ଇସ୍ରାଏଲକୁ ସମର୍ଥନ କଲେ ଏହିସବୁ ଶକ୍ତିଶାଳୀ ଦେଶ

ଜେରୁଜେଲମ,୭।୧୦: ହମାସ ଇସ୍ରାଏଲ ଉପରେ ହୋଇଥିବା ମିସାଇଲ ମାଡ଼ରେ ଏପର୍ଯ୍ୟନ୍ତ ୨୨ଜଣଙ୍କର ମୃତ୍ୟୁ ହୋଇଥିବେଳେ ୭୦୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ୨୦ ମିନିଟରେ ୭ହଜାର ମିସାଇଲ ମାଡରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଆତଙ୍କବାଦୀ ହାମାସ ବିରୋଧରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରିସାରିଛି। ତେବେ ଏହାରି ଭିତରେ ବିଶ୍ୱର କେତେକ ଶକ୍ତିଶାଳୀ ଦେଶ ଇସ୍ରାଏଲକୁ ସମର୍ଥନ କରିଛନ୍ତି।

ବ୍ରିଟେନର ବୈଦେଶିକ ମନ୍ତ୍ରୀ ଜେମ୍ସ କ୍ଲିଭରଲି ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ହମାସ ଦ୍ୱାରା ହୋଇଥିବା ଆକ୍ରମଣକୁ ନିନ୍ଦା କରିଛି। ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ଜେମ୍ସ କହିଛନ୍ତି, ଇସ୍ରାଏଲର ସାଧାରଣ ନାଗରିକଙ୍କ ଉପରେ ହମାସ ଦ୍ୱାରା ହୋଇଥିବା ଭୟଙ୍କର ଆକ୍ରମଣକୁ ବ୍ରିଟେନ ନିନ୍ଦା କରୁଛି। ବ୍ରିଟେନ ସର୍ବଦା ଇସ୍ରାଏଲର ଅଧିକାରକୁ ସମର୍ଥନ କରିବ।
ଏଥିସହ ଫ୍ରାନ୍ସର ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏହି ଆକ୍ରମଣକୁ ଦୃଢ଼ ଭାବରେ ନିନ୍ଦା କରିଛି। ମନ୍ତ୍ରଣାଳୟ କହିଛି ଫ୍ରାନ୍ସ, ଇସ୍ରାଏଲ ଏବଂ ଏହି ଆକ୍ରମଣର ଶିକାର ହୋଇଥିବା ଲୋକଙ୍କ ପାଇଁ ଦୁଖ ପ୍ରକାଶ କରିଛି। ଆତଙ୍କବାଦକୁ ଆମର ଦୃଢ ପ୍ରତ୍ୟାଖ୍ୟାନ କରିବା ସହ ଇସ୍ରାଏଲର ସୁରକ୍ଷା ପ୍ରତି ଆମର ପ୍ରତିବଦ୍ଧତାକୁ ନିଶ୍ଚିତ କରୁଛୁ।

ସେହିପରି ଜର୍ମାନୀ ବୈଦେଶିକ ମନ୍ତ୍ରୀ ଆନ୍ନାଲେନା ବେରବକ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି,ନିରୀହ ଲୋକଙ୍କ ପ୍ରତି ହିଂସା ତୁରନ୍ତ ବନ୍ଦ ହେବା ଆବଶ୍ୟକ। ଗାଜାରୁ ଇସ୍ରାଏଲ ବିରୋଧରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଜର୍ମାନୀ ଦୃଢ ନିନ୍ଦା କରୁଛି। ନିରୀହ ସାଧାରଣ ନାଗରିକଙ୍କ ବିରୋଧରେ ହିଂସା ଏବଂ ମିସାଇଲ ମାଡକୁ ବନ୍ଦ କରିବା ପାଇଁ ଆମେ ଦାବି କରୁଛୁ। ଜେରୁଜେଲମ ଓ ତେଲ ଅଭିଭରେ ସାଧାରଣ ନାଗରିକଙ୍କ ଉପରେ ମିସାଇଲ ଆକ୍ରମଣକୁ ନିନ୍ଦା କରିଛି ୟୁକ୍ରେନ।

ସୂଚନାଯୋଗ୍ୟ, ଇସ୍ରାଏଲର ୩ଟି ସହରରେ ମିସାଇଲ ମାଡ ହୋଇଛି। ଶନିବାର ସକାଳେ ଗାଜାରୁ ଇସ୍ରାଏଲକୁ ହୋଇଥିବା ମିସାଇଲ ମାଡରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬ଜଣ ଆହତ ହୋଇଛନ୍ତି। ଫିଲିସ୍ତିନୀ ସଂଗଠନ ହମାସ୍‌, ଇସ୍ରାଏଲର ୩ଟି ସହରରେ ମିସାଇଲ ମାଡ କରିଛି। ଶନିବାର ସକାଳେ ଇସ୍ରାଏଲର ତେଲ ଅଭିଭ୍‌, ସ୍ଡେରୋଟ୍‌, ଅଶ୍କଲେନ ସହର ଉପରେ ମିସାଇଲ ମାଡ ହେବାରୁ ଦେଶରେ ସାଇରନ ବାଜିବା ଆରମ୍ଭ ହୋଇଥିଲା।
ଏହି ଆକ୍ରମଣ ପାଇଁ ହମାସ୍‌ ନିଜକୁ ଦାୟୀ କରିଛି। ତେବେ ହମାସ୍‌ ଇସ୍ରାଏଲ ବିରୋଧରେ ଯୁଦ୍ଧ ଘୋଷଣା କରିଛି। ଅନ୍ୟପଟେ ଇସ୍ରାଏଲ ମଧ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି କହିଛି। ମିସାଇଲ ମାଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମିସାଇଲ ମାଡରେ ରାସ୍ତାରେ ଥିବା କାର୍‌ ଜଳିଯିବା ସହ କୋଠାଗୁଡିକ ମଧ୍ୟ ଜଳୁଥିବାର ଦେଖାଯାଉଛି। ଇସ୍ରାଏଲ, ଦେଶର ନାଗରିକଙ୍କୁ ଘରେ ସୁରକ୍ଷିତ ରହିବାକୁ ସତର୍କ ଜାରି କରିଛି।

Share