Categories: ଜାତୀୟ

ଘର ବାହୁଡ଼ା ପରେ ହଟିଲା ଜେଡ୍‌ ସିକ୍ୟୁରିଟି

କୋଲକାତା,୧୭।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ଛାଡ଼ି ଭାଜପାର ହାତ ଧରିଥିଲେ ମୁକୁଲ ରୟ। ହେଲେ ନିକଟରେ ପୁଣି ଥରେ ତାଙ୍କର ଘର ବାହୁଡ଼ା ହୋଇଛି। ଅର୍ଥାତ୍‌ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମ୍‌ସିର ବିଜୟ ହାସଲ ପରେ ମୁକୁଲ ପୁଣି ଥରେ ଦଳକୁ ଫେରିଛନ୍ତି। ଟିଏମ୍‌ସିକୁ ଫେରିବା ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମୁକୁଲଙ୍କ ଜେଡ୍‌ ସିକ୍ୟୁରିଟିକୁ ପ୍ରତ୍ୟାହାର କରିନେଇଛି। ଏନେଇ ସିଆରପିଏଫ୍‌ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଗୁରୁବାର ସକାଳେ ମୁକୁଲଙ୍କ ସୁରକ୍ଷାରେ ଥିବା ୩୩ସିଆରପିଏଫ୍‌ କର୍ମଚାରୀଙ୍କୁ ହଟାଇ ଦିଆଯାଇଛି। ସୂଚନାମୁତାବକ ବିଧାନସଭା ନିର୍ବାଚନ ସମୟରେ ଟିଏମ୍‌ସି କର୍ମକର୍ତ୍ତାଙ୍କ ପକ୍ଷରୁ ଥିବା ବିପଦ ଆଶଙ୍କାରେ ତାଙ୍କର ସୁରକ୍ଷାକୁ ବଢ଼ାଇ ଦିଆଯାଇଥିଲା। ତେବେ ଟିଏମ୍‌ସିରେ ଯୋଗଦେବା ପରେ ତାଙ୍କର କେନ୍ଦ୍ରୀୟ ସୁରକ୍ଷାକୁ ପ୍ରତ୍ୟାହାର କରିନେବାକୁ ମୁକୁଲ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଏକ ଚିଠି ଲେଖିଥିଲେ। ଗତ ସପ୍ତାହରେ ତାଙ୍କ ପୁଅ ଶୁଭ୍ରାଂଶୁଙ୍କ ସିଆଇଏସ୍‌ଏଫ୍‌ ସୁରକ୍ଷା ମଧ୍ୟ ପ୍ରତ୍ୟାହାର କରାଯାଇଥିଲା।

Share