ମିଥେନ ହ୍ରାସ ପ୍ରତିବଦ୍ଧତା

ସାରା ଭୋଗେଲ, ମାର୍ସେଲୋ ମେନା

ଗ୍ଲାସ୍‌ଗୋରେ ଗତବର୍ଷ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ(କପ୍‌୨୬) ଅନୁଷ୍ଠିତ ହୋଇଥିଲା। ସମ୍ମିଳନୀର ସବୁଠୁ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକ ମଧ୍ୟରେ ବୈଶ୍ୱିକ ମିଥେନ ସଙ୍କଳ୍ପ ଥିଲା ଅନ୍ୟତମ । ଉକ୍ତ ସଙ୍କଳ୍ପରେ ୨୦୩୦ ସୁଦ୍ଧା ମିଥେନ ନିର୍ଗମନ ୩୦% କମାଇବା ଲାଗି ୧୦୦ରୁ ଊର୍ଦ୍ଧ୍ୱ ଦେଶ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ତେବେ ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ରୋକିବା ପାଇଁ ଗ୍ରହଣ କରାଯାଉଥିବା ପ୍ରଭାବୀ ପଦକ୍ଷେପଗୁଡ଼ିକ ମଧ୍ୟରେ ମିଥେନ ନିର୍ଗମନ ହ୍ରାସ ପ୍ରକ୍ରିୟାର ଗୁରୁତ୍ୱ ଅଧିକ । ମିଥେନ ନିର୍ଗମନ ହ୍ରାସ ଜଳବାୟୁ ପରିବର୍ତ୍ତନ ରୋକିବା ସହ ଲୋକଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆଣିବାରେ ଭୂମିକା ନେଇପାରିବ। ମିଥେନ ଗ୍ୟାସ୍‌ ଅତି କ୍ଷତିକାରକ ସବୁଜ ଗୃହ ବାଷ୍ପ। ବାୟୁମଣ୍ଡଳରେ ଏହା କାର୍ବନ ଡାଇଅକ୍ସାଇଡ ତୁଳନାରେ ୮୦ ଗୁଣ ଅଧିକ ତାପମାତ୍ର ଅବଶୋଷଣ କରିଥାଏ। ସାମ୍ପ୍ରତିକ ବିଶ୍ୱତାପନ ବୃଦ୍ଧି କରୁଥିବା ଗ୍ୟାସଗୁଡ଼ିକ ମଧ୍ୟରେ ମିଥେନ ପରିମାଣ ପ୍ରାୟ ଏକ ଚତୁର୍ଥାଂଶ। ସେଥିପାଇଁ ଲଗାତର ତୀବ୍ର ପାଣିପାଗ କୈନ୍ଦ୍ରିକ ଘଟଣାଗୁଡ଼ିକ ଘଟୁଛି, ଖାଦ୍ୟ ଅସୁରକ୍ଷା ବୃଦ୍ଧି ପାଉଛି, ସଂକ୍ରାମକ ରୋଗ ବିପଦ ବଢୁଛି ,ସ୍ବଚ୍ଛ ଜଳ ପାଇବା କଷ୍ଟକର ହୋଇପଡ଼ୁଛି ଏବଂ ବାୟୁର ମାନ ନଷ୍ଟ ହେଉଛି। କେବଳ ଏତିକି ନୁହେଁ, ସାର୍ବଜନୀନ ସ୍ବାସ୍ଥ୍ୟ ମଧ୍ୟ ଗଭୀର ଭାବେ ପ୍ରଭାବିତ ହେଉଛି। ବିିଶେଷ କରି ଗରିବ ଏବଂ ସଂସାଧନରୁ ବଞ୍ଚିତ ବର୍ଗ ସ୍ବାସ୍ଥ୍ୟସେବା ନ ପାଇବା, ଖରାପ ପୋଷଣ, ଅସୁରକ୍ଷିତ ବାସ ଓ କର୍ମ ପରିବେଶରେ ରହିବା ଯୋଗୁ ସେମାନେ ଅତ୍ୟଧିକ ବିପଦର ସମ୍ମୁଖୀନ ହୋଇଛନ୍ତି।
ଏଭଳି ପ୍ରଦୂଷଣ ସଂସ୍ପର୍ଶରେ ଆସିବା ଫଳରେ ଶ୍ୱାସନଳୀ ନଷ୍ଟ ହୋଇଥାଏ, ଫୁସ୍‌ଫୁସ୍‌ ରୋଗ ଏବଂ ଶ୍ୱାସ ରୋଗ ବୃଦ୍ଧିପାଏ, ହୃଦ୍‌ରୋଗ ଓ ତତ୍‌ଜନିତ ମୃତ୍ୟୁହାର ମଧ୍ୟ ବଢ଼ିଯାଏ। ଏହା ମଧ୍ୟ ଦୃଦ୍‌ଘାତ ଆଶଙ୍କା ବୃଦ୍ଧିକରେ। ପରିଣାମ ସ୍ବରୂପ ଉପତ୍ାଦକତା ହ୍ରାସ ପାଇବା ସହ ଚିକିତ୍ସା ଖର୍ଚ୍ଚ ବଢୁଛି ଏବଂ ସ୍ବାସ୍ଥ୍ୟାବସ୍ଥାରେ ଉପରେ ଅଧିକ ଚାପ ପଡ଼ୁଛି। ପ୍ରଦୂଷିତ ଓଜୋନ ଶସ୍ୟ ବୃଦ୍ଧିକୁ ରୋକିବା ସହ ଖାଦ୍ୟ ଅସୁରକ୍ଷା ବଢାଇବାର ସମ୍ଭାବନା ରହିଛି। କିନ୍ତୁ ଗୋଟିଏ ଭଲ ଖବର ହେଉଛି, କାର୍ବନ ଡାଇଅକ୍ସାଇଡ ଭଳି ମିଥେନ ବାୟୁମଣ୍ଡଳରେ ଅଧିକ ଦିନ ରହିବା ସମ୍ଭାବନା ନାହିଁ। ଏଣୁ ମିଥେନ ନିର୍ଗମନ ହ୍ରାସ କରିବାର ପ୍ରଭାବ ଶୀଘ୍ର ଅନୁଭବ କରିହେବ ଏବଂ ଏଥିପାଇଁ ବୈଶ୍ୱିକ ମିଥେନ ସଙ୍କଳ୍ପ ସ୍ପଷ୍ଟତଃ ଏକ ଉଚିତ ପଦକ୍ଷେପ। କିନ୍ତୁ ହାରାହାରି ବିଶ୍ୱତାପନ ୧.୫ ଡିଗ୍ରୀ ସେଲ୍‌ସିୟସରେ ସୀମିତ ରଖିବାରେ ଲକ୍ଷ୍ୟ ହାସଲ କରିବା ଏବଂ ସାର୍ବଜନୀନ ସ୍ବାସ୍ଥ୍ୟରେ ଉନ୍ନତି ଆଣିବାକୁ ହେଲେ ବିଶ୍ୱକୁ ଆହୁରି ମହତ୍ତ୍ୱାକାଂକ୍ଷୀ ପଦକ୍ଷେପ ନେବାକୁ ପଡ଼ିବ। ୨୦୩୦ ସୁଦ୍ଧା ମିଥେନ ନିର୍ଗମନ ୪୫% କମାଇ ପାରିଲେ ୨୦୪୦ ସୁଦ୍ଧା ବିଶ୍ୱତାପନ ୦.୩% ହ୍ରାସ ହେବ। ଏହି ପଦକ୍ଷେପଗୁଡ଼ିକୁ ଗତିଶୀଳ କରିବା ଲାଗି କଲ୍ୟାଣକାରୀ କାର୍ଯ୍ୟରେ ଜଡ଼ିତ ପ୍ରମୁଖ ସଂସ୍ଥାଗୁଡ଼ିକ ଏକାଠି ଗତ ବର୍ଷ ଏକ ଗ୍ଲୋବାଲ ମିଥେନ ହବ୍‌ ଆରମ୍ଭ କରିଛନ୍ତି ଓ ଲୋକ ହିତରେ ୩୩୦ ମିଲିୟନ ଡଲାର ଉପଯୋଗ କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଏହି ହବ୍‌ କ୍ଲାଇମେଟ ଆଣ୍ଡ୍‌ କ୍ଲିନ୍‌ ଏୟାର କୋଆଲିସନ ବା ଜଳବାୟୁ ଏବଂ ସ୍ବଚ୍ଛ ବାୟୁ ମେଣ୍ଟକୁ ୧୦ ମିଲିୟନ ଡଲାର ଆବଣ୍ଟନ କରିବାକୁ ଘୋଷଣା କରିସାରିଛି। ମିଥେନ ନିର୍ଗମନ ହ୍ରାସ ଯୋଜନା ପ୍ରସ୍ତୁତ ଲାଗି ୩୦ ଦେଶକୁ ସାହାଯ୍ୟ କରିବାକୁ ଏଭଳି କରିଛି। ନିର୍ଗମନ କମ୍‌ କରିବା ସକାଶେ ନୂତନ ଆବିଷ୍କାରଗୁଡ଼ିକୁ ସହଯୋଗ କରିବାକୁ ଉକ୍ତ ହବ୍‌ ଏଗ୍ରିକଲ୍‌ଚର ଇନୋଭେଶନ ମିଶନ୍‌ ଫର୍‌ କ୍ଲାଇମେଟ୍‌ ସହ ମଧ୍ୟ ଯୋଗଦେଇଛି। ଏଣୁ ଏନ୍‌ଜିଓ ଓ ତୃଣମୂଳ ସ୍ତରରେ ସଂଗଠନଗୁଡ଼ିକୁ ସହଯୋଗ କରି ପଶୁପାଳନ (ବୈଶ୍ୱିକ ମିଥେନ୍‌ ନିର୍ଗମନର ୩୦% ), ତୈଳ ଓ ଗ୍ୟାସ ( ୨୫%) ଏବଂ ବାହାରେ ଠୁଳ ହେଉଥିବା ବର୍ଜ୍ୟ(୧୫%)ରୁ ନିର୍ଗମନ ହ୍ରାସ କରିବା ପାଇଁ ପ୍ରକ୍ରିୟାରେ ଉନ୍ନତି ଆଣିବା ହବ୍‌ର ମୁଖ୍ୟ ଲକ୍ଷ୍ୟ ହେବ।
ତୈଳ ଓ ବାଷ୍ପ୍ବ କ୍ଷେତ୍ରକୁ ବିଚାର କରାଯାଉ। ଅନ୍ତର୍ଜାତୀୟ ଶକ୍ତି ସଂସ୍ଥା (ଆଇଇଏ) ଆକଳନ ଅନୁଯାୟୀ, ଏବେ ଏହି କ୍ଷେତ୍ରରେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମଗୁଡ଼ିକୁ ଅନେକ ଦେଶ ଗ୍ରହଣ କଲେ ନିର୍ଗମନ ଅଧା କମାଯାଇପାରିବ। ଆଇଇଏ ଅନୁସାରେ, ଉପଲବ୍ଧ ହେଉଥିବା ଅତିରିକ୍ତ ପଦକ୍ଷେପ ଦ୍ୱାରା ବୈଶ୍ୱିକ ତୈଳ ଓ ବାଷ୍ପ କାର୍ଯ୍ୟଧାରାରୁ ଟେକ୍‌ନିକାଲି ମିଥେନ ନିର୍ଗମନ ଏକ ତୃତୀୟାଂଶ ହ୍ରାସ କରିବା ସମ୍ଭବ ହେବ। ଟେକ୍‌ନୋଲୋଜି ଓ ଅନ୍ୟ ସବୁ ବ୍ୟବସ୍ଥାର ସୁଯୋଗ ନେଇ ସବୁଠୁ ଅଧିକ ମିଥେନ ନିର୍ଗମନକାରୀ ସେକ୍ଟରଗୁଡ଼ିକୁ ନଜରରେ ରଖି ନୀତି ନିର୍ଦ୍ଧାରକମାନେ ଜଳବାୟୁ କାର୍ଯ୍ୟକ୍ରମକୁ ଆଗେଇ ନେଇପାରିବେ ଏବଂ ତୈଳ ଓ ବାଷ୍ପ କାର୍ଯ୍ୟକଳାପ ଚାଲୁଥିବା ସ୍ଥାନ ନିକଟରେ ରହୁଥିବା ଲୋକମାନଙ୍କୁ ପର୍ଯ୍ୟାପ୍ତ ସ୍ବାସ୍ଥ୍ୟ ଉପକାର ପହଞ୍ଚାଇପାରିବେ। ମିଥେନ ସହ କ୍ଷତିକାରକ କଣିକା ନିର୍ଗତ ହେଉଥିବା ତୈଳ ଓ ବାଷ୍ପ କୂପ ନିକଟରେ ଥିବା ବସତିରେ ଶ୍ୱାସ ହାର ବଢ଼ିବା, କମ୍‌ ଓଜନର ଶିଶୁ ଜନ୍ମ ନେବା, ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ ହେବା ଭଳି ସମସ୍ୟା ବୃଦ୍ଧି ପାଇବାର ଗବେଷଣାଲବ୍ଧ ପ୍ରମାଣ ରହିଛି। ଏଣୁ ଏହି ସେକ୍ଟରରେ ମିଥେନ ନିର୍ଗମନ ହ୍ରାସ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ହିଁ ପ୍ରଥମ ପଦକ୍ଷେପ। ନିକଟରେ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଗ୍ୟାସ ଇନ୍ଧନ ଚାଳିତ ଷ୍ଟୋଭ ଏବଂ ଓ୍ବାଟର ହିଟରରୁ ମିଥେନ ନିର୍ଗତ ହୋଇ ଘର ଭିତର ଓ ବାହାର ପରିବେଶକୁ ପ୍ରଦୂଷିତ କରୁଛି। ଏହାର ସମାଧାନ ଲାଗି ନୀତିନିର୍ଦ୍ଧାରକମାନେ ଅକ୍ଷୟ ଶକ୍ତି କ୍ଷମତା ଓ ବିଦ୍ୟୁତୀକରଣକୁ ବ୍ୟାପକ ସମ୍ପ୍ରସାରିତ କରିବା ଉଚିତ।
କୃଷି ଓ ବର୍ଜ୍ୟ ପରିଚାଳନାରୁ ବାହାରୁଥିବା ମିଥେନ ପରିମାଣ କମାଇବା ଲାଗି ମଧ୍ୟ ବହୁ ସୁଯୋଗ ରହିଛି। ପଶୁଙ୍କୁ ଉନ୍ନତ ମାନର ଚାରା ଖାଇବାକୁ ଦେଇ ପାକକ୍ରିୟାରେ ଅନ୍ତନଳୀରୁ ନିର୍ଗତ ମିଥେନ ପରିମାଣ ହ୍ରାସ କରାଯାଇପାରିବ। ବର୍ଜ୍ୟରୁ ପ୍ରକ୍ରିୟାକରଣ ପଦ୍ଧତିରେ ବିଦ୍ୟୁତ ଯୋଗାଇଦେଲେ ମିଥେନ ନିର୍ଗମନ ହ୍ରାସ ପାଇବ। ତେବେ ହଠାତ୍‌ ମିଥେନ ନିର୍ଗମନ ହ୍ରାସ କରିବା ଏକ କଠିନ ବ୍ୟାପାର ଏବଂ ବୈଶ୍ୱିକ ମିଥେନ ସଙ୍କଳ୍ପ ମଧ୍ୟ ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼େଇ କରିବା ଲାଗି ଏଭଳି ପଦକ୍ଷେପଗୁଡ଼ିକର ଗୁରୁତ୍ୱ ସମ୍ପର୍କରେ ବିଶ୍ୱସ୍ତରରେ ସଚେତନତା ବଢ଼ାଉଛି। କିନ୍ତୁ ପ୍ରତିବଦ୍ଧତାକୁ ବାସ୍ତବ ପ୍ରଗତିରେ ପରିବର୍ତ୍ତନ କରିବା ଏତେ ସହଜ ହେବ ନାହିଁ। ସେଥିପାଇଁ ମିଥେନ ନିର୍ଗମନ ହ୍ରାସ କରିବା ଯୋଗୁ କେଉଁ ସ୍ବାସ୍ଥ୍ୟଗତ ଉପକାର ମିଳୁଛି, ତାହାକୁ ଲୋକଲୋଚନକୁ ଆଣିବା ଗୁରୁତ୍ୱପୂର୍ଣ୍ଣ। ମିଥେନ ନିର୍ଗମନ ହ୍ରାସ କରିବା ଏବଂ ବିଶ୍ୱରେ ସାର୍ବଜନୀନ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ଲାଗି ଗବେଷକ, ସମାଜ, ସ୍ବାସ୍ଥ୍ୟ କର୍ମୀଙ୍କ ସାହାଯ୍ୟରେ ଆମେ ଏକ ସହଯୋଗୀ, ସହଭାଗୀ ପ୍ରକ୍ରିୟା ଗଢ଼ିବା ସହ ନିବେଶ ପାଇଁ ଉତ୍ତମ ସ୍ଥିତି ସୃଷ୍ଟି କରିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ସୁଖର ଗାଣିତିକ ପରିପ୍ରକାଶ

ଅନେକ ଖୁସିର ସମାହାର ହିଁ ସୁଖ। ତେବେ ଖୁସି କେବେ ବି ବାହାରୁ ମିଳେ ନାହିଁ। ଉପଲବ୍ଧ ନ ଥାଏ କେଉଁଠି ବାହାରେ। ଖୁସି କେଉଁଠି...

ଆଧ୍ୟାତ୍ମିକ ରାଷ୍ଟ୍ରବାଦ ଓ ଶ୍ରୀଅରବିନ୍ଦ

ପୃଥିବୀର ଅନେକ ରାଜନେତା, ରାଜନୀତି ବିଶାରଦ ଓ ଦାର୍ଶନିକ ରାଷ୍ଟ୍ରବାଦର କଥା କହିଛନ୍ତି, କିନ୍ତୁ ଆଧ୍ୟାତ୍ମିକ ରାଷ୍ଟ୍ରବାଦର କଥା ଆମେ ଜାଣିବାରେ ଏକା ଶ୍ରୀଅରବିନ୍ଦ ହିଁ...

ମା’ ଧରିତ୍ରୀ

ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ୨୯ତମ କନ୍‌ଫରେନ୍ସ ଅଫ୍‌ ପାର୍ଟିଜ୍‌(କପ୍‌୨୯) ଆଜରବୈଜାନ ରାଜଧାନୀ ବାକୁଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ୟୁରୋପ ଓ ପଶ୍ଚିମ ଏସିଆର ସୀମାନ୍ତରେ ଅବସ୍ଥିତ...

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri