ଚେନ୍ନାଇ,୧୫।୧୦: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମ୍କେର ପ୍ରତିଷ୍ଠାତା ଏମ୍.ଜି. ରାମଚନ୍ଦ୍ରନ(ଏମ୍ଜିଆର୍)ଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ ଶୁକ୍ରବାର କୁଡ଼ାଲୋର ଜିଲାରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଏଆଇଏଡିଏମ୍କେ କର୍ମୀମାନେ ଏହାର ପ୍ରତିବାଦରେ ବିକ୍ଷୋଭ ଶୋଭାଯାତ୍ରା ବାହାର କରିଥିଲେ। ଅକ୍ଟୋବର ୧୭ରେ ଏଆଇଏଡିଏମ୍କେର ପ୍ରତିଷ୍ଠା ଦିବସ ଥିବାବେଳେ ଏମ୍ଜିଆର୍ଙ୍କ ପୂର୍ଣ୍ଣାବୟବ ସିମେଣ୍ଟ ପ୍ରତିମୂର୍ତ୍ତିର ବାମ ହାତ କେହି ଭାଙ୍ଗିଦେଇଥିବା ଶୁକ୍ରବାର ସକାଳେ ଦେଖିବାକୁ ମିଳିଥିଲା। ଦଳର ବରିଷ୍ଠ ନେତା ତଥା ଭୁବନଗିରି ବିଧାୟକ ଅରୁଣାମୋଝିଥେଭାନ୍ଙ୍କ ନେତୃତ୍ୱରେ ମରୁଥଥୁର ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।