ଥିରୁଭାନନ୍ତପୁରମ୍,୬।୪: କେରଳ ବିଧାନସଭା ନିର୍ବାଚନ ୨୦୨୧ ପାଇଁ ମଙ୍ଗଳବାର ମତଦାନ ଚାଲିଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୭ଟାରୁ ୧୪୦ଟି ଆସନ ପାଇଁ ମତଦାନ ଆରମ୍ଭ ହୋଇଛି। ଏହି ନିର୍ବାଚନରେ ସମସ୍ତଙ୍କ ଆଖି ଏଠାରେ ଥିବା ପଲକ୍କଡ ବିଧାନସଭା ଆସନ ଉପରେ ରହିଛି। ଏଠାରୁ ଭାଜପା ପ୍ରାର୍ଥୀ ‘ମେଟ୍ରୋ ମ୍ୟାନ’ ଇ ଶ୍ରୀଧରନ ଲଢୁଛନ୍ତି। ନିକଟରେ ଶ୍ରୀଧରନ ଭାଜପାରେ ଯୋଗ ଦେଇଥିଲେ। ଭୋଟ ଦେବା ପରେ ସେ କହିଛନ୍ତି ଯେ ଭଜପାରେ ତାଙ୍କର ପ୍ରବେଶ ପରେ କେରଳରେ ଦଳର ଭାବମୂର୍ତ୍ତିକୁ ବଦଳାଇ ଦେଇଛି। ପୋନାନିର ଏକ ମତଦାନ କେନ୍ଦ୍ରରେ ଶ୍ରୀଧରନ ତାଙ୍କ ସ୍ତ୍ରୀଙ୍କ ସହ ଭୋଟ ଦେବାକୁ ଆସିଥିଲେ। ସେ କହିଛନ୍ତି, ମୁଁ ମୋର କର୍ତ୍ତବ୍ୟ କରିସାରିଛି ।ଲୋକମାନେ ନିଜେ ରାଜ୍ୟର ବିକାଶ ପାଇଁ ଭୋଟ ଦେଉଛନ୍ତି। ମୁଁ ଅନୁଭବ କଲି ଯେ ମୋ ରାଜ୍ୟର ସେବା ଜାରି ରହିବା ଉଚିତ ଏବଂ ସେଥିପାଇଁ ମୁଁ ଭାଜପା ବାଛିଲି ବୋଲି ସେ କହିଛନ୍ତି।