ଇସ୍ରାଏଲରେ ଆତଙ୍କିତ ଅବସ୍ଥାରେ ଭାରତୀୟ ଛାତ୍ରୀଛାତ୍ର

ଜେରୁଜେଲମ,୮।୧୦: ଇସ୍ରାଏଲ ଓ ପାଲେଷ୍ଟାଇନ୍‌ ଆତଙ୍କବାଦୀ ହମାସ୍‌ ଘମାଘୋଟ ଲଢେଇ ଭିତରେ ଫଶି ରହିଛନ୍ତି ଅନେକ ଭାରତୀୟ ଛାତ୍ର। ଭାରତୀୟ ଦୂତାବାସ ଇସ୍ରାଏଲରେ ଥିବା ସମସ୍ତ ଭାରତୀୟଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ଯଦିଓ ସେମାନେ ଭାରତୀୟ ଦୂତାବାସ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି, ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ଥିବାରୁ ସେମାନେ ଭଜନାପୂ ଓ ଆତଙ୍କିତବସ୍ଥାରେ ଅଛନ୍ତି।

ଇସ୍ରାଏଲରେ ଫଶି ରହିଥିବା ଜଣେ ଭାରତୀୟ ଛାତ୍ର ଗୋକୁଲ ମନାଭାଲାନ କହିଛନ୍ତି, ମୁଁ ବହୁତ ନର୍ଭସ ଏବଂ ଭୟଭୀତ ଅଛି। ଆମର ଆଶ୍ରୟସ୍ଥଳ ନିକଟରେ ଇସ୍ରାଏଲ ପୋଲିସ ଫୋର୍ସ ଅଛି। ବର୍ତ୍ତମାନ ପର୍ଯ୍ୟନ୍ତ, ଆମେ ନିରାପଦରେ ଅଛୁ। ଆମେ ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ଅଛୁ।

ଏହି ଆକ୍ରମଣ ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ଏବଂ ଭୟାନକ ବୋଲି ଅନ୍ୟ ଜଣେ ଛାତ୍ର ବିମଲ କୃଷ୍ଣସାମୀ ମଣିଭାନନ ଚିତ୍ରା କହିଛନ୍ତି। ଭାରତୀୟ ଦୂତାବାସ ଆମ ସହ ଯୋଗାଯୋଗରେ ଅଛି। ସେମାନେ ଆମ ଉପରେ ନଜର ରଖିଛନ୍ତି। ଆଉ ଜଣେ ଛାତ୍ର ଆଦିତ୍ୟ କରୁଣାନିଧି ନିବେଦିତା କହିଛନ୍ତି, ଏସବୁ ହଠାତ ଘଟିଥିଲା, ଆମେ ଏହା ଆଶା କରି ନ ଥିଲୁ, କାରଣ ଇସ୍ରାଏଲରେ ଧାର୍ମିକ ଛୁଟି ଚାଲିଛି। ସକାଳ ପ୍ରାୟ ୭.୩୦ରେ ଆମେ ସାଇରନ ଶୁଣିବାକୁ ପାଇଲୁ। ପ୍ରାୟ ୭ରୁ ୮ଘଣ୍ଟା ବଙ୍କରରେ ଥିଲୁ। ବର୍ତ୍ତମାନ ଆମକୁ ଘର ଭିତରେ ରହିବାକୁ କୁହାଯାଇଛି।

ଇସ୍ରାଏଲ ଗଣମାଧ୍ୟମର ସଦ୍ୟତମ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତି ୩୦୦ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ସମୟରେ, ପାଲେଷ୍ଟାଇନ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଗାଜା ଅଞ୍ଚଳରେ ଇସ୍ରାଏଲର ଆକ୍ରମଣରେ ୨୩୨ ଜଣ ପାଲେଷ୍ଟାଇନଙ୍କର ମୃତ୍ୟୁ ଘଟିଛି ଏବଂ ପ୍ରାୟ ୧୭୦୦ ଜଣ ଆହତ ହୋଇଛନ୍ତି।

Share