ମାତ୍ର ୨୬ ବର୍ଷରେ ଆଖିବୁଜିଲେ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କ ପୁଅ

ନ୍ୟୁୟର୍କ,୧।୩:ବିଶ୍ୱର ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କ ୨୬ ବର୍ଷର ପୁଅ ଜେନ ନାଡେଲାଙ୍କର ମୃତ୍ୟୁ ହୋଇଛି। ଜନ୍ମରୁ ଜେନଙ୍କର ସେରେବ୍ରାଲ୍‌ ପାଲସି ଥିଲା। ମାଇକ୍ରୋସଫ୍ଟ ଅନୁଯାୟୀ ଜେନ ସୋମବାର ସକାଳେ ମୃତ୍ୟୁ ବରଣ କରିଛନ୍ତି। କମ୍ପାନୀ ଏହି ଦୁଃଖଦ ଖବର କର୍ମଚାରୀଙ୍କୁ ମେଲ ମାଧ୍ୟମରେ ପଠାଇଛି। ୨୦୧୪ରେ ମାଇକ୍ରୋସଫ୍ଟର ସିଇଓ ହେବା ପରଠାରୁ ସତ୍ୟ ନାଡେଲା ଭିନ୍ନକ୍ଷମଙ୍କୁ ଉତ୍ତମ ସେବା ଦେବା ପାଇଁ କମ୍ପାନୀର ଉତ୍ପାଦର ଡିଜାଇନ ଉପରେ ଧ୍ୟାନ ଦେଇଛନ୍ତି। ଏହି କାର୍ଯ୍ୟରେ, ସେ ଜେନର ସେବା କରିବା ସମୟରେ ପାଇଥିବା ଅନୁଭୂତି ଉପରେ ମଧ୍ୟ ନିର୍ଭର କରିଥିଲେ। ଜେନଙ୍କ ସଙ୍ଗୀତ ପ୍ରତି ଆଗ୍ରହ ଥିଲା। ଜେନ ଅଧିକାଂଶ ସମୟ ଆମେରିକାର ସିଆଟେଲସ୍ଥିତ ଚିଲ୍ଡେନ୍‌ ହସପିଟାଲରେ ବିତାଇଥିଲେ। ଏଠାରେ ଗତ ବର୍ଷ ସତ୍ୟ ନାଡେଲା ମସ୍ତିଷ୍କ ରୋଗ ଉପରେ ସମନ୍ବିତ ଅନୁସନ୍ଧାନ କରିବା ପାଇଁ ଜେନ ନାଡେଲା ନ୍ୟୁରୋ ସାଇନ୍ସ ସେଣ୍ଟର ପ୍ରତିଷ୍ଠା କରିଥିଲେ।
ଜଣେ ବ୍ୟକ୍ତିଙ୍କ ମସ୍ତିଷ୍କର ଅସ୍ବାଭାବିକ ବିକାଶ କିମ୍ବା ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ କ୍ଷତି ପହଞ୍ଚାଇବା ଦ୍ୱାରା ସେରେବ୍ରାଲ୍‌ ପାଲସି (ସିପି) ହୋଇଥାଏ। ଏହି କାରଣରୁ ପ୍ରଭାବିତ ବ୍ୟକ୍ତି ମାଂସପେଶୀକୁ ସାଧାରଣ ଭାବରେ ଚଳାଇବାରେ ସକ୍ଷମ ନୁହଁନ୍ତି । ସେରିବ୍ରାଲ୍‌ ପାଲସିରେ ପୀଡିତ ପିଲାମାନଙ୍କର ମାନସିକ ରୋଗ, ଶିକ୍ଷଣ ଅକ୍ଷମତା, ଦେଖିବା, ଶୁଣିବା ଏବଂ କହିବାରେ ଅସୁବିଧା ହୋଇଥାଏ।

Share