Categories: ଜାତୀୟ

ଭାରତର ସବୁ ଲୁଣ, ଚିନିରେ ମାଇକ୍ରୋପ୍ଲାଷ୍ଟିକ୍‌

ନୂଆଦିଲ୍ଲୀ, ୧୪।୮:ଭାରତୀୟ ବଜାରରେ ବିକ୍ରି ହେଉଥିବା ସମସ୍ତ ବ୍ରାଣ୍ଡ୍‌ର ଲୁଣ ଏବଂ ଚିନିରେ କ୍ଷୁଦ୍ର ପ୍ଲାଷ୍ଟିକ୍‌ କଣିକା(ମାଇକ୍ରୋପ୍ଲାଷ୍ଟିକ୍‌) ରହିଛି। ବଡ଼ ବ୍ରାଣ୍ଡ୍‌ ହେଉ ଅବା ଛୋଟ ବ୍ରାଣ୍ଡ୍‌, ପ୍ୟାକେଟରେ ବିକ୍ରି ହେଉ ଅବା ଖୋଲାରେ ମିଳୁଥିବା ସମସ୍ତ ପ୍ରକାରର ଲୁଣ ଏବଂ ଚିନିରେ ମାଇକ୍ରୋପ୍ଲାଷ୍ଟିକ୍‌ର ଉପସ୍ଥିତି ରହିଛି। ପରିବେଶ ଗବେଷଣା ସଙ୍ଗଠନ ଟକ୍ସିକ୍ସ ଲିଙ୍କ ପକ୍ଷରୁ ମଙ୍ଗଳବାର ପ୍ରକାଶ ପାଇଥିବା ‘ମାଇକ୍ରୋପ୍ଲାଷ୍ଟିକ୍ସ ଇନ୍‌ ସଲ୍ଟ ଆଣ୍ଡ ସୁଗାର’ ଶୀର୍ଷକ ଏକ ଅଧ୍ୟୟନରୁ ଏହି ତଥ୍ୟ ଜଣାପଡ଼ିଛି। ଉକ୍ତ ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ଟକ୍ସିକ୍ସ ଲିଙ୍କ ପକ୍ଷରୁ ଟେବଲ ସଲ୍ଟ, ରକ୍‌ ସଲ୍ଟ, ସି ସଲ୍ଟ, ଲୋକାଲ ର ସଲ୍ଟ ଆଦି ୧୦ ପ୍ରକାରର ଲୁଣ ଉପରେ ଅଧ୍ୟୟନ କରାଯାଇଥିଲା। ସେହିପରି ଅନ୍‌ଲାଇନ ଏବଂ ସ୍ଥାନୀୟ ବଜାରରୁ କିଣାଯାଇଥିବା ୫ ପ୍ରକାର ଲେଖାଏ ଚିନିକୁ ମଧ୍ୟ ପରୀକ୍ଷା କରାଯାଇଥିଲା। ଅଧ୍ୟୟନରେ ଲୁଣ ଏବଂ ଚିନିର ସମସ୍ତ ନମୁନାରେ କ୍ଷୁଦ୍ର ପ୍ଲାଷ୍ଟିକ୍‌ କଣିକାର ଉପସ୍ଥିତି ସାମ୍‌ନାକୁ ଆସିଥିଲା। ଭାରତୀୟ ବଜାରରେ ଉପଲବ୍ଧ ଥିବା ଲୁଣ ଏବଂ ଚିନି ମଧ୍ୟରେ ମାଇକ୍ରୋପ୍ଲାଷ୍ଟିକ୍‌ଗୁଡ଼ିକ ଫାଇବର, ପେଲେଟ, ଫିଲ୍ମ ଏବଂ ଫ୍ରାଗମେଣ୍ଟ୍‌ ଆଦି ବିଭିନ୍ନ ରୂପରେ ରହିଥିବା ଉକ୍ତ ଅଧ୍ୟୟନ ପ୍ରକାଶ କରିଛି। ତେବେ ଏହି କ୍ଷୁଦ୍ର ପ୍ଲାଷ୍ଟିକ କଣିକାଗୁଡ଼ିକର ଆକାର ୦.୧ ମିଲିିମିଟରରୁ ୫ ମିଲିମିଟର ପର୍ଯ୍ୟନ୍ତ ରହିଛି। ଅଧ୍ୟୟନ ଅନୁଯାୟୀ, ଆୟୋଡିନଯୁକ୍ତ ଲୁଣରେ ସର୍ବାଧିକ ମାତ୍ରାରେ ମାଇକ୍ରୋପ୍ଲାଷ୍ଟିକ୍‌ ରହିଛି। ବହୁ ରଙ୍ଗର ପତଳା ଫାଇବର ଏବଂ ଫିଲ୍ମ ଆକାରରେ କ୍ଷୁଦ୍ର ପ୍ଲାଷ୍ଟିକ କଣିକାଗୁଡ଼ିକ ଆୟୋଡିନଯୁକ୍ତ ଲୁଣ ମଧ୍ୟରେ ଥିବା ଅଧ୍ୟୟନରେ ଉଲ୍ଲେଖ କରାଯାଇଛି। ତେବେ ପରୀକ୍ଷା କରାଯାଇଥିବା ଲୁଣ ନମୁନାରେ ମାଇକ୍ରୋପ୍ଲାଷ୍ଟିକର ସାନ୍ଦ୍ରତା କିଲୋଗ୍ରାମ ପ୍ରତି ୬.୭୦ରୁ ୮୯.୧୫ ଖଣ୍ଡ ମଧ୍ୟରେ ରହିଛି। ଆୟୋଡିନଯୁକ୍ତ ଲୁଣରେ ମାଇକ୍ରୋପ୍ଲାଷ୍ଟିକର ସାନ୍ଦ୍ରତା ସର୍ବାଧିକ କିଲୋଗ୍ରାମ ପ୍ରତି ୮୯.୧୫ ଖଣ୍ଡ ରହିଛି। ସେହିପରି ଅର୍ଗାନିକ ରକ୍‌ ସଲ୍ଟରେ କ୍ଷୁଦ୍ର ପ୍ଲାଷ୍ଟିକ କଣିକାର ସାନ୍ଦ୍ରତା ସର୍ବନିମ୍ନ କିଲୋଗ୍ରାମ ପ୍ରତି ୬.୭୦ ଖଣ୍ଡ ରହିଛି। ଅନ୍ୟପକ୍ଷରେ ଚିନି ନମୁନାଗୁଡ଼ିକରେ ମାଇକ୍ରୋପ୍ଲାଷ୍ଟିକର ସାନ୍ଦ୍ରତା କିଲୋଗ୍ରାମ ପ୍ରତି ୧୧.୮୫ରୁ ୬୮.୨୫ ଖଣ୍ଡ ମଧ୍ୟରେ ରହିଛି। ଅଣଜୈବିକ ଚିନିରେ ମାଇକ୍ରୋପ୍ଲାଷ୍ଟିକ୍‌ର ସାନ୍ଦ୍ରତା ସର୍ବାଧିକ ରହିଛି।
ମାଇକ୍ରୋପ୍ଲାଷ୍ଟିକ ଉପରେ ରହିଥିବା ବୈଜ୍ଞାନିକ ଡେଟାବେସ୍‌କୁ ଆହୁରି ମଜଭୁତ କରିବା ଏହି ଅଧ୍ୟୟନର ଉଦ୍ଦେଶ୍ୟ ବୋଲି ଟକ୍ସିକ୍ସ ଲିଙ୍କ୍‌ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ରବି ଅଗ୍ରଓ୍ବାଲ କହିଛନ୍ତି। ଏହାଦ୍ୱାରା ‘ବୈଶ୍ୱିକ ପ୍ଲାଷ୍ଟିକ୍‌ ଚୁକ୍ତି’ କ୍ଷୁଦ୍ର ପ୍ଲାଷ୍ଟିକ କଣିକା ସମ୍ବନ୍ଧିତ ସମସ୍ୟାକୁ ଅଧିକ ଧ୍ୟାନଦେଇ ଠୋସ୍‌ ଭାବେ ସମାଧାନ କରିପାରିବ ବୋଲି ସେ କହିଛନ୍ତି। ଟକ୍ସିକ୍ସ ଲିଙ୍କ୍‌ର ସହଯୋଗୀ ନିର୍ଦ୍ଦେଶକ ସତୀଶ ସିହ୍ନା କହିଛନ୍ତି, ଅଧ୍ୟୟନରେ ପରୀକ୍ଷା କରାଯାଇଥିବା ସମସ୍ତ ବ୍ରାଣ୍ଡ୍‌ର ଚିନି ଏବଂ ଲୁଣରୁ ବହୁମାତ୍ରାରେ କ୍ଷୁଦ୍ର ପ୍ଲାଷ୍ଟିକ୍‌ କଣିକାର ସନ୍ଧାନ ମିଳିଛି, ଯାହା ଅତ୍ୟନ୍ତ ଚିନ୍ତାଜନକ। ମାନବ ସ୍ବାସ୍ଥ୍ୟ ଉପରେ ମାଇକ୍ରୋପ୍ଲାଷ୍ଟିକ୍‌ର ଦୀର୍ଘ ମିଆଦୀ ପ୍ରଭାବ ନେଇ ବ୍ୟାପକ ଗବେଷଣାର ଆବଶ୍ୟକତା ରହିଥିବା ଉକ୍ତ ଅଧ୍ୟୟନରୁ ଜଣାପଡ଼ିଛି।

Share