Categories: ଖେଳ

‘ଭାରତକୁ ଆଇପିଏଲ୍‌ରୁ କ’ଣ ମିଳିଛି… ସବୁଠାରୁ ଖରାପ ଟିମ୍‌’

ଲଣ୍ଡନ,୧୧।୧୧: ଧଳା ବଲ୍‌ କ୍ରିକେଟ ଇତିହାସରେ ଭାରତ ସବୁଠାରୁ ଖରାପ ପ୍ରଦର୍ଶନକାରୀ ଦଳ ବୋଲି କଟାକ୍ଷ କରିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍‌ ଭାଓନ୍‌। ଇଣ୍ଡିଆନ ପ୍ରିମିୟର ଲିଗ୍‌ ଖେଳାଳିଙ୍କ ଖେଳକୁ ଉନ୍ନତ କରିଥିବା ପ୍ରତ୍ୟେକ ଖେଳାଳି କହିଥାନ୍ତି। ହେଲେ ଭାରତ ଏଥିରୁ କ’ଣ ହାସଲ କରିଛି? ୨୦୧୧ରେ ଦିନିକିଆ ବିଶ୍ୱକପ୍‌ ସିରିଜ୍‌ ଜିତିବା ପରେ ଦଳ କ’ଣ କରିଛି? କିଛି ନୁହେଁ। ଭାରତ ବର୍ଷ ବର୍ଷ ଧରି ଖେଳି ଆସିଥିବା ପୁରୁଣା ଶୈଳୀରେ ଟି୨୦ ବିଶ୍ୱକପ୍‌ରେ ଖେଳିଛି ବୋଲି ସେ ‘ଦି ଟେଲିଗ୍ରାଫ୍‌’ରେ ନିଜ ସ୍ତମ୍ଭରେ କହିଛନ୍ତି।

ଭାଓନ ଭାରତୀୟ ଟିମ୍‌ ପରିଚାଳନା ବିଭାଗ ପକ୍ଷରୁ ଋଷଭ ପନ୍ତଙ୍କୁ ସଠିକ୍‌ ଭାବେ ଖେଳା ନ ଯିବାକୁ ନେଇ ଆଲୋଚନା ମଧ୍ୟ କରିଛନ୍ତି। ସେ କହିଛନ୍ତି, ପନ୍ତଙ୍କ ଭଳି ଖେଳାଳିଙ୍କୁ ଭରପୂର ସୁଯୋଗ ମିଳିଲା ନାହିଁ। ଏହି ସମୟରେ ତାଙ୍କୁ ଶୀର୍ଷରେ ରଖିବା କଥା। ଟିମ୍‌ରେ ପ୍ରତିଭା ଥିବା ସତ୍ତ୍ୱେ ସେମାନେ ଯେଉଁଭଳି ଭାବେ ଟି୨୦ ଖେଳୁଛନ୍ତି ତାହା ଚକିତ କରୁଛି। ତାଙ୍କ ପାଖରେ ଖେଳାଳି ତ ଅଛନ୍ତି ହେଲେ ତାଙ୍କୁ ଖେଳାଇବାର ସଠିକ ପ୍ରକ୍ରିୟା ନାହିଁ। ଦଳରେ ଅଲରାଉଣ୍ଡରର ଅଭାବ ରହୁଛି। ପୂର୍ବ ଟିମ୍‌ରେ ବ୍ୟାଟ୍ସମ୍ୟାନ୍‌ମାନେ ବୋଲିଂ କରିପାରୁଥିଲେ। ଏବେ ସେଭଳି ନ ଥିବାରୁ ଅଧିନାୟକ ପାଖରେ କେବଳ ୫ ବିକଳ୍ପ ରହିଛି। ବିଶେଷକରି ଯୁଜବେନ୍ଦ୍ର ଚହଲଙ୍କୁ ନ ଖେଳାଇବାର ପରିଣତି ଦଳ ଭୋଗିଛି ବୋଲି ସେ କହିଛନ୍ତି।

Share