Categories: ଖେଳ

ରୁଟ୍‌ଙ୍କୁ କପି କରି ଟ୍ରୋଲ ହେଲେ କୋହଲି

ଲିସେଷ୍ଟର,୨୪।୬: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଇଂଲଣ୍ଡ ଗସ୍ତରେ ଲିସେଷ୍ଟରଶାୟାର୍‌ ବିପକ୍ଷ ଚାରି ଦିନିଆ ଅଭ୍ୟାସ ମ୍ୟାଚର ପ୍ରଥମ ଇନିଂସରେ କିଛି ବିଶେଷ କରିପାରି ନ ଥିଲେ। ଅଭ୍ୟାସ ମ୍ୟାଚର ପ୍ରଥମ ଇନିଂସରେ ବିରାଟ ୬୯ ବଲରେ ୩୩ ରନ ସଂଗ୍ରହ କରିଥିଲେ। ଏହି ସମୟ ମଧ୍ୟରେ ବିରାଟ କୋହଲି ପଡ଼ିଆରେ ଏମିତି କିଛି କରିବାକୁ ଚେଷ୍ଟା କରିଥିଲେ, ଯେଉଁ କାରଣରୁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଇଥିଲା। ବିରାଟ କୋହଲି ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟଙ୍କୁ କପି କରିଛନ୍ତି, କିନ୍ତୁ ସେ ଏଥିରେ ସଫଳତା ପାଇନାହାଁନ୍ତି।
ବ୍ୟାଟିଂ ସମୟରେ ବିରାଟ କୋହଲି ନନ୍‌-ଷ୍ଟ୍ରାଇକ ଏଣ୍ଡ୍‌ରେ ନିଜ ବ୍ୟାଟକୁ ସିଧା ରଖିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ଏଥିରେ ବିଫଳ ହୋଇଥିଲେ। କୋହଲି ବ୍ୟାଟ ସନ୍ତୁଳନ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ମଧ୍ୟ ବିରାଟ କୋହଲିଙ୍କୁ ଟ୍ରୋଲ କରିଥିଲେ। ଭନ ଭାଇରାଲ ଭିଡିଓକୁ ରିଟୁଇଟ୍‌ କରି ଲେଖିଛନ୍ତି, ବିରାଟ ଜୋ ରୁଟଙ୍କ ପରି ବ୍ୟାଟ୍‌କୁ ସନ୍ତୁଳିତ କରି ପାରିବେ ନାହିଁ।
ଏହାପୂର୍ବରୁ ଜୋ ରୁଟ ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ନନ୍‌-ଷ୍ଟ୍ରାଇକରେ କୌଣସି ସମର୍ଥନ ବିନା ବ୍ୟାଟ୍‌କୁ ସିଧା ରଖିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ରୁଟ୍‌ଙ୍କ ଯାଦୁ ବୋଲି ୟୁଜର୍ସ କହିଥିଲେ।

Share