ପ୍ରଶ୍ୱାସରେ ମାଇକ୍ରୋପ୍ଲାଷ୍ଟିକ୍‌

ଓ୍ବାଶିଂଟନ୍‌,୨୨।୬,ଜ୍ୟୋର୍ତିମୟୀ ସେଠୀ: ଦୈନନ୍ଦିନ ଜୀବନରେ ପ୍ଳାଷ୍ଟିକ୍‌ର ବ୍ୟବହାର ବଢ଼ିଚାଲିଛି। ଫଳରେ ପୁନଃଚକ୍ରଣ ହୋଇପାରୁ ନ ଥିବା ପ୍ଲାଷ୍ଟିକ୍‌ ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନରେ ଜମା ହୋଇ ମାଇକ୍ରୋ ବା ଅତି କ୍ଷୁଦ୍ର ପ୍ଲାଷ୍ଟିକ୍‌ରେ ପରିଣତ ହେଉଛି। ଏହି ଅତି କ୍ଷୁଦ୍ର କଣିକା ସ୍ଥଳଭାଗରୁ ଜଳଭାଗ ଓ ବାୟୁମଣ୍ଡରେ ଘୂରିବୁଲୁଛି। ମନୁଷ୍ୟ ଶ୍ୱାସକ୍ରିୟାରେ ବ୍ୟବହାର କରୁଥିବା ବାୟୁ ମଣ୍ଡଳର ଅମ୍ଳଜାନ ଜରିଆରେ ଏହା ଶରୀରରେ ଜମା ହେଉଥିବା ଏକ ଅଧ୍ୟୟନ ରିପୋର୍ଟରେ କୁହାଯାଇଛି। ଗୋଟିଏ ଘଣ୍ଟାର ପ୍ରଶ୍ୱାସରେ ମନୁଷ୍ୟ ୧୬.୨ ଖଣ୍ଡ ମାଇକ୍ରୋପ୍ଲାଷ୍ଟିକ୍‌ ଗ୍ରହଣ କରିଥାଏ। ସେହିପରି ସପ୍ତାହକ ମଧ୍ୟରେ ମନୁଷ୍ୟ ଶରୀରରେ ଗୋଟିଏ କ୍ରେଡିଟ୍‌ କାର୍ଡ ପରିମାଣର ମାଇକ୍ରୋପ୍ଲାଷ୍ଟିକ୍‌ ପ୍ରବେଶ କରୁଥିବା ଅଷ୍ଟ୍ରେଲିଆ ୟୁନିଭର୍ସିଟି ବୈଜ୍ଞାନିକମାନେ କହିଛନ୍ତି।
ଜର୍ନାଲ ଫିଜିକ୍ସ ଅଫ୍‌ ଫ୍ଲୁଇଡ୍‌ରେ ପ୍ରକାଶ ପାଇଥିବା ଅଧ୍ୟୟନ ରିପୋର୍ଟ ଅନୁସାରେ, ବାୟୁ ମଣ୍ଡଳରେ ଥିବା ମାଇକ୍ରୋ ପ୍ଲାଷ୍ଟିକ୍‌ କିପରି ଭାବେ ମନୁଷ୍ୟ ଶରୀରକୁ ପ୍ରବେଶ କରୁଛି ତା’ ବିଷୟରେ ଜାଣିବା ଲାଗି ବୈଜ୍ଞାନିକମାନେ କମ୍ପ୍ୟୁଟର ମଡେଲ୍‌ର ବ୍ୟବହାର କରିଛନ୍ତି। ମାଇକ୍ରୋ ପ୍ଲାଷ୍ଟିକ୍‌ର ଆକାର ୫ ମିଲିମିଟରରୁ ମଧ୍ୟ କମ୍‌। କିନ୍ତୁ ମନୁଷ୍ୟ ପ୍ରଶ୍ୱାସରେ ନାକ ଓ ଗଳା ମଧ୍ୟରେ ପ୍ରବେଶ କରୁଥିବା କ୍ଷୁଦ୍ର ପ୍ଲାଷ୍ଟିକ୍‌ର ଆକାର ୫.୫୬ ମାଇକ୍ରନ୍ସ ଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଶ୍ୱାସକ୍ରିୟା ଜରିଆରେ ମନୁଷ୍ୟ ଶରୀର ଭିତରେ ମାଇକ୍ରୋ ପ୍ଲାଷ୍ଟିକ୍‌ ପ୍ରବେଶ କରୁଥିବା ପ୍ରଥମ କରି ୨୦୨୨ରେ ଜଣାପଡ଼ିଥିଲା, ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଥିବା ୟୁନିଭର୍ସିଟି ଅଫ୍‌ ଟେକ୍‌ନୋଲୋଜି ସିଡ୍‌ନୀର କୋ-ଅଥର୍‌ ମହମ୍ମଦ ଏସ୍‌. ଇସ୍‌ଲାମ କହିଛନ୍ତି। ମାଇକ୍ରୋ ପ୍ଲାଷ୍ଟିକ୍‌ ମନୁଷ୍ୟ ଶରୀରର ବହୁତଗୁଡ଼ିଏ କ୍ଷତି ଘଟାଇପାରିବ। ମନୁଷ୍ୟ ଶରୀରର କୋଷିକା ନଷ୍ଟ କରିବା ସହ ଅଙ୍ଗ, ପ୍ରତ୍ୟଙ୍ଗରେ ଜମା ହୋଇ ଏହାର କାର୍ଯ୍ୟରେ ବାଧା ସୃଷ୍ଟି କରିବ। ଅନ୍ୟପକ୍ଷ ଇନ୍‌ଫେକ୍ସନ ଜରିଆରେ ଶରୀରରେ ବହୁତ ରୋଗ ସୃଷ୍ଟି କରିବ। ମାଇକ୍ରୋ ପ୍ଲାଷ୍ଟିକ୍‌ ଜଳଚର ପ୍ରାଣୀମାନଙ୍କ ଜୀବନ ପାଇଁ ବିପଦ ସାଜିଥିବାବେଳେ ଏହାକୁ ଦୃଷ୍ଟିରେ ରଖି ମନୁଷ୍ୟ ସଚେତନ ଓ ସତର୍କ ରହିବାର ଆବଶ୍ୟତା ରହିଛି।

Share