ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି: ଫିଲିପାଇନ୍ସରେ ଜରୁରୀକାଳୀନ ଅବତରଣ କଲା ଭିଏତଜେଟ୍‌, ସମସ୍ତ ଯାତ୍ରୀ ସୁରକ୍ଷିତ…

ମାନିଲା,୨୮।୬ : ଯାନ୍ତ୍ରିକ ତ୍ରୁଟି ଯୋଗୁ ବୁଧବାର ସକାଳେ ଭିଏତଜେଟ ବିମାନ ଉତ୍ତର ଫିଲିପାଇନ୍ସରେ ଜରୁରୀକାଳୀନ ଅବତରଣ କରିଛିା। ବିମାନରେ ଥିବା ୨୧୪ ଯାତ୍ରୀ ଏବଂ କର୍ମଚାରୀ ସମସ୍ତେ ସୁରକ୍ଷିତ ଅଛନ୍ତି।

ଏୟାରବସ ଏ-୩୨୧ ଦକ୍ଷିଣ କୋରିଆର ଇଞ୍ଚେନ ସହରରୁ ଭିଏତନାମ ଅଭିମୁଖେ ଯାଉଥିବା ସମୟରେ ମଝି ଆକାଶରେ ଯାନ୍ତ୍ରିକ ତ୍ରୁଟି ଜଣାପଡ଼ିଥିଲା। ଫିଲିପାଇନ୍ସର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ ଅନୁଯାୟୀ ଇଲୋକୋସ ନର୍ଥ ପ୍ରଦେଶର ଲାଓଆଗ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଯିବାକୁ ବାଧ୍ୟ ହୋଇଥିଲା।

ବେସାମରିକ ବିମାନ ଚଳାଚଳ ଏଜେନ୍ସି ମୁଖପାତ୍ର ଏରିକ ଆପୋଲୋନିଓ ‘ଆସୋସିଏଟେଡ ପ୍ରେସ’ (ଏପି) କୁ କହିଛନ୍ତି ପାଇଲଟ କୌଣସି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରି ନାହାଁନ୍ତି। ଯାନ୍ତ୍ରିକ ସମସ୍ୟା ବିଷୟରେ ସେ ଟାୱାରକୁ ସୂଚନା ଦେଇଥିଲେ। ତେବେ କୌଣସି ଇଞ୍ଜିନ ବିଫଳତା ସମ୍ପର୍କରେ ଖବର ମିଳିନାହିଁ।

ଆପୋଲୋନିଓ କହିଛନ୍ତି ଯାତ୍ରୀମାନଙ୍କ ପାଇଁ ଆଉ ଏକ ବିମାନ ବ୍ୟବସ୍ଥା କରାଯାଇଛି ଯାହା ବୁଧବାର ଦିନ ପହଞ୍ଚିବ ବୋଲି ଆଶା କରାଯାଉଛି। ଯେପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ବିମାନବନ୍ଦରର ‘ଲାଉଞ୍ଜ’ରେ ଅପେକ୍ଷା କରିବାକୁ କୁହାଯାଇଛି।

Share