ନୂଆଦିଲ୍ଲୀ, ୨୩ା୬: ଆମେରିକାର କମ୍ପ୍ୟୁଟର ଷ୍ଟୋରେଜ୍ ଚିପ୍ ନିର୍ମାତା ମାଇକ୍ରନ୍ ୨.୭୫ ବିଲିୟନ ଡଲାର (ପ୍ରାୟ ୨୨,୫୪୦ କୋଟି ଟଙ୍କା) ବିନିଯୋଗରେ ଗୁଜରାଟରେ ଏକ ସେମିକଣ୍ଡକ୍ଟର ଆସେମ୍ବ୍ଲି ଏବଂ ପରୀକ୍ଷା କାରଖାନା ବସାଇବ। ଦୁଇ ପର୍ଯ୍ୟାୟରେ ପ୍ଲାଣ୍ଟ ନିର୍ମାଣରେ ୮୨୫ ନିୟୁତ ଡଲାର ନିବେଶ ହେବ ବୋଲି ମାଇକ୍ରନ୍ ପକ୍ଷରୁ କୁହାଯାଇଛି। ସରକାରଙ୍କ ବିକଶିତ ଆସେମ୍ବ୍ଲି, ପରୀକ୍ଷା, ମାର୍କେଟିଂ ଏବଂ ପ୍ୟାକେଜିଂ (ଏଟିଏମ୍ପି) ଯୋଜନାରେ ମାଇକ୍ରନ୍ର ଏହି ପ୍ଲାଣ୍ଟକୁ ଅନୁମୋଦନ ମିଳିଛି। ମାଇକ୍ରନ୍ ମୋଟ ପ୍ରକଳ୍ପ ଖର୍ଚ୍ଚର ୫୦ ପ୍ରତିଶତ ଭାରତ ସରକାରଙ୍କଠାରୁ ଏବଂ ୨୦ ପ୍ରତିଶତ ଗୁଜରାଟ ସରକାରଙ୍କଠାରୁ ପ୍ରୋତ୍ସାହନ ଭାବେ ପାଇବ। ନୂଆ ଆସେମ୍ବ୍ଳି ଓ ଟେଷ୍ଟ କାରଖାନାର ନିର୍ମାଣ କାର୍ଯ୍ୟ ଚଳିତ ବର୍ଷ ଆରମ୍ଭ ହେବା ଆଶା କରାଯାଉଛି। ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ୫ ଲକ୍ଷ ବର୍ଗଫୁଟ୍ର କ୍ଲିନ୍ରୁମ୍ ସ୍ପେସ୍ ୨୦୨୪ ଶେଷ ବେଳକୁ କାର୍ଯ୍ୟକ୍ଷମ ହେବ। ଏହି ପ୍ଲାଣ୍ଟ ଆଗାମୀ କେତେବର୍ଷ ଯାଏ ୫,୦୦୦ ନୂଆ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ୧୫,୦୦୦ ଗୋଷ୍ଠୀ ନିଯୁକ୍ତି ସୃଷ୍ଟି କରିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏଠାରେ ଉଭୟ ଡିଆର୍ଏଏମ୍ ଏବଂ ଏନ୍ଏଏନ୍ଡି ଉତ୍ପାଦ ନିର୍ମାଣ କରାଯିବ ଯାହା ଘରୋଇ ଓ ଅନ୍ତର୍ଜାତୀୟ ବଜାରର ଆବଶ୍ୟକତା ପୂରଣ କରିବ ବୋଲି ଏକ ବିବୃତିରେ କୁହାଯାଇଛି।