାକୁ ବିଜୁଳି, ଘଡ଼ଘଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୨୬ ତାରିଖ ଅର୍ଥାତ ବୁଧବାର ଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ରାଜ୍ୟର ୨୪ଟି ଜିଲାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସ୍ପର୍ଶ କରିଛି। ପାଗ ଅନୁକୂଳ ଥିବାରୁ ମୌସୁମୀ ପୁଣି ସକ୍ରିୟା ହେବା ସହ ବିଭିନ୍ନ ଜିଲାକୁ ପ୍ରବେଶ କରୁଛି।

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ସାମ୍ଭାବ୍ୟ ବନ୍ୟା ପାଇଁ ଉଚ୍ଚସ୍ତରୀୟ ବୈଠକ ଗତକାଲି ଡକାଇଥିଲେ । ବନ୍ୟା ନିୟନ୍ତ୍ରଣ ଲାଗି ଏବେଠୁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ନିର୍ଦ୍ଦେଶ ଦେଇଥିଲେ। ଜଳ ସମ୍ପଦ ବିଭାଗର ବିଳମ୍ବିତ ପ୍ରକଳ୍ପ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ବିଭାଗୀୟ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବନ୍ୟା ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟିଆ ଖୋଲିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଦୁର୍ବଳ ନଦୀବନ୍ଧ ଅଧିକ ସୁଦୃଢ଼ କରିବା ଓ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share