Categories: ଜାତୀୟ

କଲେଜ ପିଲାଙ୍କୁ ଦିଆଯିବ ମଧ୍ୟାହ୍ନ ଭୋଜନ

ହାଇଦ୍ରାବାଦ,୧୭।୭: ସ୍କୁଲରେ ମିଡ୍‌ ଡେ ମିଲ୍‌ ବା ମଧ୍ୟାହ୍ନ ଭୋଜନ କଥା ସମସ୍ତେ ଜାଣିଥିବେ। ହେଲେ ଏବେ ଜୁନିୟର ଓ ଡିଗ୍ରୀ କଲେଜରେ ମଧ୍ୟ ମିଳିବ ମଧ୍ୟାହ୍ନ ଭୋଜନ। ତେଲେଙ୍ଗାନା ସରକାର ଏମିତି ଏକ ଯୋଜନା କରିଥିବା ଜଣାପଡିଛି। ସରକାର ଆସନ୍ତା ଶିକ୍ଷାବର୍ଷରୁ ଜୁନିୟର ଓ ଡିଗ୍ରୀ କଲେଜର ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଯୋଜନା କରିବେ ବୋଲି କହିଛନ୍ତି। ଏବେ ରାଜ୍ୟରେ ହାଇସ୍କୁଲ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ଏହି ସୁବିଧା ଦିଆଯାଉଛି। ତେବେ ଜୁନିୟର ଓ ଡିଗ୍ରୀ କଲେଜରେ ଅଧିକାଂଶ ପିଲା ଅଧାରୁ ପାଠ ଛାଡୁଥିବାରୁ ସରକାରୀ କଲେଜ ଗୁଡିକରେ ଏହି ବ୍ୟବସ୍ଥା କରାଯାଇଥିବା କଥା ଚିନ୍ତା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ କହିଛନ୍ତି। ଯଦି ପିଲାମାନଙ୍କୁ ସ୍ବାସ୍ଥ୍ୟକର ଖାଦ୍ୟ ମିଳେ ତେବେ ସେମାନେ ପାଠ ଛାଡିବେ ନାହିଁ ବୋଲି ସେ କହିଛନ୍ତି। ତେଲେଙ୍ଗାନା ମେହବୁବୁନଜର ଜିଲାର ଜଣେ ଅଧ୍ୟାପକ ନିଜ ଦରମା ଟଙ୍କାରୁ ଗରିବ ପିଲାଙ୍କୁ ଖାଦ୍ୟ ଦେଉଥିବା ଜାଣିବା ପରେ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଏଥିରେ ସରକାରୀ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିବା ଆଶା କରାଯାଏ।

Share