ଏପ୍ରିଲରୁ ସ୍କୁଲ୍‌ରେ ମଧ୍ୟାହ୍ନଭୋଜନ

ଭୁବନେଶ୍ୱର, ୨୨ା୩(ବ୍ୟୁରୋ):ରାଜ୍ୟର ସ୍କୁଲଗୁଡ଼ିକରେ ଛାତ୍ରୀଛାତ୍ରଙ୍କୁ ମଧ୍ୟାହ୍ନ ଭୋଜନ (ଏମ୍‌ଡିଏମ୍‌) ଦିଆଯିବ। ଏପ୍ରିଲରୁ ଏମ୍‌ଡିଏମ୍‌ ଆରମ୍ଭ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ଯୋଗୁ ସ୍କୁଲଗୁଡ଼ିକ ବନ୍ଦ ରହିଥିଲା। ତେଣୁ ୨୦୨୦ ମାର୍ଚ୍ଚରୁ ସ୍କୁଲରେ ଏମ୍‌ଡିଏମ୍‌ ଦିଆଯାଉ ନ ଥିଲା। ହେଲେ ଚାଉଳ, ଡାଲି, ଅଣ୍ଡା ଆଦି ଏମ୍‌ଡିଏମ୍‌ ସାମଗ୍ରୀ ପିଲାଙ୍କ ଘରକୁ ପଠାଯିବା ସହ ରୋଷେଇ ପାଇଁ ଟଙ୍କା ଡିବିଟି ମୋଡ୍‌ରେ ସେମାନଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ପଠାଯାଉଥିଲା। ତେବେ ଏବେ କରୋନା ସଂକ୍ରମଣ ହ୍ରାସ ପାଇବା ସହିତ ସ୍କୁଲଗୁଡ଼ିକ ଖୋଲିଛି। ଏପ୍ରିଲରୁ ପିଲାମାନେ ସ୍କୁଲରେ ମଧ୍ୟାହ୍ନଭୋଜନ ଖାଇବେ। ଏଥିପାଇଁ ବିଭାଗ ପକ୍ଷରୁ ଏକ ଏସ୍‌ଓପି ଜାରି କରାଯାଇଛି। କରୋନା କଟକଣା ସହିତ ଏହାକୁ ଲାଗୁ କରିବା ପାଇଁ କୁହାଯାଇଛି। ପିଲାଙ୍କୁ ଯେପରି ସ୍ବାସ୍ଥ୍ୟକର ଖାଦ୍ୟ ଦିଆଯିବ ସ୍କୁଲ ମ୍ୟାନେଜମେଣ୍ଟ ଅଥରିଟି/ସେଣ୍ଟ୍ରାଲ କିଚେନ୍‌ ଏଜେନ୍ସିଗୁଡ଼ିକ ଏପ୍ରିଲ ପୂର୍ବରୁ ସେଥିପ୍ରତି ନିଶ୍ଚିତ ହୋଇ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି।

Share