Categories: ଖେଳ

ମେଡ୍‌ଭେଡେଭ୍‌ଙ୍କୁ ମାୟାମି ଓପନ୍‌ ଟାଇଟଲ

ମାୟାମି ଗାର୍ଡେନ୍ସ, ୪।୪(ଏପି): ଡାନିଲ ମେଡ୍‌ଭେଡେଭ୍‌ ଚଳିତ ବର୍ଷ ତାଙ୍କ ୪ର୍ଥ ଏଟିପି ଟାଇଟଲ ହାସଲ କରିଛନ୍ତି। ଏଠାରେ ଅନୁଷ୍ଠିତ ଫାଇନାଲରେ ଜାନିକ୍‌ ସିନରଙ୍କୁ ୭-୫, ୬-୩ ସେଟ୍‌ରେ ହରାଇ ସେ ମାୟାମି ଓପନ୍‌ ପୁରୁଷ ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି। ମ୍ୟାଚ୍‌ ଜିତିବା ଲାଗି ତାଙ୍କୁ ୧ ଘଣ୍ଟା ୩୪ ମିନିଟ୍‌ ସମୟ ଲାଗିଥିଲା। ଗତ ୨୫ଟି ମ୍ୟାଚ୍‌ରେ ଏହା ହେଉଛି ତାଙ୍କର ୨୪ତମ ବିଜୟ। ସେ ଯେଉଁଥିରେ ପରାଜିତ ହୋଇଥିଲେ ତାହା ଶୀର୍ଷ ର଼୍ୟାଙ୍କିଙ୍ଗ୍‌ପ୍ରାପ୍ତ କାର୍ଲୋସ ଅଲ୍‌କାରାଜଙ୍କ ବିପକ୍ଷରେ ଇଣ୍ଡିଆନ୍‌ ଓ୍ବେଲ୍ସ ଫାଇନାଲରେ।
ଦୁଇ ଖେଳାଳି ସେମାନଙ୍କ କ୍ୟାରିୟରରେ ପରସ୍ପରକୁ ୬ଥର ଭେଟିଛନ୍ତି। ସମସ୍ତ ମ୍ୟାଚ୍‌ରେ ମେଡ୍‌ଭେଡେଭ୍‌ ବିଜୟୀ ହୋଇଛନ୍ତି। ଏହି ରୁଷୀୟ ଖେଳାଳି ଚଳିତ ବର୍ଷ ଇତିମଧ୍ୟରେ କ୍ରମାଗତ ୫ଟି ଟୁର୍ନାମେଣ୍ଟର ଫାଇନାଲ ଖେଳିସାରିଛନ୍ତି। ସେ ତୁଳନାରେ ୨୦୧୯ରେ ସେ ଲଗାତର ୬ଥର ଚାମ୍ପିୟନଶିପ୍‌ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ। ମେଡ୍‌ଭେଡେଭ୍‌ ଚଳିତବର୍ଷ ରୋଟରଡାମ୍‌, ଦୋହା ଓ ଦୁବାଇରେ ଟାଇଟଲ ଜିତିସାରିଛନ୍ତି। ୨୦୨୧ ୟୁଏସ୍‌ ଓପନ୍‌ ପରେ ଆମେରିକା ମାଟିରେ ରୁଷୀୟ ଖେଳାଳିଙ୍କ ଏହା ହେଉଛି ପ୍ରଥମ ଟାଇଟଲ। ପ୍ରତିଯୋଗିତାର ଏକ ଗ୍ଲାମର ମହିଳା ଡବଲ୍ସ ଫାଇନାଲରେ କେକୋ ଗଫ୍‌ ଓ ଜେସିକା ପେଗୁଲା ୭-୬, ୬-୨ ସେଟ୍‌ରେ ଲେଲା ଫର୍ନାଣ୍ଡିଜ୍‌ ଓ ଟେଲର ଟାଉନ୍‌ସେଣ୍ଡ୍‌ଙ୍କୁ ହରାଇ ଦେଇଛନ୍ତି।

Share