Categories: ଖେଳ

୨୬୫ ରନ୍‌ରେ ଅଟକିଲା ବାଂଲାଦେଶ

କଲମ୍ବୋ,୧୫।୯: କଲମ୍ବୋସ୍ଥିତ ଆର୍‌.ପ୍ରେମାଦାସ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ୨୦୨୩ ଏସିଆ କପ୍‌ର ସୁପର-୪ର ଷଷ୍ଠ ମ୍ୟାଚ୍‌ରେ ଭାରତ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବାଂଲାଦେଶ ବ୍ୟାଟିଂ ଆରମ୍ଭ କରିଥିଲା। ଅଧିନାୟକ ସାକିବୁଲ ହସନ ଏବଂ ହାଓହିଦ ହ୍ରିଦୟଙ୍କ ଲଢୁଆ ବ୍ୟାଟିଂ ବଳରେ ବାଂଲାଦେଶ ୫୦ ଓଭରରେ ୮ ଉଇକେଟ ହରାଇ ୨୬୫ ରନ୍‌ କରିବାରେ ସକ୍ଷମ ହୋଇଛି। ଫଳରେ ଭାରତ ଆଗରେ ୨୬୬ ରନ୍‌ର ବିଜୟ ଟାର୍ଗେଟ୍‌ ରଖିଛି ବାଂଲାଦେଶ।

ଆରମ୍ଭରୁ ଭାରତୀୟ ବୋଲର ମାପଚୁପ୍‌ ବୋଲିଂ କରି ବାଂଲାଦେଶୀ ବ୍ୟାଟରଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥିଲେ। ଫଳରେ ବାଂଲାଦେଶ ୨୮ ରନ୍‌ରେ ୩ ଉଇକେଟ ହରାଇ ସଙ୍କଟରେ ପଡିଥିଲା। ହେଲେ ଅଧିନାୟକ ସାକିବୁଲ ହସନ ଏବଂ ହାଓହିଦ ହ୍ରିଦୟ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ସାକିବୁଲ ୮୫ ବଲ୍‌ ଖେଳି ୬ ଚୌକା ଏବଂ ୩ ଛକା ସହାୟତାରେ ୮୦ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ୍‌ ଖେଳିଥିଲେ। ସେହିପରି ହ୍ରିଦୟ ୮୧ ବଲ୍‌ ଖେଳି ୫ ଚୌକା ଏବଂ ୨ ଛକା ସହାୟତାରେ ୫୪ ରନ୍‌ କରିଥିଲେ।

ଶେଷ ଓଭର ବେଳକୁ ନସୁମ ଅହମ୍ମଦ ଏବଂ ମେହେଦି ହସନ ଦମ୍‌ଦାର ବ୍ୟାଟିଂ କରି ଦଳର ରନ୍‌କୁ ୨୬୫ରେ ପହଞ୍ଚାଇଥିଲେ। ନସୁମ ୪୪ ରନ୍‌ କରିଥିବା ବେଳେ ମେହେଦି ୨୫ ରନ୍‌ କରିଥିଲେ । ଫଳରେ ବାଂଲାଦେଶ ୨୬୫ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଭାରତର ଶାର୍ଦ୍ଦୂଳ ଠାକୁର ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ମହମ୍ମଦ ସାମି ୨ ଉଇକେଟ ନେଇଥିଲେ। ସେହିପରି ରବୀନ୍ଦ୍ର ଜାଡେଜା, ପ୍ରସିଦ୍ଧ କ୍ରିଷ୍ଣା ଏବଂ ଅକ୍ଷର ପଟେଲ ଗୋଟିଏ ଲେଖାଏ ଉଇକେଟ୍‌ ଅକ୍ତିଆର କରିଥିଲେ।

Share