ମେଟଲ୍‌ ମିଟ୍‌ ୨୦୨୪: ସିନିୟର ବିଭାଗରେ ଏମ୍ସ ଭୁବନେଶ୍ୱର ଚାମ୍ପିୟନ୍‌

ଭୁବନେଶ୍ୱର,୪ା୮(ଅସମାପିକା ସାହୁ) ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ କ୍ରିଷ୍ଟାଲ କ୍ରାଉନ୍‌ ହୋଟେଲରେ ଦୁଇଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ କୁଇଜ୍‌ ପ୍ରତିଯୋଗିତାର ଷଷ୍ଠ ସଂସ୍କରଣ ‘ମେଟଲ୍‌ ମିଟ୍‌ ୨୦୨୪’ର ରବିବାର ଶେଷ ହୋଇଛି । ଗ୍ରାଣ୍ଡ ଫିନାଲେରେ ସିନିୟର ବିଭାଗର ଟପ୍‌-୮ଟି ଟିମ୍‌ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ଏମ୍ସ ଭୁବନେଶ୍ୱର ଚାମ୍ପିୟନ୍‌ ହୋଇଛି। ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ କଟକ ପ୍ରଥମ ରନର୍ସଅପ ହୋଇଥିବା ବେଳେ ଏନ୍‌ଆଇଟି ରାଉରକେଲା ଦ୍ୱିତୀୟ ରନର୍ସଅପ ହୋଇଛନ୍ତି।

ଓଡ଼ିଶାପୋଷ୍ଟ ଏବଂ ଧରିତ୍ରୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଏବଂ ସମ୍ପାଦକ ତଥାଗତ ସତପଥୀ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ବିଜେତା ଟିମ୍‌କୁ ୧ଲକ୍ଷ ଟଙ୍କା ଲେଖାଏ ପୁରସ୍କୃତ କରାଯାଇଥିବା ବେଳେ ପ୍ରଥମ ରନର୍ସଅପ ଦଳକୁ ୫୦ ହଜାର ଟଙ୍କା ଏବଂ ଦ୍ୱିତୀୟ ରନର୍ସଅପକୁ ୨୫ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି । କୁଇଜ୍‌ର ଏହି ମହାକୁମ୍ଭକୁ ଚଳିତ ବର୍ଷ ଲୋକପ୍ରିୟ କୁଇଜ୍‌ ମାଷ୍ଟର ଅଜୟ ପୁନିଆ ହୋଷ୍ଟ କରିଥିଲେ। କାର୍ଯ୍ୟକ୍ରମକୁ ମୁନ୍‌ମୁନ୍‌ ସିଂ ସଂଯୋଜନା କରିଥିଲେ।

କୁଇଜ୍‌ର ଏହି ମହାକୁମ୍ଭରେ ରାଜ୍ୟର ବିଭିନ୍ନ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟରୁ ମୋଟ ୮୩ଟି ଟିମ୍‌ ଅଂଶଗ୍ରହଣ କରିଥିଲେ। ପ୍ରିଲିମ୍ସ ରାଉଣ୍ଡ୍‌ରେ ଜୁନିୟର ବର୍ଗରେ ୪୨ ଟିମ୍‌ ଓ ସିନିୟର ବର୍ଗରେ ୪୧ ଟିମ୍‌ ଭାଗ ନେଇଥିବା ବେଳେ ଗ୍ରାଣ୍ଡ ଫାଇନାଲ୍ସ ପାଇଁ ମୋଟ ୧୬ ଟିମ୍‌ (୮ଟି ଜୁନିୟର ଓ ୮ଟି ସିନିୟର) ମନୋନୀତ ହୋଇଥିଲେ ।

Share