Categories: ଜାତୀୟ

ମେଓ୍ବାତ ଡେପୁଟି ଏସ୍‌ପି ସୁରେନ୍ଦ୍ର ସିଂଙ୍କୁ ହତ୍ୟା

ଚଣ୍ଡିଗଡ଼,୧୯।୭: ହରିୟାଣାର ନୁହ ଜିଲାର ମେ ଓ୍ବାତରେ ଡେପୁଟି ଏସ୍‌ପି ସୁରେନ୍ଦ୍ର ସିଂ ବିଶ୍ନୋଇଙ୍କୁ ହତ୍ୟା କରାଯାଇଛି। ଖଣି ମାଫିଆମାନେ ତାଙ୍କ ଉପରେ ଡମ୍ପର ଚଢ଼ାଇ ଦେଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପୋଲିସ ମାଫିଆକୁ ଧରିବା ପାଇଁ ପଚଗାଓଁ ପାହାଡକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା। ଏହି ଘଟଣା ବେଆଇନ ଖଣି ମାଫିଆ ଦ୍ୱାରା କରାଯାଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ଖଣି ମାଫିଆମାନେ ପଚଗାଓଁ ପାହାଡ ନିକଟରେ ବେଆଇନ ଭାବେ ଖଣି ଖନନ କରୁଥିବା ନେଇ ଡିଏସପିଙ୍କୁ ଖବର ମିଳିଥିଲା। ସୂଚନା ପାଇବା ମାତ୍ରେ ଡିଏସ୍‌ପି ସୁରେନ୍ଦ୍ର ସିଂ ତାଙ୍କ ପୁରା ଟିମ୍‌ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ତାଙ୍କ ଆଖି ପଥରରେ ଭର୍ତ୍ତି ଥିବା ଏକ ଡମ୍ପର ଉପରେ ପଡିଥିଲା। ପ୍ରଥମେ ସେ ସେହି ଡମ୍ପରକୁ ରୋକିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଡ୍ରାଇଭର ଜଣକ ଗାଡ଼ି ଧରି ସେଠାରୁ ଚମ୍ପଟ ମାରିଥିଲେ। ତେବେ ଡ୍ରାଇଭରଙ୍କୁ ଅଟକାଇବାକୁ ଯାଇ ଡିଏସ୍‌ପି ଡମ୍ପରକୁ ଅନୁସରଣ କରିବା ସହ ଗାଡ଼ି ସମ୍ମୁଖରେ ଯାଇ ଠିଆ ହୋଇଯାଇଥିଲେ। ଏହି ସମୟରେ ଖଣି ମାଫିଆର ଲୋକମାନେ ତାଙ୍କ ଉପରକୁ ଉକ୍ତ ଡମ୍ପରକୁ ଚଢ଼ାଇ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରେ ସୁରେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା। ସୂଚନା ମୁତାବକ, ଡିଏସ୍‌ପି ସୁରେନ୍ଦ୍ର ସିଂ ହିସାର ଜିଲାର ସାରଙ୍ଗପୁର ଗାଁର ବାସିନ୍ଦା ଥିବା ବେଳେ ବର୍ତ୍ତମାନ ତାଙ୍କ ପରିବାର ସହିତ ସେ କୁରୁକ୍ଷେତ୍ରରେ ରହୁଥିଲେ। ଡିଏସ୍‌ପି ସିଂ ୧୯୯୪ରେ ହରିୟାଣା ପୋଲିସରେ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର ଭାବେ ନିଯୁକ୍ତ ହୋଇଥିଲେ। ତେବେ କିଛି ମାସ ମଧ୍ୟରେ ସେ ଅବସର ନେବାକୁ ଯାଉଥିଲେ। ହେଲେ ବିଧାତାଙ୍କର ଇଛା ଆଉ କିଛି ଥିଲା।

Share