୨୨ରୁ ‘ମିଡ୍‌ଟର୍ମ ଏଣ୍ଡ୍‌କନ୍‌ ୨୦୨୧’

ଭୁବନେଶ୍ୱର, ୨୦।୧(ବ୍ୟୁରୋ): ଡାକ୍ତରୀ ବିଦ୍ୟାରେ ବିପ୍ଳବ ପାଇଁ ପ୍ରଥମଥର ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଅନ୍ତର୍ଜାତୀୟ ସମ୍ମିଳନୀ। ଏଣ୍ଡୋସ୍କୋପି, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି କ୍ଷେତ୍ରରେ ନୂତନ ଜ୍ଞାନକୌଶଳର ପ୍ରଚାର ପ୍ରସାର ନିମନ୍ତେ ହାଇବ୍ରିଡ୍‌ ଓ ଭର୍ଚୁଆଲ ମାଡ୍‌ରେ ଅନୁଷ୍ଠିତ ହେବ ‘ମିଡ୍‌ଟର୍ମ ଏଣ୍ଡ୍‌କନ୍‌ ୨୦୨୧’ ସମ୍ମିଳନୀ। ଏଥିରେ ଦେଶବିଦେଶରୁ ପ୍ରାୟ ୧୫ ହଜାର ଖ୍ୟାତାନାମା ଚିକିତ୍ସା ବିଜ୍ଞାନୀ, ସ୍ବାସ୍ଥ୍ୟ ବିଶେଷଜ୍ଞ, ଛାତ୍ର ଓ ଗବେଷକ ଯୋଗଦେବେ। ପେଟ ରୋଗ ବିଶେଷଜ୍ଞ ଡା. ମନୋଜ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଡା. ଅବିନାଶ ବାଲେକୁଡୁରୁଙ୍କ ଦ୍ୱାରା ଆସନ୍ତା ୨୨ରୁ ଆରମ୍ଭ ହେବାକୁ ଥିବା ଏହି ଅନ୍ତର୍ଜାତୀୟ ସମ୍ମିଳନୀ ୩ଦିନ ଧରି ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହେବ। ସୋସାଇଟି ଅଫ୍‌ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ଏଣ୍ଡୋସ୍କୋପି ଅଫ୍‌ ଇଣ୍ଡିଆ(ଏସ୍‌ଜିଇଆଇ) ପକ୍ଷରୁ ବିଶ୍ୱ ଏଣ୍ଡୋସ୍କୋପି ଅନୁଷ୍ଠାନ ଓ ଆମେରିକୀୟ କଲେଜ ଅଫ୍‌ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିର ସହଯୋଗରେ ଦେଶର ଏହି ପ୍ରଥମ ହାଇବ୍ରିଡ୍‌ ସମ୍ମିଳନୀ ହେବ। ମଙ୍ଗଳବାର ଏସ୍‌ଜିଇଆଇ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ଏଣ୍ଡୋସ୍କୋପିଷ୍ଟ, ଗ୍ୟାଷ୍ଟ୍ରୋ ଏଣ୍ଟେରୋଲୋଜିଷ୍ଟ, ଫିଜିସିଆନମାନେ ସେମାନଙ୍କ ସନ୍ଦର୍ଭ ଉପସ୍ଥାପନା କରିବା ସହ ପ୍ରଶିକ୍ଷଣ ଶିବିର ଏବଂ ଲାଇଭ ସର୍ଜରୀ ଓ୍ବାର୍କସପ୍‌ ଜରିଆରେ ଅଭିଜ୍ଞତା ବଖାଣିବେ। ଏହାସହ ଭର୍ଚ୍ଚୁଆଲ ଯୋଗେ ଦେଶ ବିଦେଶର ପ୍ରତିନିଧି ଅଂଶଗ୍ରହଣ କରିବେ। ଏହି ଅବସରରେ ବାଲୁକା କଳା ମାଧ୍ୟମରେ ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତି ସହ ବିଶ୍ୱର ପ୍ରମୁଖ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରିଚିତ ହେବେ। ସ୍ନାତକୋତ୍ତର ଛାତ୍ରୀଛାତ୍ର ଓ ଯୁବ ଡାକ୍ତରମାନେ ସେମାନଙ୍କ ଅନୁସନ୍ଧାନ ଏବଂ ସନ୍ଦର୍ଭଗୁଡ଼ିକ ଉପସ୍ଥାପନ କରିବେ। ବୈଷୟିକ ଅଧିବେଶନରେ ଭିଡିଓ ଜରିଆରେ ଟେକ୍ନିସିଆନ ଓ ନର୍ସମାନଙ୍କୁ ତାଲିମ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଯୁଗ୍ମ ସମ୍ପାଦକ ଡା. ମାନସ କୁମାର ବେହେରା ଓ ଡା. ଜିମି ନାରାୟଣ ଏହାକୁ ପରିଚାଳନ କରିବେ।

Share