Categories: ଖେଳ

ଏମ୍‌ଆଇ ନ୍ୟୁୟର୍କ ଚାମ୍ପିୟନ

ନୂଆଦିଲ୍ଳୀ, ୧ା୮:ମେଜର ଲିଗ୍‌ କ୍ରିକେଟ୍‌ର ପ୍ରଥମ ସଂସ୍କରଣରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ଏମ୍‌ଆଇ ନ୍ୟୁୟର୍କ। ସୋମବାର ଅନୁଷ୍ଠିତ ଫାଇନାଲରେ ସିଅଟେଲ ଓକ୍ରାସକୁ ଦଳ ୬ ଉଇକେଟରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ସିଆଟେଲ ୯ ଉଇକେଟ ହରାଇ ୧୮୩ ରନ୍‌ ସ୍କୋର କରିଥିଲା। ଜବାବରେ ମୁମ୍ବାଇ ଇଣ୍ଡିଆନ୍ସର ଫ୍ରାଞ୍ଚାଇଜି ରହିଥିବା ଏମ୍‌ଆଇ ନ୍ୟୁୟର୍କ ୧୬ ଓଭରରେ ୪ ଉଇକେଟ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା।
ଏମ୍‌ଆଇ ଟସ୍‌ ଜିତି ପ୍ରଥମେ ବୋଲିଂ ନେଇଥିଲା। କ୍ୱିଣ୍ଟନ୍‌ ଡି କକ୍‌ ୮୭ ରନ୍‌ ସ୍କୋର କରିବାରୁ ସିଆଟେଲ ୨୦ ଓଭରରେ ୯ ଉଇକେଟରେ ୧୮୩ ରନ୍‌ କରିଥିଲା। ୫୨ ବଲ୍‌ର ଏହି ଇନିଂସରେ ୯ ଚୌକା ଓ ୪ ଛକା ସାମିଲ ଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଶୁଭମ ରଞ୍ଜାନେ ୨୯ ଓ ଡ୍ବେନ୍‌ ପ୍ରିଟୋରିଅସ୍‌ ୨୧ ରନ୍‌ ସ୍କୋର କରିଥିଲେ। ଏମ୍‌ଆଇ ପକ୍ଷରୁ ରଶିଦ୍‌ ଖାନ୍‌ ଓ ଟ୍ରେଣ୍ଟ ବୋଲ୍ଟ ୩ଟି ଲେଖାଏ ଉଇକେଟ ନେଇଥିଲେ। ଡି କକ୍‌ ଗୋଟିଏ ପାର୍ଶ୍ୱରୁ ଦ୍ରୁତ ରନ୍‌ ସଂଗ୍ରହ କରୁଥିବା ବେଳେ ଅନ୍ୟ ଖେଳାଳି ମାନେ ବିଫଳ ହୋଇଥିଲେ। ରଶିଦ୍‌ ଖାନ୍‌ ୪ଓଭରରେ ମାତ୍ର ୯ ରନ୍‌ ବ୍ୟୟ କରି ନୌମାନ ଅନଓ୍ବର, ହେନରିଚ୍‌ କ୍ଲାସେନ୍‌ ଓ ଇମାଦ ଓ୍ବାସିମ୍‌ଙ୍କୁ ଆଉଟ କରି ବିପର୍ଯ୍ୟୟ ଘଟାଇଥିଲେ।
ଜବାବରେ ନିକୋଲାସ୍‌ ପୁରନଙ୍କ ଅପରାଜିତ ଶତକ ବଳରେ ୧୬ ଓଭରରେ ୪ ଉଇକେଟ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରି ନେଇଥିଲା ଏମ୍‌ଆଇ ନ୍ୟୁୟର୍କ। ପ୍ରଥମ ଓଭରରେ ଖାତା ଖୋଲିବା ପୂର୍ବରୁ ଓପନର ଷ୍ଟିଭେନ୍‌ ଟେଲର ଆଉଟ ହୋଇଥିଲେ। ତେବେ ଅଧିନାୟକ ନିକୋଲାସ୍‌ ପୁରନ୍‌ ୫୫ ବଲ୍‌ରୁ ଅପରାଜିତ ୧୩୭ ରନ୍‌ ସ୍କୋର କରିବା ସହ ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ। ପୁରନଙ୍କ ଇନିଂସରେ ୧୦ ଚୌକା ଓ ୧୩ ଛକା ସାମିଲ ଥିଲା। ଅନ୍ୟ ଖେଳାଳିଙ୍କ ମଧ୍ୟରେ ଡଓ୍ବୋଲ୍ଡ ବ୍ରେଭିସ୍‌ ୨୦ ରନ୍‌ ସ୍କୋର କରିଥିଲେ। ନିକୋଲାସ୍‌ ପୁରନଙ୍କୁ ପ୍ଲେୟର୍‌ ଅଫ୍‌ ଦ ମ୍ୟାଚ୍‌ ଓ କାମେରନ ଗ୍ରୀନଙ୍କୁ ପ୍ଲେୟର ଅଫ୍‌ ଦ ସିରିଜ ଘୋଷଣା କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର
ସିଆଟେଲ ଓକ୍ରାସ ୨୦ ଓଭରରେ ୧୮୩/୯(କ୍ୱିଣ୍ଟନ୍‌ ଡି କକ୍‌-୮୭, ଶୁଭମ ରଞ୍ଜାନେ-୨୯, ଡ୍ବେନ୍‌ ପ୍ରିଟୋରିଅସ-୨୧, ରଶିଦ୍‌ ଖାନ୍‌-୩/୯, ଟ୍ରେଣ୍ଟ ବୋଲ୍ଟ-୩/୩୪, ଷ୍ଟିଭେନ୍‌ ଟେଲର-୧/୨୫)।
ଏମ୍‌ଆଇ ନ୍ୟୁୟର୍କ ୧୬ ଓଭରରେ ୧୮୪/୪ (ନିକୋଲାସ୍‌ ପୁରନ୍‌-୧୩୭*, ଡଓ୍ବୋଲ୍ଡ ବ୍ରେଭିସ୍‌-୨୦, ଟିମ୍‌ ଡେଭିଡ୍‌-୧୦*, ଇମାଦ ଓ୍ବାସିମ୍‌-୧/୧୪)।

Share