Categories: ଖେଳ

ଟିମ୍‌ ଇଣ୍ଡିଆ ଠାରୁ ମୁମ୍ବାଇ ଇଣ୍ଡିଆନ୍ସ ଭଲ ଦଳ କହିଲେ ପ୍ରାକ୍ତନ ଖେଳାଳି

ଅହମ୍ମଦାବାଦ,୧୪।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ପାଇଁ ପଦାର୍ପଣ କରିଛନ୍ତି ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଶାନ। କ୍ରିକେଟ୍‌ ପ୍ରଶଂସକ ଜଣାଇବାର ଆବଶ୍ୟକତା ନାହିଁ ଦୁହେଁ ଆଇପିଏଲ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ (ଏଆଇ) ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ। ଏହା ଉପରେ ମଜାଳିଆ ଟୁଇଟ୍‌ କରିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ।

ଏମ୍‌ଆଇ ପଲଟନ ଭାରତୀୟ ଟି୨୦ ଦଳ ଠାରୁ ଶକ୍ତିଶାଳୀ ବୋଲି ଟୁଇଟ୍‌ କରିଛନ୍ତି ଭନ। ଆଉ ଏକ ଟୁଇଟ୍‌ରେ ଲେଖିଛନ୍ତି, ବିସିସିଆଇ ମୁମ୍ବାଇ ଫ୍ରାଞ୍ଚାଇଜଠାରୁ ପରାମର୍ଶ ନେଉଛି। ଜାତୀୟ ଦଳରେ ଅଧିକରୁ ଅଧିକ ଏମ୍‌ଆଇ ଖେଳାଳିଙ୍କୁ ନିଆଯାଉଛି। ଏହା ବହୁତ ଭଲ ପଦକ୍ଷେପ। ଏହାର ଜବାବ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଓ୍ବାସିମ ଜାଫର। ”ସବୁ ଦଳ ଇଂଲଣ୍ଡ ଭଳି ଭାଗ୍ୟବାନ ନୁହଁନ୍ତି। ୪ ବିଦେଶୀ ଖେଳାଳିଙ୍କୁ ଦଳରେ ଖେଳାଇ ପାରିବେ“ ବୋଲି ଜାଫର ଟୁଇଟ୍‌ କରିଛନ୍ତି। ଉଲ୍ଲେଖଥାଉ କି, ବର୍ତ୍ତମାନ ଭାରତ ସହ ଖେଳୁଥିବା ଇଂଲଣ୍ଡ ଦଳରେ ଅଧିନାୟକ ଇଆନ ମୋର୍ଗାନ, ଅଲରାଉଣ୍ଡର ବେନ ଷ୍ଟୋକ୍ସ ଓ ସାମ କୁରାନ, ପେସର ଜୋଫ୍ରା ଆର୍ଚ୍ଚର ବିଦେଶୀ ଖେଳାଳି ରହିଛନ୍ତି। ଏମାନେ ପ୍ରକୃତରେ ଇଂଲଣ୍ଡର ବାସିନ୍ଦା ନୁହେଁ।

Share