ମଧ୍ୟାହ୍ନଭୋଜନ ଥାଳିରୁ ବାହାରିଲା ଝିଟିପିଟି: ୨୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ

ଭଦ୍ରକ,୪ା୩(ସନାତନ ରାଉତ): ଭଦ୍ରକ ପୌରପାଳିକା ଅଧୀନ ବଡ଼ଶଙ୍କରପୁର ଊର୍ଦ୍ଦୁ ୟୁଜିଏମ୍‌ଇ ସ୍କୁଲରେ ସୋମବାର ମଧ୍ୟାହ୍ନଭୋଜନରେ ଝିଟିପିଟି ବାହାରିଛି। ମଧ୍ୟାହ୍ନଭୋଜନ ଖାଇଥିବା ୨୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଭଦ୍ରକ ଗେଲପୁରସ୍ଥିତ ମାତୃ, ଶିଶୁ ବିଭାଗ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଖାଉଥିବା ସମୟରେ ଜଣେ ଛାତ୍ରଙ୍କ ଭାତ ଥାଳିରୁ ଝିଟିପିଟି ବାହାରିଥିଲା। ପରେ ମଧ୍ୟାହ୍ନଭୋଜନ ଖାଇଥିବା ଛାତ୍ରୀଛାତ୍ରଙ୍କର ବାନ୍ତି ହେବା ସହ ମୁଣ୍ଡ ବୁଲାଇଥିଲା। ସେମାନଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନିଆଯାଇଥିଲା।  ମୀର ୱାସିମ(୮), ସମିନା ଖାତୁନ(୮), ଗୁଲବାହାର ଖାତୁନ(୧୦), ମୁସ୍କାନ ଖାତୁନ(୧୦), ସମାମା କାଦ୍ରୀ(୧୩), ଖୁସୁବ୍‌ ଖାତୁନ(୮), ମେହକ କାଦ୍ରୀ(୧୧)ଙ୍କ ସମେତ ୨୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ ହୋଇଛନ୍ତି। ଏହାକୁ ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଏ ସମ୍ପର୍କରେ ପ୍ରଧାନଶିକ୍ଷୟିତ୍ରୀ ସୁଜାତା ପଣ୍ଡା କହିଛନ୍ତି, ଖାଦ୍ୟରୁ ଝିଟିପିଟି ବାହାରିଥିବା ଜାଣିବା ପରେ ମଧ୍ୟାହ୍ନଭୋଜନ ବଣ୍ଟନ ବନ୍ଦ କରାଯାଇଥିଲା। ସମସ୍ତଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲକୁ ନିଆଯାଇଥିଲା। ପ୍ରଥମେ ୧୭ ଓ ପରେ ୫ ଛାତ୍ରୀଛାତ୍ର ଡାକ୍ତରଖାନା ଆସିଥିଲେ। ଚିକିତ୍ସା ପରେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ରହିଥିବା ବ୍ଲକ ଶିକ୍ଷା ଅଧିକାରୀ ଚକ୍ରଧର ମଲ୍ଲିକ କହିଛନ୍ତି।
Share